
୨୦୨୬-୨୭ ଆର୍ଥିକ ବର୍ଷରେ ସାଧାରଣ ଉପଭୋକ୍ତାଙ୍କ ପାଇଁ ବିଜୁଳି ଦର ବଢ଼ିବ ନାହିଁ। ଅର୍ଥାତ୍ ଦର ଅପରିବର୍ତ୍ତିତ ରହିବ। ସାଧାରଣ ଉପଭୋକ୍ତାଙ୍କ ପାଇଁ ମାସିକ ବିଲ୍ ୫୦ ୟୁନିଟ୍ ଯାଏଁ ୟୁନିଟ୍ ପିଛା ୨.୯୦ ଟଙ୍କା ଓ ୫୦ରୁ ୨୦୦ ୟୁନିଟ୍କୁ ୪.୭୦ ଟଙ୍କା, ୨୦୦ରୁ ୪୦୦ ୟୁନିଟ୍କୁ ୫.୭୦ ଟଙ୍କା, ୪୦୦ ୟୁନିଟ୍ରୁ ଅଧିକ ପାଇଁ ୟୁନିଟ୍ ପିଛା ୬.୧୦ ଟଙ୍କା ବିଜୁଳି ବିଲ୍ ଆସନ୍ତା ବର୍ଷ ପାଇଁ ବି ବଳବତ୍ତର ରହିବ। ଲଗାତାର ୫ ବର୍ଷ ଅର୍ଥାତ୍ ୨୦୨୨-୨୩ରୁ ୨୦୨୬-୨୭ ପର୍ଯ୍ୟନ୍ତ ଦର ବୃଦ୍ଧି ହୋଇନାହିଁ।
ଉପଭୋକ୍ତାଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଦରବୃଦ୍ଧି କରାଯାଇ ନଥିବା ଓଇଆର୍ସି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। କେବଳ ସେତିକି ନୁହେଁ, ଡିସ୍କମ୍ ତଥା ବିଦ୍ୟୁତ୍ ବିତରକ କମ୍ପାନିଙ୍କ ଉପରେ ଆୟୋଗ କଡ଼ା ନଜର ରଖିଛନ୍ତି। ଏଣିକି ବଣ୍ଟନ କମ୍ପାନିଙ୍କର ପୂରା କାରବାରର ସିଏଜି ଅଡିଟ୍ କରାଯିବ। ଆୟୋଗ ରାଜ୍ୟ ସରକାରଙ୍କୁ ଏ ନେଇ ଅନୁରୋଧ କରିଛନ୍ତି। ଏଥିସହ ଯେଉଁ ଫିଡରଗୁଡ଼ିକ ୫୦%ରୁ ଅଧିକ କ୍ଷତିରେ ରହିଛନ୍ତି, ସେଗୁଡ଼ିକରେ ସ୍ମାର୍ଟ ମିଟରିଂ କରିବା ଲାଗି ରାୟରେ ଉଲ୍ଲେଖ କରିଛନ୍ତି। ଏହାଦ୍ବାରା କେଉଁଠି କ୍ଷତି ହେଉଛି ତାହା ଜଣାପଡ଼ିବ। ରାଜ୍ୟରେ ଅନେକ ଉପଭୋକ୍ତା ରହିଛନ୍ତି, ଯେଉଁମାନଙ୍କର ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହେବା ପରେ ମଧ୍ୟ ସିକ୍ୟୁରିଟି ଡିପୋଜିଟ୍ ଅର୍ଥ ନେଇନାହାନ୍ତି। ଡିସ୍କମ୍ମାନେ ବିଜ୍ଞାପନ ପ୍ରକାଶ କରି ଅର୍ଥ ଫେରସ୍ତ ଦିଗରେ ପଦକ୍ଷେପ ନେବେ। ଉତ୍ତର ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ କୃଷି ଫିଡର୍ ଲୋଡ୍ ୬୦%ରୁ ଅଧିକ ରହୁଛି। ତେଣୁ ରାଜ୍ୟ ସରକାର ସେହି ଅଞ୍ଚଳରେ ସୌରଶକ୍ତି ବ୍ୟବସ୍ଥା କରିବାକୁ ଆୟୋଗ କହିଛନ୍ତି। ଯେଉଁ ଅଞ୍ଚଳରେ ଏଟିଏସ୍ କ୍ଷତି ଅଧିକ ରହୁଛି ସେଠାରେ କେବଳ ଉପଭୋକ୍ତାଙ୍କର ସ୍ମାର୍ଟ ମିଟର ସହ ଫିଡର ଓ ଟ୍ରାନ୍ସଫର୍ମରର ସ୍ମାର୍ଟ ମିଟରିଂ କରିବାକୁ କୁହାଯାଇଛି। ସ୍ମାର୍ଟ ମିଟରଗୁଡ଼ିକର ତୃତୀୟ ପକ୍ଷ ଦ୍ବାରା ସଫ୍ଟୱେର ଅଡିଟ୍ କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ବାରା ଲୋକଙ୍କର ଯେଉଁ ଧାରଣା ରହିଛି ଯେ ସ୍ମାର୍ଟ ମିଟରରେ ଅଧିକ ବିଲ୍ ଆସୁଛି ତାହା ସାମନାକୁ ଆସିବ।
ଶିଳ୍ପ ସଂସ୍ଥାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବିଜୁଳି ଟାରିଫ୍ରେ ବ୍ୟବସ୍ଥା ହୋଇଛି। ଯେଉଁ ସଂସ୍ଥାମାନେ ବ୍ୟବହାର କରୁଥିବା ବିଜୁଳିର ୮୦% ଅତିରିକ୍ତ ବ୍ୟବହାର କରିବେ ସେମାନଙ୍କୁ ବିଜୁଳି ବିଲ୍ରେ ୟୁନିଟ୍ ପିଛା ୨୦ ପଇସା ରିହାତି ଦିଆଯାଉଥିଲା। ଏବେ ତାହାକୁ ୩୦ ପଇସା କରାଯାଇଛି। ମେଗା ଲିଫ୍ଟ ଉପଭୋକ୍ତାଙ୍କ ପାଇଁ ମଧ୍ୟ ସୁବିଧା ରଖାଯାଇଛି। ସୋଲାର ଆୱାର (ସକାଳ ୮ଟାରୁ ଅପରାହ୍ଣ ୪ଟା) ମଧ୍ୟରେ ତାଙ୍କୁ ୟୁନିଟ୍ ପିଛା ୨ ପଇସା ରିହାତି ଦିଆଯିବ। ବିନା ସୋଲାର ଆୱାରରେ ୟୁନିଟ୍ ପିଛା ୧ ପଇସା ଲେଖାଏଁ ରିହାତି ମିଳିବ।



