Responsive Image Link
Odisha
Trending

ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ

• ଏକା ସାଙ୍ଗରେ ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ
• ଚଳିତ ବର୍ଷ ପ୍ରଥମ ଥର ଉନ୍ନତି ପରୀକ୍ଷା ନେଇ ଘୋଷଣା
• ମୋଟ୍ ପାସ୍ ହାର ୮୫.୮୫ ପ୍ରତିଶତ

ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ । ଏକା ସାଙ୍ଗରେ ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି । ବୁଧବାର ଦିନ ସାଢ଼େ ୧୨ ଟା ସମୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ଘୋଷଣା କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଚଳିତ ବର୍ଷ ସମୁଦାୟ ପାସ୍ ହାର ୮୫.୮୫ ପ୍ରତିଶତ ରହିଛି । ସେହିପରି ବିଜ୍ଞାନରେ ପାସ୍ ହାର ୮୮.୮୨ ପ୍ରତିଶତ, କଳାରେ ୮୪.୫୦ ପ୍ରତିଶତ, ବାଣିଜ୍ୟରେ ପାସ୍ ହାର ୮୮.୦୭ ପ୍ରତିଶତ ଓ ଧନ୍ଦାମୂଳକ ଶିକ୍ଷାରେ ୭୭.୬୨ ପ୍ରତିଶତ ରହିଛି । ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷା ଫଳ https://results.odisha.gov.in ଏବଂ https://results.digilocker.gov.in ୱେବସାଇଟରେ ଜାଣିପାରିବେ ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଗଣ୍ଡ ଏକ ବିଶେଷ ଘୋଷଣା କରି ଚଳିତ ବର୍ଷ ଛାତ୍ରଛାତ୍ରୀମାନେ କୌଣସି ଗୋଟିଏ ବିଷୟରେ ଉନ୍ନତି (Improvement) ପରୀକ୍ଷା ଦେଇପାରିବେ ବୋଲି କହିଛନ୍ତି ଏଥିସହ ସ୍ବଚ୍ଛତା ସହକାରେ ପରୀକ୍ଷା ପରିଚାଳନା ନେଇ ଖୁସି ବ୍ୟକ୍ତ କରିଛନ୍ତି । କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀଙ୍କ ସମେତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆୟୁକ୍ତ ତଥା ଶାସନ ସଚିବ ଡ଼ା ଏନ୍.ତିରୁମାଲା ନାୟକ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ମୃଣାଳ କାନ୍ତି ଦାସ, ବିଭାଗର ସ୍ବତନ୍ତ୍ର ଶାସନ ସଚିବ ଲୋପାମୁଦ୍ରା ମହାନ୍ତି, ପରୀକ୍ଷା ନିୟନ୍ତ୍ରକ ଡ଼ ପ୍ରଶାନ୍ତ କୁମାର ପରିଡ଼ା, ମାଧ୍ୟମିକ ଶିକ୍ଷା ପରିଷଦର ସଚିବ ଶୁଭ୍ରାବାଳା ବେହେରା ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଉଭୟ ରେଗୁଲାର୍‌ ଓ ଏକ୍ସ-ରେଗୁଲାର୍‌ ବର୍ଗରେ ମୋଟ୍‌ ୩ ଲକ୍ଷ ୯୮ ହଜାର ୯୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୩ ଲକ୍ଷ ୪୧ ହଜାର ୭୮୧ ଛାତ୍ରଛାତ୍ରୀ ପାସ୍ ହୋଇଛନ୍ତି । କଳାରେ ୨ ଲକ୍ଷ ୧୪ ହଜାର ୭୩୮ ଜଣ ପିଲା ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବିଜ୍ଞାନରେ ୧ ଲକ୍ଷ ୧୧ ହଜାର ୪, ବାଣିଜ୍ୟରେ ୨୧ ହଜାର ୩୯୩ ଓ ଧନ୍ଦାମୂଳକ ଶିକ୍ଷାରେ ୪ ହଜାର ୫୪୬ ଜଣ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି ।

ପାସ୍ ହାର
ବିଜ୍ଞାନ- ୮୮.୮୨ ପ୍ରତିଶତ
କଳା- ୮୪.୫୦ ପ୍ରତିଶତ
ବାଣିଜ୍ୟ- ୮୮.୦୭ ପ୍ରତିଶତ
ଧନ୍ଦାମୂଳକ- ୭୭.୬୨ ପ୍ରତିଶତ

କଳାରେ ସମ୍ବଲପୁର ଜିଲ୍ଲା ୮୯.୪୮ ପ୍ରତିଶତରେ ସର୍ବାଧିକ ଉତ୍ତୀର୍ଣ୍ଣ ହାର ଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ସର୍ବନିମ୍ନ ୭୭.୧୪ ପ୍ରତିଶତ ରହିଛି । ବିଜ୍ଞାନରେ ବାଲେଶ୍ଵର ଜିଲ୍ଲା ୯୬.୬୩ ପ୍ରତିଶତରେ ସର୍ବାଧିକ ଉତ୍ତୀର୍ଣ୍ଣ ହାର ଥିବା ବେଳେ କୋରାପୁଟ ଜିଲ୍ଲାରେ ସର୍ବନିମ୍ନ ୭୭.୧୪ ପ୍ରତିଶତ ରହିଛି । ବାଣିଜ୍ୟରେ ବୌଦ୍ଧ ଜିଲ୍ଲା ୧୦୦ ପ୍ରତିଶତରେ ସର୍ବାଧିକ ଉତ୍ତୀର୍ଣ୍ଣ ହାର ଥିବା ବେଳେ ବଲାଙ୍ଗୀର ଜିଲ୍ଲାରେ ସର୍ବନିମ୍ନ ୭୭.୨୫ ପ୍ରତିଶତ ଉତ୍ତୀର୍ଣ୍ଣ ହାର ରହିଛି । ଧନ୍ଦାମୂଳକ ଶିକ୍ଷାରେ ନବରଙ୍ଗପୁର ଜିଲ୍ଲା ୧୦୦ ପ୍ରତିଶତରେ ସର୍ବାଧିକ ଉତ୍ତୀର୍ଣ୍ଣ ହାର ଥିବା ବେଳେ ମାଲକାନଗିରି ଜିଲ୍ଲା ସର୍ବନିମ୍ନ ୫୫.୨୨ ପ୍ରତିଶତ ରହିଛି ।

ସୂଚନାନୁସାରେ, ମଇ ୨୧ ତାରିଖରୁ ଡିଜି ଲକର୍ ରୁ ମାର୍କସିଟ୍ ଡାଉନଲୋଡ୍ କରିପାରିବେ ଛାତ୍ରଛାତ୍ରୀ । ଏଥିସହ ଜୁନ୍ ୧୫ ତାରିଖରୁ ମାର୍କସିଟ୍ ର ହାର୍ଡ କପି ନିଜ ନିଜ ଶିକ୍ଷାନୁଷ୍ଠାନରୁ ପାଇପାରିବେ । ଜୁଲାଇ ପ୍ରଥମ ସପ୍ତାହରେ ଇନଷ୍ଟାଣ୍ଟ ପରୀକ୍ଷା ଓ ଉନ୍ନତି (Improvement) ପରୀକ୍ଷା ପାଇଁ ଆବେଦନ କରିପାରିବେ, ଏଥିନିମନ୍ତେ ମଇ ୨୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । https://results.odisha.gov.in ଏବଂ https://results.digilocker.gov.in ୱେବସାଇଟ୍ ମାଧ୍ୟମରେ ରୋଲ୍ ନମ୍ବର ଓ ପଞ୍ଜୀକରଣ ନମ୍ବର ଦେଇ ମାର୍କସିଟ୍ ଡାଉନଲୋଡ୍ କରିପାରିବେ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button