
ଭୁବନେଶ୍ୱରର ସାନ୍ଧ୍ୟ ଆକାଶ ଆଜି ଗ୍ଲାମରର ରଙ୍ଗରେ ରଙ୍ଗୀନ ହେବାକୁ ଯାଉଛି। KIIT କ୍ରିକେଟ୍ ଷ୍ଟାଡିୟମର ଭବ୍ୟ ମଞ୍ଚରେ ଆଜି ଅନୁଷ୍ଠିତ ହେଉଛି ଫେମିନା ମିସ୍ ଇଣ୍ଡିଆ-୨୦୨୬ର ଗ୍ରାଣ୍ଡ ଫିନାଲେ। ପ୍ରଥମ ଥର ପାଇଁ ମୁମ୍ବାଇ ବାହାରେ ଏହି ‘ବିଗ୍ ଇଭେଣ୍ଟ’ ଓଡ଼ିଶାରେ ଆୟୋଜିତ ହେଉଥିବାରୁ ରାଜଧାନୀରେ ଏବେ ଉତ୍ସାହର ମାହୋଲ। ବଲିଉଡର ସଦାବାହାର ଅଭିନେତ୍ରୀ ଜିନତ ଅମାନଙ୍କ ଠାରୁ ଆରମ୍ଭ କରି ନେହା ଧୂପିଆ ଓ ମଧୁର ଭଣ୍ଡାରକରଙ୍କ ପର୍ଯ୍ୟନ୍ତ, ବିଟାଉନ୍ର ଦିଗ୍ଗଜମାନେ ଏବେ ଭୁବନେଶ୍ୱରରେ। ଯୁବପିଢ଼ିଙ୍କ ପ୍ରିୟ ଗାୟକ ଜୁବିନ୍ ନୌଟିୟାଲ ଏବଂ ଅଭିନେତା ଈଶାନ ଖଟ୍ଟର ନିଜର ପରଫରମାନ୍ସରେ ଆଜି ମଞ୍ଚ କମ୍ପାଇବେ।

ଏହି ପ୍ରତିଯୋଗିତାରେ ସାରା ଦେଶରୁ ଚୟନ ହୋଇଥିବା ୩୦ ଜଣ ସୁନ୍ଦରୀ ମୁକୁଟ ପାଇଁ ଲଢ଼ୁଥିବା ବେଳେ, ସମସ୍ତଙ୍କ ନଜର ଏବେ ଓଡ଼ିଶାର କନ୍ୟା ଆୟୁଷୀ ପଣ୍ଡାଙ୍କ ଉପରେ। ଘରୋଇ ମାଟିରେ ଆୟୁଷୀ ଇତିହାସ ରଚିବେ କି ନାହିଁ, ତାହା ଦେଖିବାକୁ ପୁରା ଓଡ଼ିଶା ଅପେକ୍ଷା କରିଛି। ପ୍ରାୟ ୧୫,୦୦୦ ଦର୍ଶକଙ୍କ ଉପସ୍ଥିତିରେ ଆଜି ରାତିରେ ଘୋଷଣା ହେବ ଦେଶର ନୂଆ ମିସ୍ ଇଣ୍ଡିଆଙ୍କ ନାମ। ଫ୍ୟାଶନ, ଆଭିଜାତ୍ୟ ଏବଂ ଆଧୁନିକତାର ଏହି ମହାକୁମ୍ଭ ଭୁବନେଶ୍ୱରକୁ ଆଜି ବିଶ୍ୱ ସ୍ତରରେ ଏକ ନୂଆ ପରିଚୟ ଦେବାକୁ ଯାଉଛି। ସୌନ୍ଦର୍ଯ୍ୟ ଓ ବୁଦ୍ଧିର ଏହି ଯୁଗଳବନ୍ଦୀରେ ଆଜି କିଏ ହେବେ ବିଜୟିନୀ, ତାହା ଉପରେ ଏବେ ପୁରା ଦେଶର ନଜର।
କେବଳ ସେତିକି ନୁହେଁ, ଏହି ମେଗା ଇଭେଣ୍ଟ ପାଇଁ ଭୁବନେଶ୍ୱର ଏବେ ସମ୍ପୂର୍ଣ୍ଣ ରୂପେ ସଜେଇ ହୋଇଛି। ଷ୍ଟାଡିୟମ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ, ଭିତରେ ଲାଇଟ୍ସ ଏବଂ ସାଉଣ୍ଡର ଜୁଗଳବନ୍ଦୀ ଦର୍ଶକଙ୍କୁ ଏକ ଭିନ୍ନ ଦୁନିଆକୁ ନେଇଯିବ। ପ୍ରତିଯୋଗୀମାନଙ୍କ ମଧ୍ୟରେ ଥିବା ଆତ୍ମବିଶ୍ୱାସ ଏବଂ ସେମାନଙ୍କର କଠିନ ପରିଶ୍ରମର ପରିଣାମ ଆଜି ଦେଖିବାକୁ ମିଳିବ।ଓଡ଼ିଶାର ସାଂସ୍କୃତିକ ପରମ୍ପରା ଏବଂ ଆଧୁନିକତାର ଏହି ଅପୂର୍ବ ମିଳନ ଇତିହାସର ପୃଷ୍ଠାରେ ଏକ ନୂଆ ଅଧ୍ୟାୟ ଯୋଡ଼ିବ। ସମସ୍ତଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ – ଆଜିର ରାତି କାହାର ହେବ? କିଏ ସେହି ଭାଗ୍ୟବତୀ ଯିଏ କ୍ରାଉନ୍ ପିନ୍ଧି ଭାରତର ପ୍ରତିନିଧିତ୍ୱ କରିବେ? ତେବେ ଆଉ କିଛି ସମୟର ଅପେକ୍ଷା, ଆଉ ତା’ପରେ ସାରା ବିଶ୍ୱ ଜାଣିବ କିଏ ହେଉଛନ୍ତି ଫେମିନା ମିସ୍ ଇଣ୍ଡିଆ-୨୦୨୬।



