REVENUE DEPT: ଲୋକାଭିମୁଖୀ ଲୋକସେବା ନିମନ୍ତେ ପ୍ରତିଜ୍ଞାବଦ୍ଧ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ

-ସମୀକ୍ଷା ବୈଠକରେ ରାଜସ୍ୱ ବିଭାଗର କାର୍ଯ୍ୟକାରିତା ସମ୍ପର୍କରେ ସବିଶେଷ ଆଲୋଚନା
-ଅନ୍ୟ ବିଭାଗମାନଙ୍କ ପାଇଁ ରାଜସ୍ୱ ବିଭାଗ ହେବ ଟ୍ରେଣ୍ଡସେଟର୍
ଲୋକସେବା ଭବନଠାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନବୀକୃତ ସମ୍ମିଳନୀ କକ୍ଷରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଭାଗର ବିଭିନ୍ନ ସଫଳତା, ପାରଦର୍ଶୀ କାର୍ଯ୍ୟକ୍ରମ ଏବଂ ଆଗାମୀ ଦିନମାନଙ୍କରେ ବିଭାଗର କାର୍ଯ୍ୟଧାରା ସମ୍ପର୍କରେ ଉପସ୍ଥାପନା ପ୍ରଦର୍ଶିତ ହୋଇଥିଲା l ଏଥିସହିତ ମନ୍ତ୍ରୀଙ୍କ ପରାମର୍ଶ ସହ ବିଭାଗର ବିଭିନ୍ନ ପ୍ରସଙ୍ଗରେ ସବିଶେଷ ଆଲୋଚନା ହୋଇଥିଲା l ଏହି ଅବସରରେ ବିଭାଗର ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ସମ୍ଵନ୍ଧରେ ସମୀକ୍ଷା କରି ରାଜସ୍ୱ ସେବାକୁ ଅଧିକ ଲୋକାଭିମୁଖୀ କରିବା ଦିଗରେ ମନ୍ତ୍ରୀ ଗୁରୁତ୍ଵାରୋପ କରିଛନ୍ତି l
ସୂଚନାଯୋଗ୍ୟ ଯେ, ଇତିମଧ୍ୟରେ କଲମ୍ ୨ ଖତିଆନ୍ ସଂଶୋଧନ ପ୍ରକ୍ରିୟାରେ ପ୍ରାୟ ୬୨,୨୫,୫୦୨ ଖାତାକୁ ସର୍ଭେ କରାଯାଇ ୫୮,୦୯,୭୨୨ଗୋଟି ଖାତାକୁ ସମ୍ପୂର୍ଣ ଭାବେ ପ୍ରଜା ଖାତା ସଂଶୋଧନ କରାଯାଇଅଛି l ଏହି ପ୍ରକ୍ରିୟାକୁ ସହଜ କରିବା ପାଇଁ ଏକ ମୋବାଇଲ୍ ଆପ୍ଲିକେସନର ମଧ୍ଯ ବିକାଶ କରାଯାଇଛି। ସବ୍-ପ୍ଲଟ୍ ରେଜିଷ୍ଟ୍ରେସନ୍ ପ୍ରକ୍ରିୟାକୁ ସରଳ ଓ ରାଜ୍ୟ ସାରା ସମାନ ରୂପ ଦେବା ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ଏସଓପି ଜାରି କରାଯାଇଛି। ଓଡ଼ିଶା ରାଇଟ୍ ଟୁ ପବ୍ଲିକ୍ ସର୍ଭିସେସ୍ (ORTPS) ଆଇନ୍ ଆଧାରରେ ଗତ ଆର୍ଥିକ ବର୍ଷରେ ୧ କୋଟିରୁ ଅଧିକ ସେବା ପ୍ରଦାନ କରାଯାଇଛି ; ଯେଉଁଥିରେ ଜମି ରେକର୍ଡ୍, ରେଜିଷ୍ଟ୍ରେସନ୍ ଓ ସାର୍ଟିଫିକେଟ୍ ସେବା ଅନ୍ତର୍ଭୁକ୍ତ।

ଡିଜିଟାଲ୍ ସେବା ପ୍ରଦାନକୁ ଅଧିକ ଫଳପ୍ରଦ କରିବା ଉଦ୍ଦେଶ୍ଯରେ ଆମ ସାଥୀ ୟୁନିଫାଏଡ୍ ହ୍ବାଟସଆପ୍ ଚାଟବଟ୍ରେ ୧୧ଟି ରାଜସ୍ୱ ସେବା ଯୋଡ଼ାଯାଇଛି, ଯାହା ଦ୍ୱାରା ନାଗରିକମାନେ ସହଜରେ ଘରେ ବସି ହାତପାହାନ୍ତାରେ ସେବା ପାଇପାରୁଛନ୍ତି l ସେହିପରି ସାଧାରଣ ଜନତାଙ୍କ ସୁବିଧା ପାଇଁ ୨୦୨୫-୨୬ ବର୍ଷରେ ୧୦୮ଟି ନୂତନ ସବ୍-ରେଜିଷ୍ଟ୍ରେସନ୍ କାର୍ଯ୍ୟାଳୟ ଖୋଲାଯାଇଛି। ଏହା ସହିତ ଅନଲାଇନ୍ ମାଧ୍ୟମରେ ସୀମା ନିର୍ଦ୍ଧାରଣ (ଡିମାର୍କେସନ୍) ସେବା ଆରମ୍ଭ ହୋଇଛି ; ଯାହା ଦ୍ୱାରା ନାଗରିକମାନେ ସ୍ଵଚ୍ଛ ପ୍ରକ୍ରିୟାରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଆବେଦନ କରି ସୁଫଳ ପାଇପାରୁଛନ୍ତି l ଡିଜିଟାଲ ପ୍ରଶାସନକୁ ଅଧିକ ସହଜଲବ୍ଧ କରିବା ଉଦ୍ଦେଶ୍ଯରେ “ଇ-ରେଜିଷ୍ଟ୍ରେସନ୍ ଓଡ଼ିଶା” ମୋବାଇଲ୍ ଆପ୍ ମାଧ୍ୟମରେ ଡକ୍ୟୁମେଣ୍ଟ ରେଜିଷ୍ଟ୍ରେସନ୍ ପାଇଁ ଅନଲାଇନ୍ ସ୍ଲଟ୍ ବୁକିଂ ଓ ଭାରମୁକ୍ତ ପ୍ରମାଣପତ୍ର (EC), ସାର୍ଟିଫାଏଡ୍ କପି (CC) ପରି ସେବା ଉପଲବ୍ଧ ହୋଇଛି। ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ୍ ବ୍ୟବସ୍ଥାର ସରଳୀକରଣ ଓ ଭୂମି ସଂଶୋଧନରେ ମଧ୍ୟ ଅନେକ ପ୍ରମୁଖ ପଦକ୍ଷେପ ଗ୍ରହଣ କରାଯାଇଛି। ଆପାର୍ଟମେଣ୍ଟରେ ଥିବା ସାଧାରଣ କ୍ଷେତ୍ର ଏବଂ ସୁବିଧା ଗୁଡି଼କର ପଞ୍ଜିକରଣ ପାଇଁ ଆସୋସିଏସନ୍ ଅଫ୍ ଆଲଟିଜଙ୍କୁ ମାତ୍ର ୫୦,୦୦୦ ଟଙ୍କା ଷ୍ଟାମ୍ପ ଦେୟ ଦେବାର ବ୍ଯବସ୍ଥା କରାଯାଇଛି l ସେହିପରି ବ୍ୟକ୍ତିଗତ ଆପାର୍ଟମେଣ୍ଟ୍ ୟୁନିଟ୍ ବିକ୍ରି ସମୟରେ ଆପାର୍ଟମେଣ୍ଟ ସହ ସାଧାରଣ କ୍ଷେତ୍ର ଏବଂ ଅସୁବିଧାଗୁଡ଼ିକ ଅବିଭକ୍ତ ଅଂଶ ଉପରେ ୫% ଷ୍ଟାମ୍ପ୍ ଦେୟ ନିମନ୍ତେ ବ୍ୟବସ୍ଥା ଗ୍ରହଣ କରାଯାଇଛି l
ଓଡ଼ିଶା ସର୍ଭେ ଏବଂ ବନ୍ଦୋବସ୍ତ ନିୟମ, ୧୯୬୨ରେ ସଂଶୋଧନ କରାଯାଇ ତହସିଲଦାରମାନଙ୍କୁ ବନ୍ଦୋବସ୍ତ ପୂର୍ବରୁ ହେଉଥିବା ଜମି କବଲାର ସଂଶୋଧନ ନିମନ୍ତେ ଅଧିକାର ପ୍ରଦାନ କରାଯାଇଛି l ଜମିଜମା ବିଭାଗୀକରଣକୁ ସୁବ୍ୟବସ୍ଥିତ କରାଯାଇ ପୂର୍ବରୁ ଥିବା ୭,୭୯୭ ପ୍ରକାରର ‘କିସମ’କୁ ମାତ୍ର ୨୨ଟିକୁ ହ୍ରାସ କରାଯାଇଛି। ସେହିପରି ୭୫୦ ପ୍ରକାରର ‘ସତ୍ତ୍ୱ’କୁ କମାଇ କେବଳ ୪ଟି ଯଥା ରୟତି/ସ୍ଥିତିବାନ୍, ପଟ୍ଟାଦାର, ଧର୍ମାନୁଷ୍ଠାନ ଏବଂ ଅମୃତମଣୋହିରେ ସୀମିତ ରଖାଯାଇଛି l ଏମଏସଏମଇ (MSME) ଏବଂ ଷ୍ଟାର୍ଟଅପ୍ମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଜମି କିସମ ପରିବର୍ତ୍ତନ ସମ୍ବନ୍ଧୀୟ ଅନୁମତିରୁ ଏସବୁକୁ ଛାଡ଼ ଦିଆଯାଇଛି l ୫୭ଟି ସ୍ଥାନର ଇଂରାଜୀ ନାମର ବନାନ୍ ସଂଶୋଧନ ପାଇଁ ସର୍ବସାଧାରଣଙ୍କ ମତାମତ ଆହ୍ଵାନ କରି ସୂଚନା ଜାରି କରାଯାଇଛି ; ଯେଉଁଥିରେ ବିଭିନ୍ନ ଜିଲ୍ଲା, ସଦର ମହକୁମା, ସବଡିଭିଜନ୍, ବ୍ଲକ୍ ଏବଂ ତହସିଲ୍ ସମ୍ପୃକ୍ତ ଅଛି l ଖୁବ୍ ଶୀଘ୍ର ଏ ସମ୍ପର୍କିତ ସମସ୍ତ ପ୍ରକ୍ରିୟା ସମାପ୍ତ ହୋଇ ଓଡ଼ିଆ ନାମ ଅନୁସାରେ ଇଂରାଜୀରେ ଶୁଦ୍ଧ ସଂଶୋଧିତ ନାମ ଗ୍ରହୀତ ହେବ l ଏଥି ସହିତ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ପୁରୀଙ୍କ ଜମିର ସୁରକ୍ଷା ଏବଂ ସୁପରିଚାଳନା ସୁନିଶ୍ଚିତ କରିବା ନିମନ୍ତେ ରାଜସ୍ୱ ବିଭାଗରେ ଏକ ସ୍ଵତନ୍ତ୍ର ଶ୍ରୀଜଗନ୍ନାଥ ମହାପ୍ରଭୁ ଜମି ଉପବିଭାଗ ଅବସ୍ଥାପିତ ହୋଇଛି l
ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ (ଓଏଏସ୍) ଏବଂ ଓଡ଼ିଶା ରାଜସ୍ୱ ସେବା ଅଧିକାରୀ (ଓଆରଏସ୍) ଅଧିକାରୀମାନଙ୍କ ପାଇଁ ନୂତନ ବଦଳି ନୀତି ଜାରି କରାଯାଇଛି, ଯାହା ପ୍ରଶାସନିକ କ୍ଷେତ୍ରରେ ସ୍ଵଚ୍ଛତା ଏବଂ ପାରଦର୍ଶିତାକୁ ବୃଦ୍ଧି କରିବ l ବସୁନ୍ଧରା ଯୋଜନା ଅଧୀନରେ ୨୮,୫୩୧ ବାସହୀନ ପରିବାରଙ୍କୁ ୪ ଡେସିମିଲ ଘରବାରି ପଟ୍ଟା ସହିତ ଜମି ପ୍ରଦାନ ଯୋଗାଇ ଦିଆଯାଇଛି l ଏଥିସହିତ ୨୫୬୪୩ ଟି ସରକାରୀ ଏବଂ ସରକାରୀ ସାହାଯ୍ୟପ୍ରାପ୍ତ ଶିକ୍ଷାନୁଷ୍ଠାନ ନାମରେ ପଟ୍ଟା ଜାରି କରାଯାଇଛି |
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସରକାରଙ୍କ ପ୍ରମୁଖ ବିଭାଗ ଭାବରେ ଲୋକସେବାକୁ ସ୍ଵଚ୍ଛ, ପାରଦର୍ଶୀ ଏବଂ ଲୋକାଭିମୁଖୀ କରିବା ଦିଗରେ ପ୍ରତିଜ୍ଞାବଦ୍ଧ ଭାବେ କାର୍ଯ୍ୟ କରୁଛି l ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ ଏବଂ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ l



