Responsive Image Link
Odisha
Trending

ପରମାଣୁ ଶକ୍ତି ଉତ୍ପାଦନ ସମ୍ଭାବ୍ୟତା ଅଧ୍ୟୟନ ପାଇଁ ସରକାରୀ ସ୍ୱୀକୃତି

ଏନଟିପିସି ଏବଂ ଘରୋଇ କମ୍ପାନି ଆଦାନୀ ପାୱାରକୁ ମଞ୍ଜୁରୀ

କେନ୍ଦ୍ରୀୟ ସରକାରୀ ସଂସ୍ଥା ଜାତୀୟ ତାପଜ ବିଦ୍ୟୁତ୍‌ ନିଗମ (ଏନଟିପିସି) ଏବଂ ଘରୋଇ କମ୍ପାନି ଆଦାନୀ ପାୱାରକୁ ବିଭିନ୍ନ ସ୍ଥାନରେ ପରମାଣୁ ଶକ୍ତି ଉତ୍ପାଦନ ପ୍ରକଳ୍ପ ପାଇଁ ସମ୍ଭାବ୍ୟତା ଅଧ୍ୟୟନ କରିବାକୁ ରାଜ୍ୟ ସରକାର ମଞ୍ଜୁରି ପ୍ରଦାନ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ବିଧାନସଭାକୁ ସୂଚନା ଦେଇଛନ୍ତିଯେ ସରକାର ଏନଟିପିସିକୁ ରାଜ୍ୟର ଚାରୋଟି ସ୍ଥାନରେ ଅଧ୍ୟୟନ କରିବାକୁ ଅନୁମତି ଦେଇଛନ୍ତି। ଏଥିମଧ୍ୟରୁ ଦେବଗଡ଼ ନିକଟସ୍ଥ ଏକ ସ୍ଥାନକୁ ଏନଟିପିସି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ଚୟନ କରିଛି। ସେହିପରି ମାଲକାନଗିରି ଜିଲ୍ଲାର ବାଲିମେଳା ଡ୍ୟାମ୍ ଏବଂ ଅନୁଗୋଳ ଜିଲ୍ଲାର ମଞ୍ଜୋର ଡ୍ୟାମ୍ ନିକଟସ୍ଥ ସ୍ଥାନଗୁଡ଼ିକର ଯାଞ୍ଚ କରିବା ପାଇଁ ଆଦାନୀ ପାୱାରକୁ ମଞ୍ଜୁରି ପ୍ରଦାନ କରାଯାଇଛି

ଓଡ଼ିଶାରେ ପରମାଣୁ ଶକ୍ତି କେନ୍ଦ୍ର ସ୍ଥାପନ ପାଇଁ ରାଜ୍ୟ ସରକାର ଏନଟିପିସି, ଆଦାନୀ ପାୱାର ଏବଂ ଟାଟା ପାୱାରଠାରୁ ପ୍ରସ୍ତାବ ପାଇଥିଲେ। ଏହି ପ୍ରସ୍ତାବଗୁଡ଼ିକ ମଧ୍ୟରୁ ଏନଟିପିସି ଏବଂ ଆଦାନୀ ପାୱାରକୁ ଅଧ୍ୟୟନ ପାଇଁ ମଞ୍ଜୁରି ପ୍ରଦାନ କରାଯାଇଛି। ଟାଟା ପାୱାର ମଧ୍ୟ ମାଲକାନଗିରିରେ ଏକ ପରମାଣୁ ଶକ୍ତି କେନ୍ଦ୍ର ସ୍ଥାପନ କରିବାକୁ ଆଗ୍ରହ ପ୍ରକାଶ କରିଛି। ରିଆକ୍ଟରର ଆକାର ଅନୁସାରେ ୨×୨୨୦=୪୪୦ ମେଗାୱାଟ କିମ୍ବା ୨×୭୦୦=୧୪୦୦ ମେଗାୱାଟ୍ କ୍ଷମତା ବିଶିଷ୍ଟ ପରମାଣୁ ଶକ୍ତି କେନ୍ଦ୍ର ସ୍ଥାପନ ପାଇଁ ଟାଟା ପାୱାର ଓଡ଼ିଶା, ମଧ୍ୟପ୍ରଦେଶ ଏବଂ ଗୁଜୁରାଟକୁ ସମ୍ଭାବ୍ୟ ରାଜ୍ୟ ଭାବେ ଚିହ୍ନଟ କରିଛି। ପ୍ରକଳ୍ପଗୁଡ଼ିକ ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ସ୍ଥାନ ସର୍ବେକ୍ଷଣ ଏବଂ ସମ୍ଭାବ୍ୟତା ଯାଞ୍ଚ ମାଧ୍ୟମରେ ଏହା ସ୍ଥିର ହେବ ଯେ ସମ୍ପୃକ୍ତ ସ୍ଥାନଗୁଡ଼ିକ ପରମାଣୁ ପ୍ରକଳ୍ପ ପାଇଁ ଉପଯୁକ୍ତ କି ନୁହେଁ। ବର୍ତ୍ତମାନ ସୁଦ୍ଧା କୌଣସି ସ୍ଥାନରେ ପରମାଣୁ ଶକ୍ତିକେନ୍ଦ୍ର ସ୍ଥାପନ ପାଇଁ ଚୂଡ଼ାନ୍ତ ଅନୁମୋଦନ ହୋଇନାହିଁ।

ଆଦାନୀ ପାୱାର୍ ପାଇଁ ବାଲିମେଳା ଏବଂ ମଞ୍ଜୋର ଗୁରୁତ୍ୱପୂର୍ଣ୍ଣ, କାରଣ ଉଭୟ ସ୍ଥାନରେ ଆବଶ୍ୟକ ଜଳଭଣ୍ଡାର ଏବଂ ବିଦ୍ୟୁତ୍ ଭିତ୍ତିଭୂମି ରହିଛି। ବାଲିମେଳାରେ ପୂର୍ବରୁ ଓଡ଼ିଶା ହାଇଡ୍ରୋ ପାୱାର୍ କର୍ପୋରେସନ୍ ଦ୍ୱାରା ପରିଚାଳିତ ୫୧୦ ମେଗାୱାଟ କ୍ଷମତା ବିଶିଷ୍ଟ ଜଳବିଦ୍ୟୁତ୍ କେନ୍ଦ୍ର ରହିଛି। ଗତ ଜୁଲାଇ ୩୦ରେ ଆଦାନୀ କମ୍ପାନିର ଏକ ପ୍ରତିନିଧି ମଣ୍ଡଳୀ ଶକ୍ତିମନ୍ତ୍ରୀଙ୍କୁ ଭେଟି ଓଡ଼ିଶାରେ ଆଣବିକ, ତାପଜ ଓ ପମ୍ପ ଷ୍ଟୋରେଜ ପ୍ଳାଣ୍ଟ ପ୍ରତିଷ୍ଠା କରିବା ପାଇଁ ପ୍ରାୟ ୧ ଲକ୍ଷ ୫୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ପ୍ରସ୍ତାବ ରଖିଥିଲା। ସେଥିରୁ ଆଣବିକ ଶକ୍ତି ଉତ୍ପାଦନ ପାଇଁ ପ୍ରତ୍ୟେକ ପ୍ରକଳ୍ପରୁ ୨୮୦୦ ମେଗାୱାଟ ହିସାବରେ ୫୬୦୦ ମେଗାୱାଟ ପରମାଣୁ ଶକ୍ତି ଉତ୍ପାଦନ ପାଇଁ ପ୍ରସ୍ତାବ ଦାଖଲ କରିଛି।

ବର୍ତ୍ତମାନ ଭାରତରେ ୮୭୮୦ ମେଗାୱାଟ କ୍ଷମତା ବିଶିଷ୍ଟ ୨୪ଟି ପରମାଣୁ ଶକ୍ତିକେନ୍ଦ୍ର ବ୍ୟବସାୟିକ ଭାବେ କାର୍ଯ୍ୟ କରୁଛି। ମହାରାଷ୍ଟ୍ରର ତାରାପୁର, ରାଜସ୍ଥାନର ରାୱତଭାଟା, ଗୁଜୁରାଟର କାକରାପାର, ଉତ୍ତର ପ୍ରଦେଶର ନରୋରା, କର୍ଣ୍ଣାଟକର କାଇଗା ଏବଂ ତାମିଲନାଡୁର କଲପକ୍କମ୍ ଓ କୁଡନକୁଲମ୍ ଠାରେ ପରମାଣୁ ଶକ୍ତିକେନ୍ଦ୍ରଗୁଡ଼ିକ ବିଦ୍ୟୁତ ଉତ୍ପାଦନ କରୁଛି। କେନ୍ଦ୍ର ସରକାର ୨୦୪୭ ସୁଦ୍ଧା ୧୦୦ ଗିଗାୱାଟ୍ ପରମାଣୁ ଶକ୍ତି ଉତ୍ପାଦନ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଯେଉଁଥିରେ ନ୍ୟୁକ୍ଲିୟର୍ ପାୱାର କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ ଦ୍ୱାରା ବିକଶିତ ହେବାକୁ ଥିବା ପ୍ରକଳ୍ପ ମାଧ୍ୟମରେ ୩୨ ଗିଗାୱାଟ୍ କ୍ଷମତା ଯୋଡ଼ିବାକୁ ଯୋଜନା ରହିଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button