Skip to main content

welcome to business breaking

BusinessBreaking - Responsive Header
Loading date... Loading time...
ଅକ୍ଟୋବର ୨୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

-ଖୋର୍ଦ୍ଧା ନିକଟସ୍ଥ ଭାରତୀୟ ରିଜର୍ଭ ବ୍ୟାଙ୍କର ଗ୍ରୀନ୍ ଫିଲ୍ଡ ଡାଟା ସେଣ୍ଟର ଓ ପ୍ରଶିକ୍ଷଣ ସଂସ୍ଥାର ଶୁଭ ଉଦ୍ଘାଟନ କରିବେ

-ଅକ୍ଟୋବର ୨୮ ଓ ୨୯ରେ ରାଷ୍ଟ୍ରପତିଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ

-ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି

-ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅକ୍ଟୋବର ୨୮ ଓ ୨୯ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ମୟୁରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ | ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୨୫ ତାରିଖରେ ଖୋର୍ଦ୍ଧା ନିକଟସ୍ଥ ଭାରତୀୟ ରିଜର୍ଭ ବ୍ୟାଙ୍କର ଡାଟା ସେଣ୍ଟର ଓ ପ୍ରଶିକ୍ଷଣ ସଂସ୍ଥାର ଶୁଭ ଉଦ୍ଘାଟନ କରି ପ୍ରତ୍ୟାବର୍ତ୍ତନ କରିବେ

ଏହି ପରିପ୍ରେକ୍ଷୀରେ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ରାଜ୍ୟ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଂଜନ କୁମାର ସିଂଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ସଚିବ, ରାଜ୍ୟ ପୁଲିସ୍ ମହା ନିର୍ଦ୍ଦେଶକ, ଭାରତୀୟ ରିଜର୍ଭ ବ୍ୟାଙ୍କର ପଦାଧିକାରୀ, ସଂପୃକ୍ତ ବିଭିନ୍ନ ସଂସ୍ଥାର କର୍ତ୍ତୃପକ୍ଷମାନେ ଉପସ୍ଥିତ ଥିଲେ | ଖୋର୍ଦ୍ଧା ଜିଲ୍ଲାପାଳ ବୈଠକରେ ଉପସ୍ଥିତ ଥିବାବେଳେ କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ, ଜିଲ୍ଲାପାଳ, ମୟୂରଭଞ୍ଜ ଏବଂ ଆରକ୍ଷୀ ଅଧୀକ୍ଷକ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ | ଗୃହ, ସୂଚନା ଓ ଲୋକସଂପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟସୂଚୀ ସଂପର୍କରେ ବିସ୍ତୃତ ଉପସ୍ଥାପନ କରିଥିଲେ |

ବୈଠକରୁ ପ୍ରାପ୍ତ ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଅକ୍ଟୋବର ୨୫ ଅପରାହ୍ନରେ ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସୂର୍ଯ୍ୟାସ୍ତ ପୂର୍ବରୁ ଖୋର୍ଦ୍ଧା ହେଲିପ୍ୟାଡରେ ପହଞ୍ଚିବେ | ସେଠାରୁ ସଡ଼କ ପଥରେ ଭାରତୀୟ ରିଜର୍ଭ ବ୍ୟାଙ୍କ, ଖୋର୍ଦ୍ଧା ଠାରେ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚି ଭାରତୀୟ ରିଜର୍ଭ ବ୍ୟାଙ୍କର ଗ୍ରୀନ୍ ଫିଲ୍ଡ ଡାଟା ସେଣ୍ଟର ଓ ପ୍ରଶିକ୍ଷଣ କେନ୍ଦ୍ରର ଶୁଭ ଉଦ୍ଘାଟନ କରିବେ | ସେଠାରେ ପ୍ରଧାନମନ୍ତ୍ରୀଙ୍କର ପ୍ରାୟ ୧ ଘଣ୍ଟା କାର୍ଯ୍ୟକ୍ରମ ରହିଛି । ପରେ ପ୍ରଧାନମନ୍ତ୍ରୀ ସଡ଼କ ପଥରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ସଂଧ୍ୟାରେ ପ୍ରତ୍ୟାବର୍ତ୍ତନ କରିବେ | ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରିପ୍ରେକ୍ଷୀରେ ପ୍ରସ୍ତୁତି ନେଇ ସୁରକ୍ଷା ବ୍ୟବସ୍ଥା, କାର୍କେଡ ପ୍ଲାନ୍, ଜରୁରିକାଳୀନ ଚିକିତ୍ସା ସେବା, ଆବଶ୍ୟକ ସଡ଼କ ମରାମତି, ପରିମଳ, ନିରବଚ୍ଛିନ୍ନ ବିଦ୍ୟୁତସେବା ଓ ପାନୀୟ ଜଳ ବ୍ୟବସ୍ଥା ମଞ୍ଚ ପ୍ରସ୍ତୁତି, ଗଣମାଧ୍ୟମକୁ ସମ୍ବାଦ ସରବରାହ ବ୍ୟବସ୍ଥା ଓ ଅନ୍ୟ ଆନୁଷଙ୍ଗିକ ପ୍ରସ୍ତୁତି ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା |

ସେହିପରି ରାଷ୍ଟପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଅକ୍ଟୋବର ୨୮ ଓ ୨୯ ତାରିଖରେ ଯୋଗଦେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ପ୍ରସ୍ତୁତି ନେଇ ଆଲୋଚନା କରାଯାଇଥିଲା | ରାଷ୍ଟ୍ରପତି ୨୮ ତାରିଖ ପୂର୍ବାହ୍ନରେ ପହଞ୍ଚି ଦାଣ୍ଡବୋଶ ଏୟାରପୋର୍ଟରୁ ସଡ଼କ ପଥରେ ଯାଇ ମୟୂରଭଞ୍ଜ ଜିଲ୍ଲା ବହଳଦା ସ୍ଥିତ ମା’ କୀଚକେଶ୍ୱରୀ ମନ୍ଦିର ପରିଦର୍ଶନ କରି ସେଠାରେ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି । ପରେ ସେ ରାଇରଙ୍ଗପୁର ମହୁଲଡିହାସ୍ଥିତ ଲକ୍ଷ୍ମୀ ମଣ୍ଡପରେ ପହଞ୍ଚି ପୂଜାର୍ଚ୍ଚନା କରିବେ । ସେଦିନ ଅପରାହ୍ନରେ ରାଷ୍ଟ୍ରପତି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରି ଅକ୍ଟୋବର ୨୪ ରୁ ୨୮ ତାରିଖ ପର୍ଯ୍ୟନ୍ତ ରାଇରଙ୍ଗପୁରଠାରେ ଅନୁଷ୍ଠିତ ମେଗା ସ୍ୱାସ୍ଥ୍ୟ ଶିବିରରେ ଯୋଗଦେଇଥିବା ଅଧିକାରୀ, ଷ୍ଟାଫ ଓ ହିତାଧିକାରୀଙ୍କୁ ସାକ୍ଷାତ କରିବେ |

୨୮ ତାରିଖ ଅପରାହ୍ଣରେ କଚେରୀ ରୋଡ୍, ରାଇରଙ୍ଗପୁରରେ ରାଷ୍ଟ୍ରପତି ଏକ ଜନସମାବେଶରେ ଯୋଗଦେଇ ଆଭାସୀ ମାଧ୍ୟମରେ ଆଇଆଇଏଫଏମ୍ (ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ ଅଫ ଫରେଷ୍ଟ ମ୍ୟାନେଜମେଣ୍ଟ) କ୍ୟାମ୍ପସର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଆହୁରି ମଧ୍ୟ ସେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ଅଧିନରେ ମଞ୍ଜୁରୀ ହୋଇଥିବା ‘ପ୍ରସାଦ’ ଯୋଜନାରେ ମା’ କୀଚକେଶ୍ୱରୀ ମନ୍ଦିର, ଖିଚିଂର ପୁନରୁଦ୍ଧାର ଓ ଉନ୍ନତିକରଣ ପାଇଁ ଶିଳାନ୍ୟାସ କରିବେ | ସେହିଦିନ ରାଷ୍ଟ୍ରପତି ମଧ୍ୟ ନବନିର୍ମିତ ରାଇରଙ୍ଗପୁର ଓ ବାଦାମ ପାହାଡ଼ ‘ଅମୃତ ଭାରତ’ ରେଲୱେ ଷ୍ଟେସନର ଉଦଘାଟନ କରିବା ସହିତ ରାଇରଙ୍ଗପୁର ଠାରେ ଗୋଶାଳା ଏବଂ ଆଦିବାସୀ ସାମାଜିକ ଶିକ୍ଷା ଓ ସାଂସ୍କୃତିକ ସଂଘ କୋଠାର ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଛି |

୨୯ ତାରିଖ ସକାଳେ ରାଷ୍ଟ୍ରପତି ସ୍ପୋର୍ଟସ କମ୍ପ୍ଲେକ୍ସ, ରାଇରଙ୍ଗପୁର, ବହୁମୁଖୀ-ଦକ୍ଷତା ବିକାଶ କେନ୍ଦ୍ର ଏବଂ ଗୋରୁ ମହିଷାଣୀ ଇସ୍ପାତ କଲେଜ ପରିଦର୍ଶନ କରିବେ । ପରେ ରାଇରଙ୍ଗପୁର ଟାଉନ ହଲ ଠାରେ ସ୍ୱାସ୍ଥ୍ୟ ବିଭାଗ ସଂପର୍କିତ ଆଲୋଚନା, ସଭା ଓ ସଚେତନତାମୂଳକ କାର୍ଯ୍ୟକ୍ରମରେ ଯୋଗଦେଇ ସେଦିନ ଅପରାହ୍ନରେ ପ୍ରତ୍ୟାବର୍ତ୍ତନ କରିବେ ।

ରାଷ୍ଟ୍ରପତିଙ୍କ ଗସ୍ତ ପରିପ୍ରେକ୍ଷୀରେ ସମସ୍ତ ଆନୁଷଙ୍ଗିକ ପ୍ରସ୍ତୁତି ନେଇ ମୁଖ୍ୟ ଶାସନ ସଚିବ ସଂପୃକ୍ତ ବିଭାଗୀୟ ସଚିବ, କେନ୍ଦ୍ରାଞ୍ଚଳ ଆରଡିସି, ଉଭୟ ଜିଲ୍ଲାର ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଏବଂ ରାଜ୍ୟସ୍ତରୀୟ ବରିଷ୍ଠ ଅଧିକାରୀମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ | ସମସ୍ତ ସଚିବ ଓ ଅଧିକାରୀମାନଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟସୂଚୀର ପ୍ରତ୍ୟେକ କାର୍ଯ୍ୟକୁ ନିର୍ଭୁଲ ଭାବେ ପରିଚାଳନା, ବ୍ୟକ୍ତିଗତ ଭାବେ ତଦାରଖ, ଅନୁଧ୍ୟାନ ଓ ପ୍ରସ୍ତୁତି କରିବାକୁ ମୁଖ୍ୟ ଶାସନ ସଚିବ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି | ଗସ୍ତ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ରାଜ୍ୟ ସ୍ୱରାଷ୍ଟ୍ର ବିଭାଗ ପକ୍ଷରୁ ଏକ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରିବ ବୋଲି ବୈଠକରେ ସୂଚନା ଦିଆଯାଇଛି ।

editor

Related Articles

Leave a Reply

Your email address will not be published. Required fields are marked *