Skip to main content

welcome to business breaking

Loading date... | Loading time...
Top Stories
ପୁରୀର ବିକାଶ ପ୍ରକଳ୍ପ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ବିମାନବନ୍ଦର, ମନ୍ଦିର, ବେଳାଭୂମି ଓ ରାସ୍ତା ଉନ୍ନତିକୁ ଗୁରୁତ୍ୱ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନଠାରେ ପୁରୀ ଜିଲ୍ଲାର ବିଭିନ୍ନ ବିକାଶମୂଳକ ଓ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି | ଏହି ସମୀକ୍ଷା ବୈଠକରେ ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ କାର୍ଯ୍ୟ, ରଘୁନନ୍ଦନ ପାଠାଗାରର ପୁନଃନିର୍ମାଣ ଏବଂ ଶ୍ରୀଜଗନ୍ନାଥ ଇଣ୍ଟରପ୍ରିଟେସନ୍ ସେଣ୍ଟର ସ୍ଥାପନ କାର୍ଯ୍ୟ, ପର୍ଯ୍ୟଟକଙ୍କ ଆକର୍ଷଣ ପାଇଁ ନୂତନ ପ୍ରମୋଦ ଉଦ୍ୟାନ ନିର୍ମାଣ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଶ୍ରୀଗୁଣ୍ଡିଚା ମନ୍ଦିରର ସର୍ବାଙ୍ଗୀନ ବିକାଶ ସହ ମହାପ୍ରସାଦ ରନ୍ଧନ ପାଇଁ ଏକ ସମ୍ପୂର୍ଣ୍ଣ ନୂତନ ରୋଷଶାଳା ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଶ୍ରୀମନ୍ଦିର ବଡ଼ଦାଣ୍ଡରୁ ହଟାଯାଇଥିବା ଉଠା ଦୋକାନୀମାନଙ୍କୁ ଶ୍ରୀସେତୁ ନିକଟରେ ଜରୁରୀକାଳୀନ ଭିତ୍ତିରେ ତୁରନ୍ତ ଥଇଥାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସାକ୍ଷୀଗୋପାଳର ପ୍ରସିଦ୍ଧ ଗୋପାଳଜୀଉ ମନ୍ଦିର, ଅତିବଡ଼ୀ ଜଗନ୍ନାଥ ଦାସଙ୍କ ସାତଲହଡ଼ି ମଠ ସମେତ ପୁରୀର ବିଭିନ୍ନ ପ୍ରସିଦ୍ଧ ମଠ ଏବଂ କାକଟପୁରର ମାଆ ମଙ୍ଗଳା ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ରାସ୍ତା ସଂଯୋଗୀକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ।

ସତ୍ୟବାଦୀ ବନବିଦ୍ୟାଳୟକୁ ପୁରାତନ ଗୁରୁକୁଳ ଶିକ୍ଷା ପଦ୍ଧତି ଆଧାରରେ ପୁନରୁଦ୍ଧାର କରାଯିବା ସହ ବକୁଳବନର ପୁନରୁଦ୍ଧାର କରାଯାଉଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ଐତିହାସିକ ଅଠରନଳା ନିକଟରେ ଏକ ଆଇକନିକ୍ ହେରିଟେଜ୍ ବ୍ରିଜ୍‌ର ପୁନଃନିର୍ମାଣ, ଅନ୍ନପୂର୍ଣ୍ଣା ଥିଏଟରର ପୁନଃବିକାଶ, ପୁରୀ ବେଳାଭୂମିର ସୌନ୍ଦର୍ଯ୍ୟକରଣ, ସନ୍ଧ୍ୟା ଆଳତି, ମହାପ୍ରଭୁଙ୍କ ‘ସାଗର ବିଜେ’ ନୀତିର ସୁପରିଚାଳନା ଏବଂ ସ୍ୱର୍ଗଦ୍ୱାରର ସାମଗ୍ରିକ ଉନ୍ନତିକରଣ ନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ଯୋଗାଯୋଗ ଓ ଭିତ୍ତିଭୂମି କ୍ଷେତ୍ରରେ ପୁରୀରୁ ବ୍ରହ୍ମଗିରି, ପୁରୀରୁ କୋଣାର୍କ ଏବଂ ପୁରୀ-ଭୁବନେଶ୍ୱର ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ଉପରେ ବୈଠକରେ ଚର୍ଚ୍ଚା ହୋଇଥିଲା। ଏହାବ୍ୟତୀତ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ, ବ୍ଲୁ ଫ୍ଲାଗ୍ ବିଚ୍, ଅସ୍ତରଙ୍ଗ ବନ୍ଦର ଏବଂ କୋଣାର୍କ ମନ୍ଦିର ସଂଲଗ୍ନ ପ୍ରକଳ୍ପଗୁଡ଼ିକର ବିସ୍ତୃତ ସମୀକ୍ଷା କରାଯାଇଥିଲା।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ , ଉନ୍ନୟନ କମିଶନର ଡି.କେ ସିଂହ , ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଏବଂ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ ପ୍ରମୁଖ ଉପସ୍ଥିତ ରହି ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।

editor

Related Articles

Leave a Reply

Your email address will not be published. Required fields are marked *