Skip to main content

welcome to business breaking

BusinessBreaking - Responsive Header
Loading date... Loading time...
FOREST & ENVIRONMENT DEPT: ୪୩ତମ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପ୍ରତିଷ୍ଠା ଦିବସ

ଓଡ଼ିଶା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ୪୩ ତମ ପ୍ରତିଷ୍ଠା ଦିବସ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପ୍ରାଙ୍ଗଣ, ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଯୋଗଦେଇ “ଝାରସୁଗୁଡ଼ା ଜିଲ୍ଲାରେ ଫ୍ଲାଏ ଆସ୍ ନିଷ୍କାସନର ପ୍ରଶାସନିକ ବ୍ୟବସ୍ଥା – ସମସ୍ୟା, ପ୍ରବର୍ତ୍ତନ ବ୍ୟବସ୍ଥା ଏବଂ ଆଗାମୀ ପନ୍ଥା” ଶୀର୍ଷକ ଏକ ବିସ୍ତୃତ ଉପସ୍ଥାପନା ପ୍ରଦାନ କରିଥିଲେ। ଝାରସୁଗୁଡ଼ା ଭଳି ଶିଳ୍ପପ୍ରଧାନ ଜିଲ୍ଲାରେ ପାଉଁଶ ଉତ୍ପାଦନ, ପରିବହନ, ସଦୁପଯୋଗ ତଥା ଏହାର ପରିବେଶ ଅନୁକୂଳ ନିଷ୍କାସନ କ୍ଷେତ୍ରରେ ଥିବା ପ୍ରମୁଖ ଆହ୍ୱାନଗୁଡ଼ିକୁ ସେ ଉପସ୍ଥାପନ କରିବା ସହ ପ୍ରଶାସନିକ ତଦାରଖ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ।

ଉପସ୍ଥାପନା ମାଧ୍ୟମରେ ଜିଲ୍ଲାପାଳ ବେଆଇନ ଫ୍ଲାଏ ଆସ୍ ଡମ୍ପିଂ, ପରିବହନ ବେଳେ ଉଡ଼ୁଥିବା ଧୂଳିରୁ ହେଉଥିବା ପ୍ରଦୂଷଣ ଏବଂ ନିୟମିତ ତଦାରଖର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ନିର୍ଦ୍ଧାରିତ ପରିବେଶ ନିୟମାବଳୀର ସଠିକ୍ ଅନୁପାଳନ ସୁନିଶ୍ଚିତ କରିବା ପାଇଁ ଶିଳ୍ପ ସଂସ୍ଥା, ନିୟାମକ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନ ମଧ୍ୟରେ ଉତ୍ତମ ସମନ୍ୱୟ ରହିବା ନିତାନ୍ତ ଜରୁରୀ ବୋଲି ସେ ଦର୍ଶାଇଥିଲେ। ଏହା ସହିତ ଜିଲ୍ଲା ପ୍ରଶାସନ ତଥା ନିୟାମକ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିଆଯାଉଥିବା ବିଭିନ୍ନ କଠୋର ପ୍ରବର୍ତ୍ତନ ବ୍ୟବସ୍ଥା ସମ୍ପର୍କରେ ବର୍ଣ୍ଣନା କରିବା ସହ ଫ୍ଲାଏ ଆସ୍ ବୋଝେଇ ଯାନଗୁଡ଼ିକର ଟ୍ରାକିଂ, ଓଭରଲୋଡିଂ ଏବଂ ପରିବହନ ସମୟରେ ପାଉଁଶ ଖସିବାକୁ ରୋକିବା ଉପରେ ଶ୍ରୀ ଚହ୍ବାଣ ଗୁରୁତ୍ବ ଦେଇଥିଲେ। ପାରମ୍ପରିକ ନିଷ୍କାସନ ପଦ୍ଧତିରୁ ବାହାରି ଫ୍ଲାଏ ଆସର ବ୍ୟାପକ ସଦୁପଯୋଗ, ବୈଜ୍ଞାନିକ ତଥା ପରିବେଶ-ଉପଯୋଗୀ ପରିଚାଳନା ପାଇଁ ‘ଆଗାମୀ ପନ୍ଥା’ର ଏକ ଖସଡ଼ା ମଧ୍ୟ ସେ ଉପସ୍ଥାପନ କରିଥିଲେ।

ଏହି ସମାରୋହରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମେମ୍ବର ସେକ୍ରେଟାରୀ, ଆଇଆଇଟି ଖଡ଼ଗପୁରର ପ୍ରଫେସର ଡ. ତାପସ କୁମାର ଗୁପ୍ତା, ବରିଷ୍ଠ ପରିବେଶ ଇଞ୍ଜିନିୟର ଦିଲୀପ କୁମାର ଦାସ ଏବଂ ଅତିରିକ୍ତ ମୁଖ୍ୟ ପରିବେଶ ବୈଜ୍ଞାନିକ ଡ. ଅନୁପ କୁମାର ମଲ୍ଲିକ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଉପସ୍ଥିତ ଥିଲେ। ଏଥିରେ ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରତିନିଧି, ବୋର୍ଡର ବରିଷ୍ଠ ଅଧିକାରୀ, ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ।

administrator

Related Articles

Leave a Reply

Your email address will not be published. Required fields are marked *