ରାଜ୍ୟରେ ସମ୍ପ୍ରତି ୨୬ଲକ୍ଷରୁ ଅଧିକ ଲକ୍ଷପତି ଦିଦି ଅଛନ୍ତି। ୫୦ ଲକ୍ଷରୁ (୮୪%) ଅଧିକ ସଦସ୍ୟ ଫାର୍ମଭିତ୍ତିକ ଜୀବିକା ନିର୍ବାହ କାର୍ଯ୍ୟ କରୁଥିବା ବେଳେ ୨ ଲକ୍ଷରୁ ଊର୍ଦ୍ଧ୍ୱ ସଦସ୍ୟ ସେବାଭିତ୍ତିକ ଏବଂ ୨.୩୦ ଲକ୍ଷ ଅଣକୃଷି ଓ ଅନ୍ୟ କ୍ଷେତ୍ରରେ ନିୟୋଜିତ ଅଛନ୍ତି | ଓଡ଼ିଶା ଜୀବିକା ମିସନ (ଓଏଲଏମ)ର ୫ମ ପରିଚାଳନା କମିଟି ବୈଠକରେ ଉପସ୍ଥାପିତ ତଥ୍ୟରୁ ଜଣାଯାଇଛି।
ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଅଧ୍ୟକ୍ଷତା କରିଥିଲେ | ରାଜ୍ୟ ମିସନ ନିର୍ଦ୍ଦେଶିକା ତଥା ସିଇଓ ମିସନ ଶକ୍ତି ବିଭାଗ ଡଃ. ମୋନିକା ପ୍ରିୟଦର୍ଶିନୀ ଓଡ଼ିଶା ଜୀବିକା ଜୀବିକା ମିସନର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଉପସ୍ଥାପନ କରିଥିଲେ | ୨୦୨୪ ମସିହାରେ ହାରାହାରି ଋଣ ପରିମାଣ ୪ ଲକ୍ଷ ଟଙ୍କା ଥିବାବେଳେ ୨୦୨୬ ମସିହାରେ ଏହା ବୃଦ୍ଧି ପାଇ ୫.୯୬ ଲକ୍ଷ ଟଙ୍କା ହୋଇଛି | ୫.୯୫ ଲକ୍ଷ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଏସ୍.ଏଚ୍.ଜି ବ୍ୟାଙ୍କ ସଂଯୋଗରେ ୭୫,୧୧୬ କୋଟି ଅର୍ଥ ଋଣ ସହାୟତା ପ୍ରଦାନ କରାଯାଇଛି । ୧.୭୦ ଲକ୍ଷ ଉଦ୍ୟୋଗୀଙ୍କ ପାଇଁ ୭,୯୯୭ କୋଟି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଓଡ଼ିଶା ଜୀବିକା ମିସନ ପଦକ୍ଷେପରେ ୨୬.୫୯ ଲକ୍ଷ ମହିଳା ଲକ୍ଷପତି ଦିଦି ଭାବରେ ମାନ୍ୟତା ପାଇଛନ୍ତି |
ଲକ୍ଷପତି ଦିଦିମାନେ କୃଷିଭିତ୍ତିକ, ପ୍ରାଣୀ ପାଳନ, ଅଣକାଷ୍ଠ ବନଜାତ ଦ୍ରବ୍ୟ ଭିତ୍ତିକ ଉଦ୍ୟୋଗ (NTFP), ଜଳ କୃଷି, ଉତ୍ପାଦନ ଭିତ୍ତିକ ଉଦ୍ୟୋଗ, ବ୍ୟବସାୟିକ ଉଦ୍ୟୋଗ, ସେବା ଉଦ୍ୟୋଗ ଆଦି କାର୍ଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ପଞ୍ଜୀକରଣ ଓ ଲକ୍ଷ୍ୟ ହାସଲର ସମୀକ୍ଷା କରାଯାଇଥିଲା | ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ୨୦୨୬-୨୭ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ୩୭ ଲକ୍ଷ (ବାର୍ଷିକ)ଥିବା ବେଳେ ୯୬ ପ୍ରତିଶତ ସଦସ୍ୟା ପଞ୍ଜୀକୃତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ୪୭.୨୬ ଲକ୍ଷ (ବାର୍ଷିକ) ଧାର୍ଯ୍ୟ ଲକ୍ଷ୍ୟ ଥିବାବେଳେ ୯୭% ସଫଳତା ହାସଲ ହୋଇଛି ।
ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଂଜନ କୁମାର ସିଂହଙ୍କ ସମେତ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଏବଂ ମିସନ ଶକ୍ତି ବିଭାଗର କମିସନର ତଥା ଶାସନ ସଚିବ, ସମନ୍ୱିତ ଶିଶୁ ବିକାଶ ଓ ସମାଜ କଲ୍ୟାଣ ବିଭାଗ ନିର୍ଦ୍ଦେଶିକା, ରାଜ୍ୟ ମିସନ ନିର୍ଦ୍ଦେଶିକା ତଥା ସିଇଓ, ମିସନ ଶକ୍ତି ବିଭାଗଙ୍କ ସମେତ ପରିଚାଳନା କମିଟିର ସଦସ୍ୟ ଥିବା ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।