Responsive Image Link
Department

ବିଶ୍ୱ ବ୍ୟାଙ୍କ ମିଶନ କର୍ତ୍ତୃପକ୍ଷଙ୍କ ସହିତ ଉନ୍ନୟନ କମିଶନରଙ୍କ ବୈଠକ

ଆଜି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ବିଶ୍ୱ
ବ୍ୟାଙ୍କ ମିଶନ ଟିମ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଓଡିଶା ରାଜ୍ୟ କ୍ଷମତା ଓ ନିରନ୍ତର ଅଭିବୃଦ୍ଧି ନୀତି
କାର୍ଯ୍ୟକ୍ରମ(ଓଏସସିଆରଜିପି) ର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି । କାର୍ଯ୍ୟକ୍ରମରେ
ରାଜ୍ୟ ଅର୍ଥ ବିଭାଗର ପଦାଧିକାରୀ, ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟରର ମୁଖ୍ୟ କାର୍ଯ୍ୟ
ନିର୍ବାହୀ ଅଧିକାରୀ, ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ, ଅର୍ଥ ଓ
ପରିସଂଖ୍ୟାନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା
କର୍ତ୍ତୃପକ୍ଷ(ଓସଡମା) ର ଅଧିକାରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ
। ବିଶ୍ୱବ୍ୟାଙ୍କ ଓ ଭାରତ ସରକାରଙ୍କ ସହଯୋଗରେ ଓଡ଼ିଶା ସରକାର ରାଜ୍ୟ କ୍ଷମତା ଓ
ନିରନ୍ତର ଅଭିବୃଦ୍ଧି ନୀତି କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ୨୦୨୩-୨୪ରୁ ଆରମ୍ଭ ହୋଇ ଅପ୍ରେଲ
୨୦୨୮ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବା ପାଇଁ ପାଣ୍ଠି ପ୍ରାବଧାନ ରହିଛି ।
ଓଏସସିଆରଜିପି ପାଣ୍ଠି ମୁଖ୍ୟତଃ ରାଜ୍ୟର କ୍ଷମତା ବୃଦ୍ଧି ଓ ନିରନ୍ତରତା ଭିତ୍ତିକ
ବିକାଶକୁ ସୁଦୃଢ଼ କରିବା, ବିଶେଷ କରି ବୈଷୟିକ ଜ୍ଞାନ କୌଶଳ ଉପଯୋଗରେ ଏକୀକୃତ
ବିତରଣ ପ୍ରଣାଳୀ ମାଧ୍ୟମରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ଯୋଜନାର ଲାଭ
ପହଞ୍ଚାଇ ଆର୍ଥିକ ଓ ସାମାଜିକ ସୁରକ୍ଷା ପରିସର ବୃଦ୍ଧି କରିବା, ପ୍ରାକୃତିକ ଦୁର୍ବିପାକ ଜନିତ
ଆର୍ଥିକ କ୍ଷୟକ୍ଷତିକୁ ଏଡ଼ାଇବା ପାଇଁ ପୂର୍ବାନୁମାନ ଓ ସତର୍କତା ପାଇଁ ସମାଜର ସବୁ ବର୍ଗଙ୍କୁ
ବୈଷୟିକ ଜ୍ଞାନକୌଶଳ ଦ୍ୱାରା ସମୟୋଚିତ ଭାବେ ସୂଚନା ପ୍ରଦାନ କରିବା, ନିରନ୍ତର ବିକାଶ,
ନୀତି ଓ ଯୋଜନା ରୂପାନ୍ତରଣରେ ପାରଦର୍ଶିତା ଆଣିବା, ଦାୟିତ୍ୱବୋଧ ଓ କାର୍ଯ୍ୟ କ୍ଷମତା
ବଢ଼ାଇବା ପାଇଁ ସଂସ୍ଥାଗତ ସଂସ୍କାର ନିମନ୍ତେ ଖର୍ଚ୍ଚ କରାଯାଉଛି । ତତ୍ ସହିତ ସରକାରୀ

ସ୍ତରରେ ଓ ସାମାଜିକ ଏବଂ ଅର୍ତନୈତିକ ବିକାଶ ପାଇଁ ଆବଶ୍ୟକ ତଥ୍ୟ ସଂଗ୍ରହ, ବିଶ୍ଳେଷଣ ଓ
ବିତରଣ ପ୍ରଣାଳୀକୁ ଆଧୁନିକୀକରଣ କରାଯାଇ ରାଜ୍ୟ ପରିସଂଖ୍ୟାନ ବ୍ୟବସ୍ଥା ସୁଦୃଢ଼ୀକରଣ
କରାଯାଉଛି, ଯଦ୍ୱାରା କି ରାଜ୍ୟର ଯୋଜନା, ନୀତି ପ୍ରଣୟନ ଓ କାର୍ଯ୍ୟକାରିତା ତଥ୍ୟଭିତ୍ତିକ
ହେବ ।
ବୈଠକରେ ଉନ୍ନୟନ କମିଶନର ଏହି କାର୍ଯ୍ୟକ୍ରମର ବର୍ଷଓ୍ୱାରୀ କାର୍ଯ୍ୟ ଅଗ୍ରଗତି
ସମୀକ୍ଷା କରିଥିଲେ । ଖର୍ଚ୍ଚ ସମୀକ୍ଷା କରିବା ସହିତ ଜାରି ରହିଥିବା ବିଭିନ୍ନ କାର୍ଯ୍ୟକ୍ରମ ତ୍ୱରାନ୍ୱିତ
କରି ଖର୍ଚ୍ଚ ହାର ବୃଦ୍ଧି କରିବାକୁ ସେ ପରାମର୍ଶ ଦେଇଛନ୍ତି । ରାଜ୍ୟ ତଥ୍ୟ ପରିଚାଳନା କମିଟି
ବୈଠକ ଶୀଘ୍ର ଅନୁଷ୍ଠିତ କରାଯିବା ନେଇ ଉନ୍ନୟନ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ବିଶ୍ୱବ୍ୟାଙ୍କ
କର୍ତ୍ତୃପକ୍ଷ ଓଡିଶାର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ର ସଂପର୍କିତ ମୂଲ୍ୟାୟନରେ ସୂଚନା ସରବରାହ
କ୍ଷେତ୍ରକୁ ଆହୁରି ସୁଦୃଢ କରିବା ପାଇଁ ବିଶ୍ୱବ୍ୟାଙ୍କ ପାଣ୍ଠିର ଉପଯୋଗିତା ନେଇ ଆଲୋଚନା
କରିଥିଲେ । ବଜ୍ରପାତ, ଶୀତ ଲହର ଭଳି ବହୁମୁଖୀ ବିପର୍ଯ୍ୟୟର ମୁକାବିଲା ପାଇଁ ବାର୍ତ୍ତା
ପ୍ରସାରଣ ବ୍ୟବସ୍ଥାକୁ ଆହୁରି ପ୍ରଭାବୀ କରିବାକୁ ଓସଡମାକୁ ପରାମର୍ଶ ଦିଆଯାଇଥିଲା ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button