India
ଜୁନ୍ ୬ ବିକ୍ଷୋଭ ପାଇଁ CJP ର ମାର୍ଗଦର୍ଶିକା: ଜାତୀୟ ପତାକା ଧରିବା, ଭିଡିଓ ରେକର୍ଡ କରିବା ଏବଂ ପୋଲିସକୁ ସୂଚନା ଦେବା ପାଇଁ ଅପିଲ୍

ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଶନିବାର (ଜୁନ୍ ୬) ହେବାକୁ ଥିବା ଆନ୍ଦୋଳନ ପୂର୍ବରୁ ଶୁକ୍ରବାର ଦିନ ‘କକ୍ରୋଚ୍ ଜନତା ପାର୍ଟି’ (CJP) ପକ୍ଷରୁ କେତେକ ଦିଶାନିର୍ଦ୍ଦେଶ ବା ଗାଇଡ୍ଲାଇନ୍ ଜାରି କରାଯାଇଛି। NEET-UG ୨୦୨୬ ଏବଂ CBSE ପରୀକ୍ଷାରେ ହୋଇଥିବା କଥିତ ଅନିୟମିତତା ବିରୋଧରେ ଏହି ପ୍ରତିବାଦର ଡାକରା ଦିଆଯାଇଛି। ପାର୍ଟି ପକ୍ଷରୁ ସମର୍ଥକମାନଙ୍କୁ ସକାଳ ୯:୦୦ ଟାରେ ପାର୍ଲାମେଣ୍ଟ ଷ୍ଟ୍ରିଟ୍ ପୋଲିସ ଷ୍ଟେସନ ନିକଟରେ ଏକତ୍ରିତ ହେବାକୁ କୁହାଯାଇଛି, ଯେଉଁଠାରୁ ସେମାନେ ଜନ୍ତର ମନ୍ତରଠାରେ ପ୍ରସ୍ତାବିତ “ଶାନ୍ତିପୂର୍ଣ୍ଣ ବିକ୍ଷୋଭ” ପ୍ରଦର୍ଶନ ପାଇଁ ଅନୁମତି ମାଗିବେ।
ବିକ୍ଷୋଭକାରୀଙ୍କ ପାଇଁ ଜାରି ହୋଇଥିବା ମୁଖ୍ୟ ଗାଇଡ୍ଲାଇନ୍ (Dos & Don’ts):
- ଜାତୀୟ ପତାକା ଓ ବହି ଧରିବା: ସମସ୍ତ ସମର୍ଥକଙ୍କୁ ନିଜ ସହିତ ତ୍ରିରଙ୍ଗା ପତାକା ଏବଂ ଏକ ବହି ଆଣିବାକୁ କୁହାଯାଇଛି, ଯାହା ଶିକ୍ଷାର ଅଧିକାର ଓ ସମାନ ସୁଯୋଗର ପ୍ରତୀକ ଅଟେ।
- ଭିଡିଓ ରେକର୍ଡିଂ: ବିକ୍ଷୋଭ ପ୍ରଦର୍ଶନକୁ ଶାନ୍ତିପୂର୍ଣ୍ଣ ଏବଂ ଦାୟିତ୍ୱବାନ ଭାବେ ନିଜ ମୋବାଇଲ୍ରେ ରେକର୍ଡ ବା ଡକ୍ୟୁମେଣ୍ଟ କରିବାକୁ ପରାମର୍ଶ ଦିଆଯାଇଛି।
- ଅସାମାଜିକ ତତ୍ତ୍ୱଙ୍କ ଉପରେ ନଜର: ଯଦି କେହି ବିକ୍ଷୋଭ ସମୟରେ ଗଣ୍ଡଗୋଳ କରିବାକୁ ଚେଷ୍ଟା କରନ୍ତି, ତେବେ ତୁରନ୍ତ ସେ ବିଷୟରେ ପୋଲିସକୁ ଜଣାଇବାକୁ କୁହାଯାଇଛି।
- ପୋଲିସକୁ ସମ୍ମାନ: ପାର୍ଟି କହିଛି ଯେ ପୋଲିସ କର୍ମଚାରୀଙ୍କ ଉପରକୁ ଫୁଲ ଫିଙ୍ଗିବା ବଦଳରେ ସେମାନଙ୍କୁ ସମ୍ମାନର ସହ ଫୁଲ ଦେଇ ଯୁବପିଢ଼ିଙ୍କ ଭବିଷ୍ୟତର ସୁରକ୍ଷା ପାଇଁ ଧନ୍ୟବାଦ ଜଣାନ୍ତୁ।
- ଖରା ପାଇଁ ପ୍ରସ୍ତୁତି: ଗରମକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ପ୍ରଚୁର ପାଣି ପିଇବା, ସାଙ୍ଗରେ ଟୋପି (Cap) ଆଣିବା ଏବଂ ସନସ୍କ୍ରିନ୍ (Sunscreen) ଲଗାଇ ଆସିବାକୁ କୁହାଯାଇଛି। ଏହା ସହ ଘରୁ ଖାଇକରି ଆସିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।
- ଉତ୍ତେଜିତ ନହେବା: କୌଣସି ପ୍ରକାରର ପ୍ରତିକୂଳ ଟିପ୍ପଣୀ ବା ଉସକାନିମୂଳକ କଥାରେ ନପଡ଼ିବାକୁ ସମର୍ଥକମାନଙ୍କୁ ସତର୍କ କରାଯାଇଛି।



