
-ପରିବହନ ସେବାରେ ଉନ୍ନତି ପାଇଁ ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ ସମ୍ପର୍କରେ ସୂଚନା ପ୍ରଦାନ
-ସଡ଼କ ସୁରକ୍ଷା ଦିଗରେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପ୍ରମୁଖ ଶାସନ ସଚିବ, ପରିବହନ ଆୟୁକ୍ତ ଦେଲେ ପରାମର୍ଶ
ରାଜ୍ୟରେ ଏକ ସୁରକ୍ଷିତ, ସୁସଂଗଠିତ ଏବଂ ପ୍ରଗତିଶୀଳ ପରିବହନ ସେବା ପ୍ରଦାନ କ୍ଷେତ୍ରରେ ବାଣିଜ୍ୟ ଓ ପରିବହନ ବିଭାଗର ଭୂମିକା ସମ୍ପର୍କରେ ସୂଚନା ଦେବା ପାଇଁ ଖାରବେଳ ଭବନଠାରେ ଆଇଏଏସ୍ ପ୍ରଶିକ୍ଷାର୍ଥୀମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଏନ୍.ବି.ଏସ୍. ରାଜପୁତ, ପରିବହନ ଆୟୁକ୍ତ ଅମିତାଭ ଠାକୁର, ଅତିରିକ୍ତ ପରିବହନ କମିଶନରଙ୍କ ସମେତ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଆଇଏଏସ୍ (IAS) ପ୍ରଶିକ୍ଷାର୍ଥୀମାନଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯାଇଥିଲା। ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ସମସ୍ତ ଅଧିକାରୀମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ସଡ଼କ ସୁରକ୍ଷା ପାଇଁ ପ୍ରଶାସନିକ ଦାୟିତ୍ୱବୋଧ ଜରୁରୀ ଏବଂ ଆଇଏଏସ୍ ପ୍ରଶିକ୍ଷାର୍ଥୀମାନେ ଲୋକଙ୍କୁ ଟ୍ରାଫିକ ନିୟମ ପାଳନ ପାଇଁ ପ୍ରୋତ୍ସାହିତ କରିବାକୁ ନୂଆ ନୂଆ ପ୍ରୟାସ କରିବା ଆବଶ୍ୟକ। ପରିବହନ ଆୟୁକ୍ତ ଅମିତାଭ ଠାକୁର କହିଥିଲେ ଯେ, ପ୍ରତିଦିନ ସଡ଼କ ଦୁର୍ଘଟଣାରେ ଅନେକ ଲୋକେ ପ୍ରାଣ ହରାଉଛନ୍ତି, ଦୁର୍ଘଟଣା ସଂଖ୍ୟା ହ୍ରାସ କରିବା ଦିଗରେ ଆମ ସମସ୍ତଙ୍କୁ ଏକାଠି ହେବାର ଆବଶ୍ୟକତା ରହିଛି, ଏହା ଏକ ସାମୁହିକ ପ୍ରଚେଷ୍ଟା ହେବା ଆବଶ୍ୟକ।
ଏହି ଅବସରରେ ଅତିରିକ୍ତ ପରିବହନ କମିଶନର (ସଡ଼କ ସୁରକ୍ଷା) ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ବିଭାଗ ପକ୍ଷରୁ ନିଆଯାଇଥିବା ଆଧୁନିକୀକରଣ ବ୍ୟବସ୍ଥା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ସେ ସ୍ୱୟଂକ୍ରିୟ ଯାନ ପରୀକ୍ଷଣ (ATS), ସ୍ୱୟଂକ୍ରିୟ ଯାନ ଚାଳନା ପରୀକ୍ଷା ବ୍ୟବସ୍ଥା (ADTS), ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ (IEMS), ପଞ୍ଜିକୃତ ଯାନ ସ୍କ୍ରାପିଂ କେନ୍ଦ୍ର (RVSF) ଏବଂ ଯାନ ଚାଳନା ପ୍ରଶିକ୍ଷଣ ଓ ଗବେଷଣା ପ୍ରତିଷ୍ଠାନ (IDTR) ଭଳି ପ୍ରମୁଖ ବ୍ୟବସ୍ଥା ସହିତ ସଡ଼କ ସୁରକ୍ଷା କ୍ଷେତ୍ରରେ ଉପଲବ୍ଧ ବିଭିନ୍ନ ଅନଲାଇନ୍ ସେବା ବିଷୟରେ ଜଣାଇଥିଲେ। ଏଥିସହିତ ଏନ୍ସିସି (NCC) କ୍ୟାଡେଟମାନଙ୍କ ପାଇଁ ‘ଜୁନିଆର ରକ୍ଷକ’ ତାଲିମ, ଗାଡ଼ି ଚାଳକମାନଙ୍କ ପାଇଁ ‘ସୁବାହକ’ ପ୍ରଶିକ୍ଷଣ ଏବଂ ସଡ଼କ ସୁରକ୍ଷା ଦିଗରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଓ ଏହାର ସଫଳ ଫଳାଫଳ ସମ୍ପର୍କରେ ସେ ଅବଗତ କରାଇଥିଲେ। ଓଏସଆରଟିସି (OSRTC) ପକ୍ଷରୁ କ୍ୟାସଲେସ୍ ଟିକେଟ୍ ବା ଅଟୋମେଟିକ୍ ଫେୟାର କଲେକ୍ସନ ସିଷ୍ଟମ, ଅଟଳ ବସ ଷ୍ଟାଣ୍ଡ ଏବଂ ମୁଖ୍ୟମନ୍ତ୍ରୀ ବସ୍ ସେବାର ସଫଳତା ଉପରେ ଆଲୋଚନା କରାଯିବା ସହ ବେସାମରିକ ବିମାନ ଚଳାଚଳ (Civil Aviation) କ୍ଷେତ୍ରରେ ରାଜ୍ୟରେ ଆଞ୍ଚଳିକ ଯୋଗାଯୋଗକୁ ସୁଦୃଢ଼ କରିବା ପାଇଁ ବି-ମାନ୍ ଯୋଜନା, ସିଭଲ୍ ଆଭିଏସନ ପଲିସି ଏବଂ ସ୍ମଲ ଏୟାରକ୍ରାଫ୍ଟ ସ୍କିମ୍ ଉପରେ ମଧ୍ୟ ସୂଚନା ପ୍ରଦାନ କରାଯାଇଥିଲା।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ଆଇଏଏସ୍ (IAS) ପ୍ରଶିକ୍ଷାର୍ଥୀମାନେ ସଡ଼କ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଦିଗ ଉପରେ ସକ୍ରିୟ ଆଲୋଚନା କରିବା ସହ ରାଜ୍ୟରେ ଉନ୍ନତ, ସୁଗମ ଏବଂ ସୁରକ୍ଷିତ ଯାତ୍ରା ଉପରେ ନିଜ ନିଜର ମୂଲ୍ୟବାନ ମତ ପ୍ରକାଶ କରିଥିଲେ।



