Skip to main content

welcome to business breaking

BusinessBreaking - Responsive Header
Loading date... Loading time...
ଏସୀୟ ଗେମ୍‌ସରେ ସ୍ୱର୍ଣ୍ଣ ପଦକ ବିଜେତା ପୁରୁଷ, ମହିଳା ହକି ଟିମ୍‌ଙ୍କୁ ଓଡ଼ିଶା ସରକାରଙ୍କ ସମ୍ବର୍ଦ୍ଧନା

ଜାପାନରେ ଅନୁଷ୍ଠିତ ଏସୀୟ ଗେମ୍‌ସ ୨୦୨୬ରେ ଐତିହାସିକ ସ୍ୱର୍ଣ୍ଣ ପଦକ ହାସଲ କରି ଆଗାମୀ ୨୦୨୮ ଲସ୍ ଏଞ୍ଜେଲ୍‌ସ ଅଲମ୍ପିକ୍‌ସ ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ ଓଡ଼ିଶା ସରକାରଙ୍କ ପକ୍ଷରୁ କଳିଙ୍ଗ ଷ୍ଟାଡିୟମରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ସ୍ୱର୍ଣ୍ଣ ପଦକ ବିଜେତା ପୁରୁଷ ଓ ମହିଳା ଖେଳାଳିମାନଙ୍କୁ ଆମ ଯୁବବର୍ଗର ପ୍ରକୃତ ଆଇକନ୍ (ICON) ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବର୍ଣ୍ଣନା କରିଛନ୍ତି। ଏହି ସମ୍ବର୍ଦ୍ଧନା ଉତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ବିଜେତା ଦଳର ଖେଳାଳି, କୋଚ୍ ଏବଂ ସହଯୋଗୀ କର୍ମଚାରୀମାନଙ୍କୁ ପ୍ରଶଂସା କରିବା ସହ ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରିଛନ୍ତି।

ଏସୀୟ କ୍ରୀଡ଼ାରେ ଭାରତୀୟ ପୁରୁଷ ଓ ମହିଳା ଉଭୟ ହକି ଦଳ ସ୍ୱର୍ଣ୍ଣ ପଦକ ଅର୍ଜନ କରିବା ସହ ଆଗାମୀ ୨୦୨୮ ଲସ୍ ଏଞ୍ଜେଲ୍‌ସ ଅଲମ୍ପିକ୍‌ସ ପାଇଁ ସ୍ଥାନ ପକ୍କା କରିଛନ୍ତି। ଏହି ସଫଳତା ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ଉଭୟ ପୁରୁଷ ଓ ମହିଳା ହକି ଦଳର ପ୍ରତ୍ୟେକ ଖେଳାଳୀଙ୍କୁ ୧୧ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ପ୍ରତ୍ୟେକ ସପୋର୍ଟ ଷ୍ଟାଫ୍‌ଙ୍କୁ ୫ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ଦିଆଯାଇଛି। ସମୁଦାୟ ଭାବେ ଭାରତୀୟ ପୁରୁଷ ହକି ଟିମ୍‌ ଓ ସପୋର୍ଟ ଷ୍ଟାଫ୍‌ଙ୍କ ପାଇଁ ୨ କୋଟି ୭୫ ଲକ୍ଷ ଟଙ୍କା ଏବଂ ମହିଳା ହକି ଟିମ୍‌ ପାଇଁ ୨ କୋଟି ୮୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଉଭୟ ପୁରୁଷ ଓ ମହିଳା ଦଳଙ୍କୁ ଓଡ଼ିଶା ପକ୍ଷରୁ ୫.୬୧ କୋଟି ଟଙ୍କା ପୁରସ୍କାର ଦିଆଯାଇଛି।

ଏହା ସହିତ ଭାରତୀୟ ଦଳର ଓଡ଼ିଆ ଖେଳାଳୀ ଅମିତ ରୋହିଦାସ, ଶିଳାନନ୍ଦ ଲାକ୍ରା ଏବଂ ସୁନେଲିତା ଟପ୍ପୋଙ୍କୁ ସେମାନଙ୍କର ଅସାଧାରଣ ଯୋଗଦାନ ପାଇଁ ସ୍ୱତନ୍ତ୍ର ଭାବେ ୨୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏସିଆନ୍ ଗେମ୍‌ସରେ ସ୍ୱର୍ଣ୍ଣ ପଦକ ବିଜେତା ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ସମସ୍ତ ଖେଳାଳି ଆମ ଯୁବବର୍ଗର ପ୍ରକୃତ ଆଇକନ୍। ସେମାନେ ସମଗ୍ର ଯୁବ ସମାଜର ଆଦର୍ଶ ତଥା ଭାରତର ଗର୍ବ ଓ ଗୌରବ। ୪୪ ବର୍ଷର ଦୀର୍ଘ ଅନ୍ତରାଳ ପରେ ମହିଳା ଟିମ୍‌ର ଏହି ସ୍ୱର୍ଣ୍ଣ ବିଜୟ ଦେଶର ପ୍ରତ୍ୟେକ ମହିଳାଙ୍କ ପାଇଁ ପ୍ରେରଣାର ସ୍ରୋତ ହୋଇ ରହିବ ବୋଲି ସେ ପ୍ରକାଶ କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ଆସିଥିବା ଅମିତ ରୋହିଦାସ ଓ ଶିଳାନନ୍ଦ ଲାକ୍ରା ଏବଂ ସୁନେଲିତା ଟପ୍ପୋ ନିଜର ଅଦମ୍ୟ ପ୍ରତିଭା ଓ ପରିଶ୍ରମ ବଳରେ ସମଗ୍ର ଦେଶ ପାଇଁ ଗୌରବ ଆଣିଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଖେଳାଳିମାନଙ୍କୁ ଉତ୍ସାହିତ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ନିଜେ ଏସୀୟ କ୍ରୀଡ଼ା ପଦକ ବିଜେତାମାନଙ୍କୁ ନିଜ ବାସଭବନକୁ ନିମନ୍ତ୍ରଣ କରି ସେମାନଙ୍କ ହୋସଲା ବଢ଼ାଇଛନ୍ତି। ‘ଖେଲୋ ଇଣ୍ଡିଆ’ ମିସନ ଦେଶର ପ୍ରତ୍ୟେକ କୋଣରୁ ଯୁବ ପ୍ରତିଭାମାନଙ୍କୁ ସମ୍ମୁଖକୁ ଆଣିବାରେ ଏକ ବଡ଼ ମାଧ୍ୟମ ପାଲଟିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

editor

Related Articles

Leave a Reply

Your email address will not be published. Required fields are marked *