HANDLOOM & TEXTILES DEPT: ଶ୍ରୀମନ୍ଦିର ପ୍ରଶାସନକୁ ପଠାଗଲା ୩୮୦ କିଲୋଗ୍ରାମ ବାସୁଙ୍ଗା ପାଟ

ବିଗ୍ରହମାନଙ୍କ ବିଜୟ ଡୋରୀ, ପଇତା, ରାକ୍ଷୀ ପ୍ରସ୍ତୁତିରେ ବ୍ୟବହାର ହୁଏ
ମଲବେରୀ ରେଶମରୁ ପ୍ରସ୍ତୁତ ହୁଏ, କଇଥ ଫଳର ଅଠାରେ ରଙ୍ଗ ଦିଆଯାଏ
୧୯୮୧ ମସିହାରୁ ସେରିଫେଡ୍ ଯୋଗାଇ ଆସୁଛି ବାସୁଙ୍ଗା ପାଟ
ଭୁବନେଶ୍ଵର ଶହୀଦ ନଗରସ୍ଥିତ ଓଡିଶା ସମବାୟ ଟସର ଓ ରେଶମ ମହାସଂଘ (ସେରିଫେଡ୍) କାର୍ଯ୍ୟାଳୟ ପରିସରରୁ ୩୮୦ କିଲୋଗ୍ରାମ ବାସୁଙ୍ଗା ପାଟ ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରେରଣ କରାଯାଇଛି । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ପତାକା ଦେଖାଇ ଏହାର ପ୍ରେରଣ କରିଥିଲେ । ପୂଜାର୍ଚ୍ଚନା କରି ବାସୁଙ୍ଗା ପାଟ ଶ୍ରୀମନ୍ଦିର ପ୍ରଶାସନକୁ ଏହା ପଠା ଯାଇଥିଲା |

ବାସୁଙ୍ଗା ପାଟ ହେଉଛି ଅତ୍ୟନ୍ତ ଶକ୍ତିଶାଳୀ ପବିତ୍ର ରେଶମ ଡୋର ଯାହା ଚତୁର୍ଦ୍ଧାମୁରତୀଙ୍କ ରଥଯାତ୍ରା ଓ ଅନ୍ୟାନ୍ୟ ପର୍ବପର୍ବାଣୀରେ ବ୍ୟବହୃତ ହୋଇଥାଏ । ଶ୍ରୀମନ୍ଦିରରେ ବିଗ୍ରହମାନଙ୍କର ବିଜୟ ଡୋରୀ, ପଇତା, ରାକ୍ଷୀ ଆଦି ତିଆରି କରିବାରେ ଏହାର ବ୍ୟବହାର ହୋଇଥାଏ । ୧୯୮୧ ମସିହାରୁ ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ ସେରିଫେଡ୍ ବାସୁଙ୍ଗା ପାଟ ଯୋଗାଇ ଆସୁଛି । ଚଳିତବର୍ଷ ୩୮୦ କିଲୋଗ୍ରାମ ବାସୁଙ୍ଗା ପାଟ ଯୋଗାଇ ଦିଆଯାଇଛି । ଏହି ବାସୁଙ୍ଗା ପାଟ ମଲବେରୀ ରେଶମ କୋଷାରୁ ପ୍ରସ୍ତୁତ କରାଯାଇଥାଏ । ଏହା ମୁଖ୍ୟତଃ ଗଜପତି ଜିଲ୍ଲାର ମୋହନା ଏବଂ ଆର. ଉଦୟଗିରୀ ବ୍ଲକର ଜନଜାତି ରେଶମ ଚାଷୀଙ୍କ ଦ୍ଵାରା ଉତ୍ପାଦିତ ହୋଇଥାଏ । କୋରାପୁଟ ଜିଲ୍ଲାରୁ ସଂଗୃହୀତ କଇଥ ଫଳର ଅଠା ଲଗାଯାଇ ଏହାକୁ ରଙ୍ଗାୟିତ କରାଯାଇଥାଏ । ଏହି କୋଷାଗୁଡିକୁ ସେରିଫେଡ ଦ୍ଵାରା ସଂଗ୍ରହ କରାଯାଇ କଟକ ଜିଲ୍ଲାର ନୂଆପାଟଣା ସ୍ଥିତ Silk Production & Technical Upgradation Centre ଠାରେ ପ୍ରକ୍ରିୟାକରଣ କରାଯାଏ । ଏହି ବାସୁଙ୍ଗା ପାଟକୁ କେବଳ ଶ୍ରୀମନ୍ଦିରର ଧାର୍ମିକ କାର୍ଯ୍ୟ ପାଇଁ ପ୍ରସ୍ତୁତ କରାଯାଉଥିବା ବେଳେ ଏହାର କୌଣସି ବାଣିଜ୍ୟିକ ବ୍ୟବହାର କରାଯାଇନଥାଏ ।
ଏହି କାର୍ଯ୍ୟକ୍ରମରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପର ଆୟୁକ୍ତ ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର, , ଅତିରିକ୍ତ ନିର୍ଦ୍ଦେଶକ (ରେଶମ) ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, ସେରିଫେଡ୍ ସଭାପତି ଭାଗୀରଥି ନନ୍ଦ, ସମ୍ପାଦକ ସଂଗୀତା ମିଞ୍ଜ ପ୍ରମୁଖ ଉପସ୍ଥିତ ଥିଲେ ।



