Skip to main content

welcome to business breaking

BusinessBreaking - Responsive Header
Loading date... Loading time...

ଡିସେମ୍ବର ସୁଦ୍ଧା ଏସ୍‌ସିବି ମେଡିକାଲ୍ କଲେଜର କ୍ଲିନିକାଲ ବ୍ଲକ ୧ ଓ ୪ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ

ଡିସେମ୍ବର ସୁଦ୍ଧା ଏସ୍‌ସିବି ମେଡିକାଲ୍ କଲେଜର କ୍ଲିନିକାଲ ବ୍ଲକ ୧ ଓ ୪ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ

ପୁନର୍ବିକାଶ ଓ ସମ୍ପ୍ରସାରଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

କାର୍ଯ୍ୟ ସମ୍ପନ୍ନ ହୋଇଥିବା ଭିତ୍ତିଭୂମିର ବ୍ୟବହାର, ଚିକିତ୍ସା ଉପକରଣ ସ୍ଥାପନ ଓ ସୁପରିଚାଳନା ଉପରେ ଗୁରୁତ୍ୱ

କଟକସ୍ଥିତ ଏସ୍‌ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ୍‌ର ପୁନର୍ବିକାଶ ତଥା ସମ୍ପ୍ରସାରଣ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି | ବୈଠକରେ ସମ୍ପୂର୍ଣ୍ଣ ହୋଇସାରିଥିବା ନିର୍ମାଣ କାର୍ଯ୍ୟକୁ ହସ୍ପିଟାଲ ପାଇଁ ହସ୍ତାନ୍ତର, ସେଥିରେ ଚିକିତ୍ସା ଉପକରଣ କ୍ରୟ ପୂର୍ବକ ସ୍ଥାପନ, ଏସସିବିର ବିଭିନ୍ନ ବିଭାଗକୁ ପର୍ଯ୍ୟାୟ କ୍ରମେ ନୂତନ ଭିତ୍ତିଭୂମିକୁ ସ୍ଥାନାନ୍ତର ଓ ସେସବୁର ରକ୍ଷଣାବେକ୍ଷଣ ଏବଂ ଅକ୍ୟୁପାନ୍ସି ସାର୍ଟିଫିକେଟ୍ ପ୍ରଦାନ ଆଦି ବିଷୟରେ ବିସ୍ତୃତ ସମୀକ୍ଷା କରାଯାଇଥିଲା ।

ଏସସିବି ସାମ୍ପ୍ରସାରଣ ପ୍ରକଳ୍ପରେ ଦୁଇଟି ପ୍ୟାକେଜ ରହିଛି l କ୍ଲିନିକାଲ ପ୍ୟାକେଜରେ ବିଭିନ୍ନ ବିଭାଗ ଓ ଚିକିତ୍ସା ଏବଂ ଦ୍ଵିତୀୟଟି ରେସିଡେନ୍ସିଆଲ ( ଆବାସିକ ) ପ୍ୟାକେଜ ଯାହାକି ଡାକ୍ତର, କର୍ମଚାରୀଙ୍କ ରହଣି ଓ ଛାତ୍ରବାସ ବ୍ୟବସ୍ଥା ରହିଛି l ଇତିମଧ୍ୟରେ କ୍ଲିନିକାଲ ବ୍ଲକ ୧ ଏବଂ କ୍ଲିନିକାଲ ବ୍ଲକ ୪ ର ସିଭିଲ କାର୍ଯ୍ୟ ଶତ ପ୍ରତିଶତ ଶେଷ ହୋଇଛି l ଡିସେମ୍ବର ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରିବା ସମ୍ପର୍କରେ ମୁଖ୍ୟ ସଚିବ ଆବଶ୍ୟକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି l ଏହା ମଧ୍ୟରେ ମେଡିକାଲ ଓ ନନ ମେଡିକାଲ ଉପକରଣ କ୍ରୟ କରିବାକୁ ଓଡ଼ିଶା ମେଡିକାଲ କର୍ପୋରେସନକୁ ପରାମର୍ଶ ଦିଆଯାଇଛି l

ସେହିପରି କ୍ଲିନିକାଲ ବ୍ଲକ ୨ ଓ ୩ ଆଗାମୀ ମାର୍ଚ୍ଚ ମାସ ସୁଦ୍ଧା ସରିବ ଏବଂ ସେଥିରେ ଆନୁଷଙ୍ଗିକ ବ୍ୟବସ୍ଥା ସହ ଆଗାମୀ ଜୁନ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି l ସାମଗ୍ରିକ ଭାବେ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ଓ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବାକି ରହିଥିବା କାର୍ଯ୍ୟ ସାରିବାକୁ ବୈଠକରେ ଉପରେ ଆଲୋଚନା ହୋଇଥିଲା। ଏହି ପ୍ରକଳ୍ପର କ୍ଲିନିକାଲ୍ ପ୍ୟାକେଜ୍ ରେ ୪ଟି କ୍ଲିନିକାଲ୍ ବ୍ଲକ୍ ଏବଂ ୨ଟି ୟୁଟିଲିଟି ବ୍ଲକ୍ ନିର୍ମାଣ ଅନ୍ତର୍ଭୁକ୍ତ ରହିଛି | କ୍ଲିନିକାଲ ବ୍ଲକ ୧ ରେ ଜେନେରାଲ ମେଡିସିନ ୬୦୦ ଶଯ୍ୟା ବିଶିଷ୍ଟ, କ୍ଲିନିକାଲ ବ୍ଲକ ୨ ରେ ସ୍ପେସିଆଲାଇଜଡ ମେଡ଼ିସିନ ୪୯୬ ଶଯ୍ୟା ବିଶିଷ୍ଟ, କ୍ଲିନିକାଲ ୩ରେ ସ୍ପେସିଆଲାଇଜଡ ସର୍ଜରୀ ୪୫୬ ଶଯ୍ୟା ଏବଂ କ୍ଲିନିକାଲ ୪ ରେ ୫୦୬ ଶଯ୍ୟା ବିଶିଷ୍ଟ ଜେନେରାଲ ସର୍ଜରୀ ଓ ଟ୍ରାମା କ୍ଲିନିକାଲ ବ୍ୟବସ୍ଥା ରହିଛି l

ହସ୍ପିଟାଲ୍‌ର ନୂତନ କ୍ଲିନିକାଲ୍ ବ୍ଲକ୍‌ଗୁଡ଼ିକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ଆବଶ୍ୟକ ଅତ୍ୟାଧୁନିକ ଚିକିତ୍ସା ଉପକରଣ ଓ ଫର୍ଣ୍ଣିଚର୍ ଯୋଗାଣ ଉପରେ ମଧ୍ୟ ଆଲୋଚନା ହୋଇଥିଲା | ମୋଟ ୪୭ଟି ଉଚ୍ଚମାନର ଚିକିତ୍ସା ଉପକରଣ ମଧ୍ୟରୁ ପ୍ରଥମେ ୨୩ଟି ଉପକରଣ ସ୍ଥାପନ ପାଇଁ ଯୋଜନା ରହିଛି। ଏଥିମଧ୍ୟରେ ରେଡିଓଲୋଜି, ଡେକ୍ସା ସ୍କାନ୍, ଫ୍ଲୋରୋସ୍କୋପି, କ୍ୟାଥ୍ ଲ୍ୟାବ୍, ଏମ୍‌ଆର୍‌ଆଇ, ସିଟି ସ୍କାନ୍ ଓ ସିଏସ୍‌ଏସ୍‌ଡି ଆଦି ଉପକରଣ ଅନ୍ତର୍ଭୁକ୍ତ।
ଉପକରଣଗୁଡ଼ିକର ବିବରଣୀ ଓ ଯୋଗାଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ସହ ଆବଶ୍ୟକ ମେଡିକାଲ୍ ଓ ନନ୍-ମେଡିକାଲ୍ ଫର୍ଣ୍ଣିଚର୍ ସ୍ଥାପନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ନୂତନ ଭିତ୍ତିଭୂମିର ସୁଚାରୁ ପରିଚାଳନା ପାଇଁ ନିରବଛିନ୍ନ ବିଦ୍ୟୁତ୍ ଓ ଜଳଯୋଗାଣ ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରାଯାଇଥିଲା। ସମସ୍ତ ବ୍ୟବସ୍ଥାଗୁଡ଼ିକର ନିରନ୍ତର ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ଆବଶ୍ୟକ ମାନବ ସମ୍ବଳ ନିୟୋଜନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।

ନୂତନ ଭିତ୍ତିଭୂମିକୁ ସୁଚାରୁ ଭାବେ ପରିଚାଳନା ପାଇଁ ସମ୍ପୃକ୍ତ ବିଭାଗର କର୍ମଚାରୀମାନଙ୍କୁ ବିଭିନ୍ନ ଯନ୍ତ୍ରପାତି ଓ ବୈଷୟିକ ବ୍ୟବସ୍ଥାର ପରିଚାଳନା ନେଇ ତାଲିମ୍ ପ୍ରଦାନ କରାଯିବ। ଏଥିରେ ବିଦ୍ୟୁତ୍ ବ୍ୟବସ୍ଥା, ଡିଜି ସେଟ୍, ଲିଫ୍ଟ, ଏଚ୍‌ଭିଏସି, ଜଳ ବିଶୋଧନ ଓ ବର୍ଜ୍ୟଜଳ ପରିଚାଳନା ବ୍ୟବସ୍ଥା, ଅଗ୍ନି ନିରାପତ୍ତା, ନର୍ସ କଲ୍ ସିଷ୍ଟମ୍, ଲଣ୍ଡ୍ରି, ରୋଷେଇ ଓ ଅନ୍ୟାନ୍ୟ ଆଧୁନିକ ଉପକରଣର ପରିଚାଳନା ଆଦି ଅନ୍ତର୍ଭୁକ୍ତ। ଏହା ସହିତ ହସ୍ପିଟାଲ୍‌ର ବିଭିନ୍ନ ବିଭାଗର ସ୍ଥାନାନ୍ତର ଓ ନୂତନ ଭିତ୍ତିଭୂମିର ସଫଳ ପରିଚାଳନା ପାଇଁ ଆବଶ୍ୟକ ଡାକ୍ତର, ପାରାମେଡିକାଲ୍, ହାଉସକିପିଂ, ରକ୍ଷଣାବେକ୍ଷଣ ଓ ସୁରକ୍ଷା କର୍ମଚାରୀଙ୍କ ଆବଶ୍ୟକତା ଆକଳନ ଉପରେ ଆଲୋଚନା ହୋଇଥିଲା | ଏହା ସହିତ ହଷ୍ଟେଲ୍‌ଗୁଡ଼ିକର ଅକ୍ୟୁପାନ୍ସି ସାର୍ଟିଫିକେଟ୍ ପାଇଁ ସର୍ତ୍ତାବଳୀ ପାଳନ, ଅଗ୍ନି ନିରାପତ୍ତା ଅନୁମତି, ବର୍ଷାଜଳ ସଂରକ୍ଷଣ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ଓ ସୌରଶକ୍ତି ବ୍ୟବସ୍ଥା ସ୍ଥାପନ ଆଦି ବିଷୟରେ ସମୀକ୍ଷା ହୋଇଥିଲା। କ୍ଲିନିକାଲ୍ ପ୍ରକଳ୍ପ ପାଇଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସମ୍ପର୍କିତ ପଦକ୍ଷେପ ନିମନ୍ତେ ମଧ୍ୟ ଆଲୋଚନା କରାଯାଇଥିଲା।

ବୈଠକରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ତଥା ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ, ଓପିଟିସିଏଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାସ୍କର ଜ୍ୟୋତି ଶର୍ମା, ଓବିସିସିର ପରିଚାଳନା ନିର୍ଦ୍ଦେଶକ ଅନୁପମ ସାହା, ଏସଆଇଟିଆଇ ତଥା ଅର୍ଥ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଅଶ୍ୱତୀ ଏସ୍., ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଗିରିଶ ଏସ୍.ଏନ୍., କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଦେ,ଏସ୍‌ସିବି ମେଡିକାଲ୍ କଲେଜ ଓ ହସ୍ପିଟାଲ୍‌ର ଅଧୀକ୍ଷକ ପ୍ରଫେସର ଡା.ଜ୍ୟୋତିଷ ଚନ୍ଦ୍ର ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।

editor

Related Articles

Leave a Reply

Your email address will not be published. Required fields are marked *