
ରାଜ୍ୟ ଅତିଥି ଭବନରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରଶାସନର କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରାଯାଇଛି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ, ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କ ସମେତ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ, ପୁରୀ ସାଂସଦ ଡ଼. ସମ୍ବିତ ପାତ୍ର, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଡ଼ଃ ଅରବିନ୍ଦ ପାଢ଼ୀ, ଆଇନ୍ ବିଭାଗର ପ୍ରମୁଖ ଶାସନ ସଚିବ ଡ଼ଃ ପବିତ୍ର ମୋହନ ସାମଲ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଖୁବଶୀଘ୍ର ଆରମ୍ଭ ହେବ ଧାଡ଼ି ଦର୍ଶନ | ପ୍ରତିଦିନ କେତେ ସଂଖ୍ୟାରେ ଭକ୍ତ ଆସୁଛନ୍ତି, ଯାତାୟାତ ପ୍ରକ୍ରିୟା କଣ ରହିବ, ଧାଡ଼ି ଦର୍ଶନ ହେଲେ ପ୍ରତିଦିନ ଗୋଟିଏ ଗୋଟିଏ ରାମ୍ପ କେତେ ଭକ୍ତ ଦର୍ଶନ କରି ବାହାରି ପାରିବେ, କେତେ ସମୟ ହେଲେ ଦର୍ଶନ କରି ଭକ୍ତମାନେ ପୁନର୍ବାର ରାମ୍ପ୍କୁ ଓହ୍ଲାଇ ପାରିବେ ସେ ନେଇ ବୈଷୟିକ ସହାୟତା (ଟେକ୍ନିକାଲ ଆସିଷ୍ଟାନ୍ସ) ପାଇଁ ଭୁବନେଶ୍ୱର ଆଇଆଇଟିର ସହଯୋଗ ନିଆଯାଇଥିଲା । ଏହା ସହ ମହାପ୍ରଭୁଙ୍କ ଭୋଗ ଯିବା ସମୟରେ ମଝି ରାସ୍ତା ଖାଲି ହେବା ଦରକାର । ସେଥିପାଇଁ ରାମ୍ପ୍କୁ ବାହାର କରିବାକୁ ସମୟ ଲାଗୁଥିଲା । ଏଥିପାଇଁ ବି ଆଇଆଇଟି ବିକଳ୍ପ ପ୍ଲାନ୍ ଦେଇଛି । ୫ ମିନିଟ ଭିତରେ ସବୁ ରାମ୍ପ ଖାଲି ହୋଇଯିବା ସହ ମଝିରେ ବାଟ ରହୁଛି । ସୁରୁଖୁରୁରେ ନୀତିକାନ୍ତିରେ ଅସୁବିଧା ନ ହେବା ସହ ଭକ୍ତଙ୍କ ସୁବିଧା ଦୃଷ୍ଟିରୁ ପ୍ଲାନ୍ ପ୍ରସ୍ତୁତ ହୋଇଛି । ପାଇଲଟ ମଡ୍ୟୁଲ ଅନୁମୋଦନ ହେବା ପରେ ଏହି ବ୍ୟବସ୍ଥା ଆରମ୍ଭ ହେବ ବୋଲି ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ।



