Skip to main content

welcome to business breaking

BusinessBreaking - Responsive Header
Loading date... Loading time...
TOURISM: ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାରେ ପ୍ରଥମ ତୀର୍ଥଯାତ୍ରାର ଶୁଭାରମ୍ଭ

ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଏବଂ ଓଏସଆରଟିସି (OSRTC)ର ମିଳିତ ସହଯୋଗରେ କାର୍ଯ୍ୟକାରୀ ହେଉଥିବା ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ଅନ୍ତର୍ଗତ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତୀର୍ଥଯାତ୍ରାର ଶୁଭାରମ୍ଭ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଭାସୀ ମାଧ୍ୟମରେ ଏହାର ଶୁଭାରମ୍ଭ କରିଛନ୍ତି। ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ୯୧୦ ଜଣ ବରିଷ୍ଠ ତୀର୍ଥଯାତ୍ରୀଙ୍କୁ ପୁରୀ ଧାମ ଯାତ୍ରାରେ ଆସିଛନ୍ତି।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପ୍ରତି ଓଡ଼ିଆଙ୍କ ମନରେ ଥିବା ଆଧ୍ୟାତ୍ମିକ ଆକାଂକ୍ଷାକୁ ପୂରଣ କରିବା ହେଉଛି ଲୋକଙ୍କ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରୟାସରେ ରାଜ୍ୟର ବରିଷ୍ଠ ନାଗରିକମାନଙ୍କୁ ଶ୍ରୀକ୍ଷେତ୍ର ଦର୍ଶନ କରାଇବାର ଏହି ପବିତ୍ର ସୁଯୋଗ ସୃଷ୍ଟି ହୋଇଛି। ତୀର୍ଥଯାତ୍ରୀମାନେ ପୁରୀସ୍ଥିତ ‘ବୃନ୍ଦାବତୀ ନିବାସ’ରେ ରହିବା ସହ ସେମାନଙ୍କ ପାଇଁ ସୁରକ୍ଷିତ ଯାତ୍ରା, ସ୍ୱାସ୍ଥ୍ୟ ପରୀକ୍ଷା, ମହାପ୍ରସାଦ ସେବନ ଏବଂ ସ୍ୱତନ୍ତ୍ର ଦର୍ଶନର ଭବ୍ୟ ବ୍ୟବସ୍ଥା କରାଯାଇଛି।

ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଏହି ଯୋଜନା ଅନ୍ତର୍ଗତ ପ୍ରଥମ ପର୍ଯ୍ୟାୟରେ ୨୦ ସେପ୍ଟେମ୍ବରରୁ ୧୭ ଅକ୍ଟୋବର ମଧ୍ୟରେ ୧୩ ଟି ଜିଲ୍ଲାରୁ ମୋଟ ୧୦,୪୩୪ ଜଣ ତୀର୍ଥଯାତ୍ରୀଙ୍କ ପାଇଁ ପୁରୀ ଦର୍ଶନର ବ୍ୟବସ୍ଥା କରାଯାଇଛି। ପ୍ରଥମ ଯାତ୍ରାରେ ମୋଟ ୯୧୦ ଜଣ ତୀର୍ଥଯାତ୍ରୀ ସାମିଲ ଥିବା ବେଳେ, ସେଥିମଧ୍ୟରୁ ମାଲକାନଗିରିରୁ ୪୯୦ ଜଣ, କୋରାପୁଟରୁ ୨୧୦ ଜଣ ଏବଂ ନବରଙ୍ଗପୁରରୁ ୨୧୦ ଜଣ ତୀର୍ଥଯାତ୍ରୀ ରହିଛନ୍ତି। ପ୍ରତି ବସରେ, ୩୫ ଜଣ ତୀର୍ଥଯାତ୍ରୀମାନଙ୍କ ସହ ୩ ଜଣ ଏସ୍କର୍ଟ ଅଧିକାରୀ ଏବଂ ୧ ଜଣ ପାରାମେଡିକାଲ ଷ୍ଟାଫ୍ ଯାତ୍ରୀମାନଙ୍କର ସୁବିଧା ଓ ସ୍ୱାସ୍ଥ୍ୟର ତଦାରଖ କରୁଛନ୍ତି।

ଏହି ଯୋଜନା ମଧ୍ୟରେ ୧ ଲକ୍ଷ ବରିଷ୍ଠ ନାଗରିକଙ୍କୁ ଶ୍ରୀମନ୍ଦିର ଦର୍ଶନ କରାଇବାର ଲକ୍ଷ୍ୟ ରଖାଯାଇଥିବାବେଳେ ଚଳିତ ବର୍ଷ ୩୦,୦୦୦ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଉଛି। ଏହି ଯୋଜନା ଅଧୀନରେ ନିଜ ପଞ୍ଚାୟତରୁ ଜିଲ୍ଲା ସଦର ମହକୁମା ଓ ସେଠାରୁ ସ୍ୱତନ୍ତ୍ର ବସ୍ ଯୋଗେ ପୁରୀ ଯାତ୍ରା, ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, ଦୈନିକ ୪ ଥର ନିରାମିଷ ଭୋଜନ, ସ୍ୱତନ୍ତ୍ର କିଟ୍ ବ୍ୟାଗ୍ ଏବଂ ବୃନ୍ଦାବତୀ ନିବାସରେ ମହାପ୍ରସାଦ ସେବନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଅଛି।

ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ବଲବନ୍ତ ସିଂହ, ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ଅତିରିକ୍ତ ସଚିବ ରୁଦ୍ର ପ୍ରସନ୍ନ ସାହୁ ଏବଂ ଓଏସଆରଟିସିର ମହାପ୍ରବନ୍ଧକ ଦେବବ୍ରତ ମଲ୍ଲିକ ଉପସ୍ଥିତ ଥିଲେ | ଏହାସହିତ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, କୋରାପୁଟ ବିଧାୟକ ରଘୁରାମ ମାଛ ସମେତ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ, ପ୍ରଶାସନିକ ଅଧିକାରୀ, ଓଏସଆରଟିସି ଓ ପର୍ଯ୍ୟଟନ ବିଭାଗର କର୍ମଚାରୀ ଏବଂ ତୀର୍ଥଯାତ୍ରୀମାନେ ଆଭାସୀ ମାଧ୍ୟମରେ ଉପସ୍ଥିତ ଥିଲେ।

administrator

Related Articles

Leave a Reply

Your email address will not be published. Required fields are marked *