Responsive Image Link
Department
Trending

REVENUE: ହରିଦାସପୁର–ବିଜୟନଗରମ୍ ଚତୁର୍ଥ ରେଳପଥ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା

ଭୂମି ଅଧିଗ୍ରହଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ସହ ପୁନର୍ବାସ ଓ ଥଇଥାନକୁ ସୁନିଶ୍ଚିତ କରିବା ନିମନ୍ତେ ରାଜସ୍ୱ ସଚିବଙ୍କ ନିର୍ଦ୍ଦେଶ

ଓଡ଼ିଶା ଓ ଆନ୍ଧ୍ରପ୍ରଦେଶକୁ ସଂଯୋଗ କରୁଥିବା ଗୁରୁତ୍ୱପୂର୍ଣ୍ଣ ହରିଦାସପୁର ଜଙ୍କସନ୍–ନିର୍ଗୁଣ୍ଡି ଜଙ୍କସନ୍ ଏବଂ କଟକ ଜଙ୍କସନ୍–ବିଜୟନଗରମ ଜଙ୍କସନ୍ ମଧ୍ୟରେ ୪୪୦.୧୬ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଚତୁର୍ଥ ରେଳପଥ ନିର୍ମାଣ ପ୍ରକଳ୍ପ ସମ୍ପର୍କରେ ଲୋକସେବା ଭବନଠାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରକଳ୍ପର ଭୂମି ଅଧିଗ୍ରହଣ ଏବଂ ଅନ୍ୟାନ୍ୟ ରାଜସ୍ୱ ସମ୍ବନ୍ଧୀୟ ପ୍ରସଙ୍ଗଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା କରି ପ୍ରଭାବିତ ଲୋକଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ ପୁନର୍ବାସ ଓ ଥଇଥାନ ସୁନିଶ୍ଚିତ କରିବା ନିମନ୍ତେ ରାଜସ୍ୱ ସଚିବ ଡ. ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ l

ପ୍ରାୟ ୭,୬୮୩.୭୯ କୋଟି ଟଙ୍କା ବ୍ୟୟରେ ପ୍ରସ୍ତାବିତ ଏହି ପ୍ରକଳ୍ପ ପୂର୍ବତଟ ରେଳପଥ ଅଧୀନରେ କାର୍ଯ୍ୟକାରୀ ହେବ। ଏହା ଦେଶର ବ୍ୟସ୍ତତମ ହାୱଡା–ଚେନ୍ନାଇ ରେଳ କରିଡରରେ ରେଳ ଚଳାଚଳ କ୍ଷମତା ବୃଦ୍ଧି, ମାଲବାହୀ ପରିବହନର ସୁବିଧା ଓ ଯାତ୍ରୀବାହୀ ଟ୍ରେନ୍‌ର ସମୟାନୁବର୍ତ୍ତିତା ସୁନିଶ୍ଚିତ କରିବାରେ ସହାୟକ ହେବ। ପ୍ରକଳ୍ପ ମାଧ୍ୟମରେ ଓଡ଼ିଶାର ଖଣିଜ ଓ ଶିଳ୍ପ କ୍ଷେତ୍ରକୁ ବଡ଼ ଧରଣର ସୁବିଧା ମିଳିବ। କୋଇଲା, ଲୁହାପଥର, ବକ୍ସାଇଟ୍‌, ଇସ୍ପାତ ଓ ଆଲୁମିନିୟମ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ଖଣିଜ ଓ ଶିଳ୍ପ ଉତ୍ପାଦର ପରିବହନ ଅଧିକ ସୁଗମ ହେବ। ଧାମରା, ପାରାଦୀପ ଓ ଗୋପାଳପୁର ବନ୍ଦର ସହ ସଂଯୋଗ ସୁଦୃଢ଼ ହେବା ସହ ରାଜ୍ୟର ଶିଳ୍ପାୟନ ଓ ଅର୍ଥନୈତିକ ବିକାଶକୁ ଏହା ନୂତନ ଗତି ପ୍ରଦାନ କରିବ।

ଓଡ଼ିଶା ଅଧୀନରେ ଯାଜପୁର, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ ମୋଟ ୧୦୨.୬୪୪ ହେକ୍ଟର ଜମି ଅଧିଗ୍ରହଣର ଆବଶ୍ୟକତା ରହିଛି। ସେଥିମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ୪୪.୫୭୬ ହେକ୍ଟର ଏବଂ ଗଞ୍ଜାମ ଜିଲ୍ଲାରେ ୫୫.୪୬୨ ହେକ୍ଟର ଜମି ଅଧିଗ୍ରହଣ କରାଯିବ। ପ୍ରକଳ୍ପ ପାଇଁ ରାଜ୍ୟରେ ପ୍ରାୟ ୪୫୨ଟି ଘର ପ୍ରଭାବିତ ହେବାର ସମ୍ଭାବନା ରହିଛି, ଯାହା ମଧ୍ୟରୁ ଖୋର୍ଦ୍ଧାରେ ୧୩୬ ଓ ଗଞ୍ଜାମରେ ୩୧୬ ଘର ଅନ୍ତର୍ଭୁକ୍ତ। ବୈଠକରେ ଭୂମି ଅଧିଗ୍ରହଣ ମାମଲାର ଶୀଘ୍ର ନିଷ୍ପତ୍ତି, କ୍ଷତିପୂରଣ ନିର୍ଦ୍ଧାରଣ, ଜଙ୍ଗଲ ଜମି ଅନୁମୋଦନ ପ୍ରକ୍ରିୟା ଓ ପୁନର୍ବାସ କାର୍ଯ୍ୟକୁ ସରକାରୀ ନିୟମାବଳୀ ଅନୁଯାୟୀ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ପ୍ରଭାବିତ ପରିବାରମାନଙ୍କ ସ୍ୱାର୍ଥ ସୁରକ୍ଷିତ ରଖି ନିର୍ବିଘ୍ନରେ ଜମି ହସ୍ତାନ୍ତର କରିବା ପାଇଁ ଜିଲ୍ଲା ପ୍ରଶାସନ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ମଧ୍ୟରେ ନିବିଡ଼ ସମନ୍ୱୟ ରଖିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ l ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ରେଳ ଯାତାୟତ କ୍ଷମତା ବୃଦ୍ଧି ପାଇବା ସହ ରାଜ୍ୟର ଶିଳ୍ପ, ବାଣିଜ୍ୟ, ପର୍ଯ୍ୟଟନ ଏବଂ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଏହାର ଉଲ୍ଲେଖନୀୟ ଯୋଗଦାନ ରହିବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା।

Show More

Related Articles

Leave a Reply

Your email address will not be published. Required fields are marked *

Back to top button