SKILL DEVELOPMENT & TECHNICAL EDUCATION: ଭୁବନେଶ୍ୱରରେ ହେବ ସବୁଜ ଶକ୍ତି ଉତ୍କର୍ଷ କେନ୍ଦ୍ର

ବିଶ୍ଵ ଦକ୍ଷତା କେନ୍ଦ୍ର-OHPC ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ
ଓଡ଼ିଶାର ଯୁବପିଢ଼ିଙ୍କୁ ସବୁଜ ଶକ୍ତି ଓ ସୌର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦକ୍ଷ କରିବା ପାଇଁ ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ବିଶ୍ଵ ଦକ୍ଷତା କେନ୍ଦ୍ରଠାରେ ଏକ ସବୁଜ ଶକ୍ତି (ସୋଲାର) ଉତ୍କର୍ଷ କେନ୍ଦ୍ର ସ୍ଥାପନ କରାଯିବ | ଓଡ଼ିଶା ଜଳ ବିଦ୍ୟୁତ ନିଗମ (OHPC) କର୍ପୋରେଟ୍ ସାମାଜିକ ଉତ୍ତରଦାୟିତ୍ୱ (CSR) ପାଣ୍ଠିରୁ ପ୍ରାୟ ୧.୪୮ କୋଟି ଟଙ୍କା ବିନିଯୋଗରେ ଏହା କାର୍ଯ୍ୟକାରୀ ହେବ। ଉପ-ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଏହି ବୁଝାମଣା ପତ୍ର (MOU) ସ୍ୱାକ୍ଷରିତ ହୋଇଛି।
ବିଶ୍ଵ ଦକ୍ଷତା କେନ୍ଦ୍ରରେ ପ୍ରାୟ ୩୦୦ ବର୍ଗଫୁଟ ପରିମିତ ସ୍ଥାନରେ ନିର୍ମିତ ହେବାକୁ ଥିବା ଏହି ଆଧୁନିକ କେନ୍ଦ୍ରରେ ରୂଫଟପ୍, ଫ୍ଲୋଟିଂ ସୋଲାର ଏବଂ ସୋଲାର-ଟ୍ରାକର ଭଳି ବ୍ୟବହାରିକ ଡେମୋନଷ୍ଟ୍ରେସନ ୟୁନିଟ୍ ସହ ପିଏଲସି, ସ୍କାଡା, ଆଇଓଟି, ରିମୋଟ ମନିଟରିଂ ଓ ଏନର୍ଜି ମ୍ୟାନେଜମେଣ୍ଟ ଭଳି ଉନ୍ନତ ପ୍ରଯୁକ୍ତିବିଦ୍ୟାରେ ପ୍ରଶିକ୍ଷଣ ଦିଆଯିବ। ପ୍ରତିବର୍ଷ ପ୍ରାୟ ୩୦୦ ଯୁବକଯୁବତୀଙ୍କୁ ସୋଲାର ଟେକ୍ନିସିଆନ୍, ଅପରେସନ ଓ ମେଣ୍ଟେନାନ୍ସ ଟେକ୍ନିସିଆନ୍, ସାଇଟ୍ ସୁପରଭାଇଜର ଏବଂ ଏନର୍ଜି ଅଡିଟର ଭଳି ପଦବୀ ପାଇଁ ପ୍ରଶିକ୍ଷିତ କରାଯିବ।
ଏହି ସମାରୋହରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ବିଶ୍ଵ ଦକ୍ଷତା କେନ୍ଦ୍ରର ବ୍ୟାପକ ସମ୍ପ୍ରସାରଣ ଘୋଷଣା କରିଛନ୍ତି। ବିଶ୍ୱସ୍ତରୀୟ ତାଲିମର ସୁଯୋଗ ବୃଦ୍ଧି ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ର ଦ୍ୱାରା ପୂର୍ବରୁ ଦିଆଯାଉଥିବା ସମ୍ପୂର୍ଣ୍ଣ ପ୍ରାୟୋଜିତ ଛାତ୍ର ସଂଖ୍ୟା ୬୦ ରୁ ୧୦୦କୁ ବୃଦ୍ଧି କରିବା ନେଇ ସୂଚନା ଦେଇଛନ୍ତି | ଆଗାମୀ ଦିନରେ ବ୍ରହ୍ମପୁର ଓ ସମ୍ବଲପୁରଠାରେ ନୂତନ ଶାଖା ସ୍ଥାପନ ପାଇଁ ପ୍ରସ୍ତାବ ଦେଇଛନ୍ତି। ଏଥିପାଇଁ ଆବଶ୍ୟକ ସହାୟତା ଶକ୍ତି ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ।
ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏହି କେନ୍ଦ୍ରକୁ ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ଏକ ରୂପାନ୍ତରଣକାରୀ ପଦକ୍ଷେପ ଭାବେ ଅଭିହିତ କରିଛନ୍ତି। ଯାହା ସ୍ୱଚ୍ଛ ଶକ୍ତି ଓ ସ୍ଥାୟୀ ନିଯୁକ୍ତି କ୍ଷେତ୍ରରେ ଓଡ଼ିଶାକୁ ଆଗେଇ ନେବ। ଏମଓୟୁ ସ୍ୱାକ୍ଷର ସମାରୋହରେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସଚିବ ଭୂପେନ୍ଦ୍ର ସିଂହ ପୁନିଆ, ବିଶ୍ୱ ଦକ୍ଷତା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ମହାପାତ୍ର ଏବଂ ଓଏଚପିସି ନିର୍ଦ୍ଦେଶକ (ମାନବ ସମ୍ବଳ) ସନ୍ଦୀପ ପଟ୍ଟନାୟକ ଉପସ୍ଥିତ ଥିଲେ।



