Responsive Image Link
Odisha
Trending

ରାଜ୍ୟରେ ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ରେଳ ଅଡ଼ିଟୋରିଅମଠାରେ କମିଶନରେଟ୍ ପୋଲିସ ପକ୍ଷରୁ ଆୟୋଜିତ ଜନସଚେତନତା କାର୍ଯ୍ୟକ୍ରମ ‘ଜୀବନ ଜିନ୍ଦାବାଦ- ୨.୦’ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟରୁ ନିଶାକୁ ମୂଳପୋଛ କରିବା ପାଇଁ ଦୃଢ଼ ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କମିଶନରେଟ୍ ପୋଲିସର ‘ନିଶାମୁକ୍ତ ଭାରତ’ ସମ୍ବନ୍ଧୀୟ ଏକ ସ୍ୱତନ୍ତ୍ର ୱେବସାଇଟ୍ର ଶୁଭାରମ୍ଭ କରିଥିଲେ | ନିଶା କେବଳ ବ୍ୟକ୍ତିଗତ ଜୀବନକୁ ନୁହେଁ, ବରଂ ସମଗ୍ର ପରିବାର ଓ ସମାଜକୁ ବରବାଦ କରିଦେଉଛି ବୋଲି ମତପ୍ରକାଶ କରି ମୁଖ୍ୟମନ୍ତ୍ରୀ ରାଜ୍ୟସରକାରଙ୍କ ପକ୍ଷରୁ ନିଶା ବିରୁଦ୍ଧରେ ‘ଜିରୋ ଟଲରେନ୍ସ’ ନୀତି ଜାରି ରହିଥିବା ସ୍ପଷ୍ଟ କରିଛନ୍ତି । ମାନବ ଜୀବନକୁ ଇଶ୍ୱରଙ୍କ ଏକ ଅମୂଲ୍ୟ ବରଦାନ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜୀବନରେ ଯେତେ ବାଧାବିଘ୍ନ ଓ ବିଫଳତା ଆସିଲେ ମଧ୍ୟ ସେଗୁଡ଼ିକୁ ସାମ୍ନା କରି ଆଗକୁ ବଢ଼ିବା ହେଉଛି ପ୍ରକୃତ ଜୀବନ । ଗତ ବର୍ଷ ଆରମ୍ଭ ହୋଇଥିବା ‘ଜୀବନ ଜିନ୍ଦାବାଦ’ ଅଭିଯାନ ଆତ୍ମହତ୍ୟା ପ୍ରବୃତ୍ତିକୁ ରୋକିବାରେ ବଡ଼ ସଫଳତା ଦେଇଥିବାବେଳେ, ବର୍ତ୍ତମାନର ‘ଜୀବନ ଜିନ୍ଦାବାଦ ୨.୦’ ଯୁବବର୍ଗଙ୍କୁ ନିଶାରୁ ଦୂରେଇ ରଖି ଶିକ୍ଷା, କ୍ରୀଡ଼ା ଓ ସୃଜନଶୀଳତା ଆଡ଼କୁ ଆକର୍ଷିତ କରିବାର ଏକ ବ୍ୟାପକ ପ୍ରୟାସ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ଏହି ଅବସରରେ ରାଜ୍ୟର ପ୍ରତିଷ୍ଠିତ କଳାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ‘ଜୀବନ ଜିନ୍ଦାବାଦ’, ‘ନିଶାମୁକ୍ତ ଯୁବସମାଜ ବିକଶିତ ଭାରତ’ ଏବଂ ସଚେତନମୂଳକ ନାଟକ ‘ଭୂତ ମଣିଷର ନିଶାକୁ ନା’ ମଞ୍ଚସ୍ଥ ହୋଇଥିଲା। ଏହି ସମସ୍ତ ନାଟକ ଓ ନୃତ୍ୟ ପ୍ରଦର୍ଶନଗୁଡ଼ିକର ଭୂୟସୀ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ନାଟକଗୁଡ଼ିକରୁ ପ୍ରତ୍ୟେକେ ଜୀବନ ଜିଇଁବାର ପ୍ରକୃତ ଶିକ୍ଷା ନେବା ଉଚିତ। ସାମ୍ପ୍ରତିକ ପରିସ୍ଥିତିରେ ଅଧିକାଂଶ ଜଘନ୍ୟ ଅପରାଧ ଓ ମହିଳା ହିଂସା ପଛରେ ନିଶା ସେବନ ମୁଖ୍ୟ କାରଣ ପାଲଟିଥିବା ନେଇ ଗଭୀର ଚିନ୍ତା ପ୍ରକଟ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦେଶରେ ପ୍ରତିବର୍ଷ କେବଳ ମଦ୍ୟପାନ କାରଣରୁ ପ୍ରାୟ ୨ ଲକ୍ଷ ୬୦ ହଜାରରୁ ୨ ଲକ୍ଷ ୮୦ ହଜାର ବ୍ୟକ୍ତିଙ୍କ ମୃତ୍ୟୁ ହେଉଛି। ମଦ୍ୟପାନ କରି ଗାଡ଼ି ଚଳାଇ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ତାଲିକାରେ ଓଡ଼ିଶା ଦ୍ଵିତୀୟ ସ୍ଥାନରେ ରହିବା ଅତ୍ୟନ୍ତ ଚିନ୍ତାଜନକ ବୋଲି ସେ ସ୍ୱୀକାର କରିଛନ୍ତି।

ରାଜ୍ୟ ସରକାରଙ୍କ ଗ୍ରହଣ କରାଯାଇଥିବା ବିଭିନ୍ନ ଦୃଢ଼ ପଦକ୍ଷେପଗୁଡ଼ିକୁ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ଜଣାଇଲେ ଯେ ଗତ ଏପ୍ରିଲ ପହିଲାରୁ ନୂତନ ଅବକାରୀ ନୀତି ଅନୁସାରେ ଆଗାମୀ ତିନି ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ। ଏହାସହ ଚୋରା ଓ ବିଷକ୍ତ ମଦ କାରବାର ପାଇଁ ସ୍ଥାନୀୟ ପ୍ରଶାସନକୁ ଉତ୍ତରଦାୟୀ କରାଯାଇଛି। ତମାଖୁ ଓ ନିକୋଟିନ୍ ଯୁକ୍ତ ପାନ ମସଲା ଏବଂ ଗୁଟ୍କା ଉତ୍ପାଦନ ଓ ବିକ୍ରୟକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବା ସାଙ୍ଗକୁ ସ୍କୁଲ ଓ କଲେଜ କ୍ୟାମ୍ପସକୁ ‘ନିଶା ନିଷିଦ୍ଧ’ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଦେଶର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ୨୦୨୯ ଶେଷ ସୁଦ୍ଧା ଭାରତକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ପାଇଁ ଘୋଷିତ ‘ଡେଡ୍ଲାଇନ୍’କୁ ସାକାର କରିବା ଦିଗରେ ଓଡ଼ିଶା ସରକାର ପ୍ରତିବଦ୍ଧ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ପୋଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର, ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂହଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ, ବିଶିଷ୍ଟ ଅତିଥି ଏବଂ ବହୁସଂଖ୍ୟାରେ ଛାତ୍ରଛାତ୍ରୀ ଓ ଯୁବବର୍ଗ ଉପସ୍ଥିତ ଥିଲେ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button