
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ୭ଟି ବିଭାଗର ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଥିବାବେଳେ ଏଥିରେ ଆଇନ ବିଭାଗର ଉପରୋକ୍ତ ପ୍ରସ୍ତାବ ସମେତ ୩ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଅପ୍ରୟୋଜନୀୟ ଓ ଅପ୍ରଚଳିତ ହୋଇପଡ଼ିଥିବା ୩୫୮ଟି ଅଧିନିୟମ (ଆଇନ)କୁ ବିଲୋପ କରିଦିଆଯାଇଛି। ଏ ସଂକ୍ରାନ୍ତରେ ଆଇନ ବିଭାଗ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ୧୯୭୪ରୁ ୨୦୨୫ ମଧ୍ୟରେ ରାଜ୍ୟ ବିଧାନସଭା ଦ୍ବାରା ପ୍ରଣୀତ ୩୫୮ଟି ଅଧିନିୟମକୁ ବିଲୋପ କରିବାକୁ ଓଡ଼ିଶା ରାଜ୍ୟ ଆଇନ ଆୟୋଗ ନିକଟରେ ଆଇନ ବିଭାଗକୁ ସୁପାରିସ କରିଥିଲା। ଏହାକୁ କାର୍ଯ୍ୟକାରୀ କରିବାକୁ ଆଇନ ବିଭାଗ ପକ୍ଷରୁ ଓଡ଼ିଶା ବିଲୋପ ବିଲ୍-୨୦୨୬ ଅଣାଯାଇଛି।
କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ସଚିବ ଅନୁ ଗର୍ଗ ଗଣମାଧ୍ୟମକୁ ସମ୍ବୋଧନ କରି କହିଛନ୍ତି ଯେ ଏହି ୩୫୮ଟି ଅଧିନିୟମଗୁଡ଼ିକରେ ଅଧିକାଂଶ ସଂଶୋଧନ ଅଧିନିୟମ ଅଟେ। ସେଗୁଡ଼ିକ କାର୍ଯ୍ୟକାରୀ ହେବା ପରେ ସେମାନଙ୍କ ଦ୍ବାରା କରାଯାଇଥିବା ସଂଶୋଧନ ସମ୍ବନ୍ଧିତ ମୂଳ ଅଧିନିୟମରେ ସମାବେଶ ହୋଇଯାଏ। ତେଣୁ ଏହି ଅଧିନିୟମଗୁଡ଼ିକୁ ଆଉ ଆଇନ ପୁସ୍ତକରେ ରଖିବାର କୌଣସି ଆବଶ୍ୟକତା ନାହିଁ। ସେହିପରି କିଛି ଅଧିନିୟମ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ପାଇଁ ଏକକାଳୀନ ବ୍ୟବସ୍ଥା ଭାବେ ପ୍ରଣୀତ ହୋଇଥିଲା, ଯାହା କାର୍ଯ୍ୟକାରୀ ହେବା ପରେ ତା’ର ଆବଶ୍ୟକତା ହରାଇଦିଏ। ଓଡ଼ିଶା ରାଜ୍ୟ ଆଇନ ଆୟୋଗ ଚଳିତ ବର୍ଷ ଏପ୍ରିଲ ୬ ଓ ୩୦ତାରିଖରେ ଦେଇଥିବା ରିପୋର୍ଟ ମାଧ୍ୟମରେ ଅନ୍ୟାନ୍ୟ ବିଷୟ ସହିତ ଏହି ୩୫୮ଟି ଅଧିନିୟମକୁ ବିଲୋପ କରିବାକୁ ସୁପରିସ କରିଥିଲେ। ଏହାଦ୍ବାରା ଲୋକଙ୍କ ମନରୁ ଭ୍ରମ ଦୂର ହେବା ସହ ଆଇନ ପୁସ୍ତକର ଭାର କମିବ ବୋଲି କୁହାଯାଇଛି।
ଓଡ଼ିଶା ଜିଲ୍ଲା ଏବଂ ସିଭିଲ୍ କୋର୍ଟର ଅଣ-ନ୍ୟାୟିକ କର୍ମଚାରୀ ସେବା (ନିଯୁକ୍ତି ପ୍ରଣାଳୀ ଏବଂ ସେବା ସର୍ତ୍ତାବଳୀ) ନିୟମାବଳୀ ୨୦୦୮ର ସଂଶୋଧନ ମାଧ୍ୟମରେ ଗ୍ରୁପ୍-ଡି କର୍ମଚାରୀମାନଙ୍କୁ ଜୁନିଅର କ୍ଲର୍କ ପଦବିକୁ ପଦୋନ୍ନତି ପାଇବାର ସୁଯୋଗ ଦିଆଯାଇଛି। ଏହାସହ ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଦୃଷ୍ଟିରେ ରଖି ଉଚ୍ଚ ନ୍ୟାୟାଳୟ ଏବଂ ଜିଲ୍ଲା ନ୍ୟାୟାଳୟଗୁଡ଼ିକରେ କୋର୍ଟ ମ୍ୟାନେଜରଙ୍କ ସେବାକୁ ନିୟମିତୀକରଣ ପାଇଁ ଏକ ନୂତନ ନିୟମାବଳୀ ପ୍ରଣୟନ କରିବାକୁ ନିଷ୍ପତ୍ତି ହୋଇଛି।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରସ୍ତାବକୁ ବିଚାର କରି କ୍ୟାବିନେଟ୍ ‘ଓଡ଼ିଶା ହାଇସ୍ପିଡ ଡିଜେଲ ଡିଲର୍ସ ଲାଇସେନ୍ସ ଆଦେଶ, ୧୯୭୯’ କୁ ରଦ୍ଦ କରିବା ପାଇଁ ‘ଓଡ଼ିଶା ହାଇସ୍ପିଡ ଡିଜେଲ ଡିଲର୍ସ ଲାଇସେନ୍ସ ରିପିଲ୍, ୨୦୨୬’ ନାମକ ଏକ ନୂତନ ଅଧିସୂଚନାକୁ ଅନୁମୋଦନ ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ ରାଜ୍ୟରେ ହାଇସ୍ପିଡ ଡିଜେଲର ବିକ୍ରୟ ଓ ବିତରଣକୁ ନିୟନ୍ତ୍ରଣ କରିବା ନିମନ୍ତେ ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମ ୧୯୫୫ ଅନୁଯାୟୀ, ରାଜ୍ୟ ସରକାର ପୂର୍ବରୁ ‘ଓଡ଼ିଶା ହାଇସ୍ପିଡ ଡିଜେଲ ଡିଲର୍ସ ଲାଇସେନ୍ସ ଆଦେଶ, ୧୯୭୯’ ଲାଗୁ କରିଥିଲେ। ଏବେ ବ୍ୟବସାୟିକ କାରବାରକୁ ସହଜ କରିବା ଓ ଏହାର କାର୍ଯ୍ୟ ପ୍ରଣାଳୀର ବିଳମ୍ୱତାକୁ ହ୍ରାସ କରିବା ଉଦ୍ଦେଶ୍ୟରେ, କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ, ଖୁଚୁରା ବିକ୍ରୟ ପାଇଁ ଥିବା ଲାଇସେନ୍ସ ବ୍ୟବସ୍ଥାକୁ ରଦ୍ଦ କରିବାକୁ ସମସ୍ତ ରାଜ୍ୟକୁ ପରାମର୍ଶ ଦେଇଛନ୍ତି। ଏହା ଦ୍ବାରା ରିଟେଲ ଆଉଟଲେଟ୍ ସ୍ଥାପନ କରିବା ନିମନ୍ତେ ଜିଲ୍ଲାପାଳଙ୍କ ଠାରୁ ଏନ୍ଓସି ଆଣିବାକୁ ପଡ଼ିବନି।
ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଆସିଥିବା ପ୍ରସ୍ତାବ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟଧରା ନିୟନ୍ତ୍ରଣ ଆଇନ, ୧୯୮୨କୁ ଉଚ୍ଛେଦ କରି ନୂତନ ଓଡ଼ିଶା ସାମୁଦ୍ରିକ ମତ୍ସ୍ୟଧରା ନିୟନ୍ତ୍ରଣ ଅଧିନିୟମ,୨୦୨୬ ପ୍ରଣୟନ କରିବା ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି। ପୁରୁଣା ଆଇନରେ ସାମୁଦ୍ରିକ ସମ୍ପଦର ସଂରକ୍ଷଣ, ମତ୍ସ୍ୟଜୀବୀଙ୍କ ସୁରକ୍ଷା, ଉପକୂଳ ନିରାପତ୍ତା, ବୈଷୟିକ ପ୍ରଗତି, ବିଦେଶୀ ମାଛଧରା ଡଙ୍ଗାର ଅନଧିକୃତ ପ୍ରବେଶ ରୋକିବା ଭଳି ପର୍ଯ୍ୟାପ୍ତ ସୁବିଧା ନଥିଲା। ଏହି ନୂତନ ଆଇନରେ ଉପକୂଳବର୍ତ୍ତୀ ସମ୍ପ୍ରଦାୟର ସୁରକ୍ଷା, ତଟୀୟ ଓ ଜାତୀୟ ନିରାପତ୍ତାକୁ ଉଚ୍ଚପ୍ରାଥମିକତା ଦିଆଯାଇଛି। ଆଇନରେ ଟ୍ରାନ୍ସପଣ୍ଡର, ଭିଏଚ୍ଏଫ୍ ରେଡିଓ ଏବଂ ଭେସେଲ୍ ଟ୍ରାକିଂ ଆଣ୍ଡ ମନିଟରିଂ ସିଷ୍ଟମ (ଭିଟିଏମ୍ଏସ୍) ସମେତ ଆଧୁନିକ ନିରାପତ୍ତା ଉପକରଣ ଏବଂ ଯୋଗାଯୋଗ ଜ୍ଞାନକୌଶଳର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ମତ୍ସ୍ୟଜୀବୀଙ୍କ ପାଇଁ ବାଧ୍ୟତାମୂଳକ ବାୟୋମେଟ୍ରିକ/ କ୍ୟୁଆର୍ କୋଡ୍ ଯୁକ୍ତ ଆଧାର ପରିଚୟପତ୍ର ଏବଂ ଉନ୍ନତ ବୀମା କଭରେଜ୍ ବ୍ୟବସ୍ଥା କରାଯାଇଛି। ଏହି ନୂତନ ଆଇନ ବଳରେ ୨୦୩୬ ସୁଦ୍ଧା ସାମୁଦ୍ରିକ ମତ୍ସ୍ୟ କ୍ଷେତ୍ରକୁ ସମ୍ପ୍ରସାରିତ କରି ୨୫ହଜାର କୋଟି ଟଙ୍କାର ସାମୁଦ୍ରିକ ଖାଦ୍ୟ ରତ୍ପାନି ଲକ୍ଷ୍ୟ ହାସଲ କରାଯାଇପାରିବ ବୋଲି ଲକ୍ଷ୍ୟ ରଖାଯାଇଛି।



