ଉଚ୍ଚସ୍ତରୀୟ ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସମୀକ୍ଷା
ବିପର୍ଯ୍ୟୟର ମୁକାବିଲା ପାଇଁ ସମସ୍ତ ବିଭାଗକୁ ସମନ୍ୱିତ ଓ ସତର୍କତାମୂଳକ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱ
୭୪ଟି ODRAF ଓ NDRF ଟିମ୍ ମୁତୟନ ପାଇଁ ଯୋଜନା ; ଆବଶ୍ୟକ ସ୍ଥାନରେ ଉଦ୍ଧାରକାରୀ ଦଳର ପୂର୍ବ ମୁତୟନ
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ କ୍ରମଶଃ ଘନୀଭୂତ ହୋଇ ସମ୍ଭାବ୍ୟ ବାତ୍ୟାର ରୂପ ନେବା ଏବଂ ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ଓ ପବନର ଆଶଙ୍କା ଥିବା ପରିପ୍ରେକ୍ଷୀରେ ରାଜ୍ୟର ବିପର୍ଯ୍ୟୟ ପ୍ରସ୍ତୁତି ଓ ମୁକାବିଲା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ।ଜନସାଧାରଣଙ୍କ ସୁରକ୍ଷା ଓ ଜୀବନ ରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସମସ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନ ପରସ୍ପର ମଧ୍ୟରେ ସମନ୍ୱୟ ରଖି ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ସଜାଗ ଓ ପ୍ରସ୍ତୁତ ରହିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।
ଭୁବନେଶ୍ୱରସ୍ଥିତ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର (SEOC)ର ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ ଓ ସମ୍ପୃକ୍ତ କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ଭାରତ ପାଣିପାଗ ବିଭାଗ (IMD) ପକ୍ଷରୁ ଜାରି ସଦ୍ୟତମ ପାଣିପାଗ ସୂଚନା ଓ ବାତ୍ୟାର ସମ୍ଭାବ୍ୟ ଗତିପଥ ସମ୍ପର୍କରେ ଆଲୋଚନା କରାଯିବା ସହ ରାଜ୍ୟରେ ଆଗୁଆ ପ୍ରସ୍ତୁତି, ଜନସୁରକ୍ଷା, ଉଦ୍ଧାର ଓ ରିଲିଫ୍ ବ୍ୟବସ୍ଥା ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା।
ସୂଚନଯୋଗ୍ୟ ଯେ, ଭାରତ ପାଣିପାଗ ବିଭାଗ (IMD), ଭୁବନେଶ୍ୱର କେନ୍ଦ୍ର ପକ୍ଷରୁ ଜାରି ପାଣିପାଗ ବୁଲେଟିନ୍ ଅନୁଯାୟୀ, ଦକ୍ଷିଣ-ପୂର୍ବ ଏବଂ ତତ୍ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଗଭୀର ଅବପାତ (Deep Depression) ଅଧିକ ଘନୀଭୂତ ହୋଇ ଆଜି ୧୬ ନଭେମ୍ବର ସନ୍ଧ୍ୟା ସୁଦ୍ଧା ବଙ୍ଗୋପସାଗରର କେନ୍ଦ୍ରୀୟ ଦକ୍ଷିଣ ଏବଂ ତତ୍ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ଅଞ୍ଚଳରେ ବାତ୍ୟାର ରୂପ ନେଇଥିବା ବେଳେ ପରବର୍ତ୍ତୀ ସମୟରେ ୧୭ ନଭେମ୍ବର ସନ୍ଧ୍ୟା ସୁଦ୍ଧା ଏହା ଭୀଷଣ ବାତ୍ୟା (Severe Cyclonic Storm) ରେ ପରିଣତ ହୋଇପାରେ। ପରେ ଏହା ଆହୁରି ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ୨୦ ନଭେମ୍ବର ମଧ୍ୟାହ୍ନ ସମୟରେ ନେଲ୍ଲୋର ଓ ଟୁନି ମଧ୍ୟବର୍ତ୍ତୀ ଅଞ୍ଚଳ ଦେଇ ଆନ୍ଧ୍ରପ୍ରଦେଶ ଏବଂ ୟାନମ୍ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ସେହି ସମୟରେ ଏହା ଏକ ଅତି ଭୀଷଣ ବାତ୍ୟା (Very Severe Cyclonic Storm)ର ରୂପ ନେଇପାରେ। ବାତ୍ୟା ସମୟରେ ଲ୍ୟାଣ୍ଡଫଲ ସ୍ଥଳରେ ପବନର ସର୍ବାଧିକ ସ୍ଥାୟୀ ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ଏବଂ ଝଟକା ପବନର ବେଗ ଘଣ୍ଟାପ୍ରତି ୧୪୫ କିଲୋମିଟର ପର୍ଯ୍ୟନ୍ତ ରହିପାରେ।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ୧୮ ନଭେମ୍ବରରେ ରାଜ୍ୟର କେତେକ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହିତ
ବର୍ଷା ଏବଂ ପବନ ହେବାର ସମ୍ଭାବନା ରହିଛି। ଏହି ପରିସ୍ଥିତି ୨୦ ନଭେମ୍ବର ସକାଳ ପର୍ଯ୍ୟନ୍ତ ରହିବାର ଆଶଙ୍କା ରହିଛି। ୧୮ ନଭେମ୍ବରରୁ ୧୯ ନଭେମ୍ବର ମଧ୍ୟରେ ଗଞ୍ଜାମ, ଗଜପତି, ପୁରୀ ଆଦି ଦକ୍ଷିଣ ଓ ଉପକୂଳବର୍ତ୍ତୀ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ଅନ୍ୟ କେତେକ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ଏବଂ ବିଜୁଳି ଘଡ଼ଘଡ଼ି ସହ ପବନ ହୋଇପାରେ। ୨୦ ନଭେମ୍ବରରେ ରାଜ୍ୟର ସମସ୍ତ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଥିବାବେଳେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୧ ନଭେମ୍ବରରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ନୂଆପଡ଼ା ଓ କୋରାପୁଟ ଆଦି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।
ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ସମସ୍ତ ଜିଲ୍ଲାପାଳଙ୍କୁ ବିଶେଷକରି ଗଞ୍ଜାମ, ଗଜପତି, ପୁରୀ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଭଳି ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ପ୍ରସ୍ତୁତିକୁ ଅଧିକ ତ୍ୱରାନ୍ୱିତ କରିବା ସହ ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର (DEOC)କୁ ୨୪ ଘଣ୍ଟିଆ ସକ୍ରିୟ ରଖିବା, ନୋଡାଲ ଅଧିକାରୀ ନିଯୁକ୍ତି ଓ ନିୟମିତ ସ୍ଥିତି ସମୀକ୍ଷା କରିବାକୁ ଗୁରୁତ୍ୱ ଦେଇଥିଲେ।
ସମ୍ଭାବ୍ୟ ବିପଦପୂର୍ଣ୍ଣ ଅଞ୍ଚଳର ତଥ୍ୟ ପ୍ରସ୍ତୁତ କରିବା ସହ ବିପଦସଂକୁଳ ପରିବାର ଏବଂ ସ୍ଥାନାନ୍ତରଣ ସମୟରେ ସହାୟତା ଆବଶ୍ୟକ କରୁଥିବା ଶିଶୁ, ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରିବାକୁ କୁହାଯାଇଛି। ନିର୍ଦ୍ଧାରିତ ଆଶ୍ରୟସ୍ଥଳୀଗୁଡ଼ିକରେ ପାନୀୟ ଜଳ, ପରିମଳ ବ୍ୟବସ୍ଥା, ବିଦ୍ୟୁତ୍ ଓ ଜେନେରେଟର ଭଳି ବିକଳ୍ପ ବ୍ୟବସ୍ଥାର ଯାଞ୍ଚ ସହ ଆବଶ୍ୟକ ଯାନବାହନ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ପ୍ରସ୍ତୁତ ରଖିବାକୁ ଗୁରୁତ୍ୱ ଦିଆଯାଇଛି। ଆବଶ୍ୟକ ସ୍ଥଳେ ପାଣିପାଗ ବିଭାଗର ସତର୍କ ସୂଚନା ଓ ଜିଲ୍ଲାପାଳଙ୍କ ବିପଦ ଆକଳନ ଆଧାରରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯିବ। ଭୂସ୍ଖଳନ ଜନିତ ବିପଦ ସମ୍ପ୍ରତି ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଏଥିନିମନ୍ତେ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରିବା ନେଇ ମାନ୍ୟବର ମନ୍ତ୍ରୀ ଗୁରୁତ୍ୱାରୋପ କରିବା ସହ ପୂର୍ବରୁ ଚିହ୍ନଟ ବିପଦପ୍ରବଣ ସ୍ଥାନରୁ ଜନସାଧାରଣଙ୍କ ସ୍ଥାନାନ୍ତରଣ ତ୍ୱରାନ୍ୱିତ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ।
ବାତ୍ୟା ମୁକାବିଲା ପାଇଁ ODRAF ଓ NDRFର ମୋଟ ୭୪ଟି ଟିମ୍, ଯଥା ୬୦ଟି ODRAF ଟିମ୍ ଓ ୧୪ଟି NDRF ଟିମ୍ ମୁତୟନ ପାଇଁ ପ୍ରସ୍ତୁତି ଯୋଜନା ଉପରେ ବୈଠକରେ ଆଲୋଚନା ହୋଇଥିଲା। ଏହି ଟିମ୍ଗୁଡ଼ିକୁ ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ପୁରୀ ତଥା ଅନ୍ୟାନ୍ୟ ଜିଲ୍ଲାରେ ଆବଶ୍ୟକ ଅନୁଯାୟୀ ବିଭିନ୍ନ ସ୍ଥାନରେ ପୂର୍ବରୁ ମୁତୟନ କରିବା ପାଇଁ ଯୋଜନା ରହିଛି। ଏଥିସହ ଅଗ୍ନିଶମ ସେବା ବିଭାଗର ଉଦ୍ଧାରକାରୀ ଦଳ, ଯାନବାହନ, ଡଙ୍ଗା, ଆଲୋକୀକରଣ ଓ ଅନ୍ୟାନ୍ୟ ଜରୁରୀ ଉପକରଣର ଉପଲବ୍ଧତା ଯାଞ୍ଚ କରିବାକୁ କୁହାଯାଇଛି।
ଜଳସମ୍ପଦ ବିଭାଗକୁ ଜଳଭଣ୍ଡାରଗୁଡ଼ିକର ଜଳସ୍ତର, ଜଳପ୍ରବାହ, ନଦୀର ଜଳସ୍ତର ଓ ତଳିଆ ଅଞ୍ଚଳର ସ୍ଥିତି ଉପରେ ନିରନ୍ତର ନଜର ରଖିବା ସହ ଦୁର୍ବଳ ନଦୀବନ୍ଧ ଓ ବନ୍ୟାପ୍ରବଣ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରିବାକୁ କୁହାଯାଇଛି। ସେହିପରି ରାସ୍ତା, ପୋଲ, କଲଭର୍ଟ ଓ ପାହାଡ଼ିଆ ରାସ୍ତାର ବିପଦପୂର୍ଣ୍ଣ ସ୍ଥାନଗୁଡ଼ିକୁ ଚିହ୍ନଟ କରି ଗଛ କାଟିବା ଯନ୍ତ୍ର, ଆର୍ଥମୁଭର୍ ଓ ଜରୁରୀକାଳୀନ ମରାମତି ଦଳ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଖାଦ୍ୟ ଓ ଯୋଗାଣ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସମେତ ସମ୍ପୃକ୍ତ ବିଭାଗଗୁଡ଼ିକୁ ଖାଦ୍ୟଶସ୍ୟ, ଶୁଖିଲା ଖାଦ୍ୟ, ପାନୀୟ ଜଳ, ଇନ୍ଧନ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଯଥେଷ୍ଟ ମହଜୁଦ ସୁନିଶ୍ଚିତ କରିବାକୁ କୁହାଯାଇଛି।
ବିଦ୍ୟୁତ୍ ଓ ଟେଲିକମ୍ ବିଭାଗକୁ ବିପଦପ୍ରବଣ ବିଦ୍ୟୁତ୍ ସବ୍ଷ୍ଟେସନ୍, ଟେଲିକମ୍ ଟାୱାର ଚିହ୍ନଟ କରିବା ସହ ମରାମତି ଦଳ, ଆବଶ୍ୟକ ଯନ୍ତ୍ରପାତି ଓ ବିକଳ୍ପ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ କୁହାଯାଇଛି। ହସ୍ପିଟାଲ, ପାନୀୟ ଜଳ ଯୋଗାଣ, ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ଓ ଜନସାଧାରଣଙ୍କ ମଧ୍ୟରେ ସତର୍କତା ସହ ବିଦ୍ୟୁତ୍ ଯୋଗାଣ ନିରବଚ୍ଛିନ୍ନ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗକୁ ଡାକ୍ତରୀ ଦଳ, ଆମ୍ବୁଲାନ୍ସ, ଔଷଧ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ପ୍ରସ୍ତୁତ ରଖିବା ସହ ଜିଲ୍ଲା ଓ ଉପଖଣ୍ଡ ହସ୍ପିଟାଲଗୁଡ଼ିକରେ ବିକଳ୍ପ ବିଦ୍ୟୁତ୍, ଅକ୍ସିଜେନ୍ ଓ ଜଳ ଯୋଗାଣ ବ୍ୟବସ୍ଥା ଯାଞ୍ଚ କରିବାକୁ କୁହାଯାଇଛି। କୃଷି ବିଭାଗକୁ ବର୍ଷା ଓ ପବନ ଯୋଗୁଁ କ୍ଷତିଗ୍ରସ୍ତ ହୋଇପାରୁଥିବା ଫସଲ ଚିହ୍ନଟ କରି ଚାଷୀମାନଙ୍କୁ ଆଗୁଆ ପରାମର୍ଶ ଦେବା ସହ ପଶୁସମ୍ପଦର ସୁରକ୍ଷା ପାଇଁ ନିରାପଦ ସ୍ଥାନ, ଗୋଖାଦ୍ୟ, ପାନୀୟ ଜଳ ଓ ପ୍ରାଣୀ ଚିକିତ୍ସା ଦଳ ପ୍ରସ୍ତୁତ ରଖିବାକୁ ଗୁରୁତ୍ୱ ଦିଆଯାଇଛି।
ଓଡ଼ିଶା ଉପକୂଳରେ ୧୮ ନଭେମ୍ବରରୁ ୨୦ ନଭେମ୍ବର ସକାଳ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତରୁ ଅତ୍ୟନ୍ତ ଅଶାନ୍ତ ରହିବା ଏବଂ ପବନର ବେଗ ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ଏହି ସମୟରେ ସମୁଦ୍ର ମଧ୍ୟକୁ ମାଛ ଧରିବାକୁ ନ ଯିବା ପାଇଁ ସତର୍କ କରାଯାଇଛି। ସମୁଦ୍ରରେ ଥିବା ମତ୍ସ୍ୟଜୀବୀ ଓ ମାଛଧରା ଡଙ୍ଗାଗୁଡ଼ିକର ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ କରିବା ସହ ମେରାଇନ୍ ପୋଲିସ୍ ଓ ତଟରକ୍ଷୀ ବାହିନୀ ସହ ସମନ୍ୱୟ ରଖିବାକୁ କୁହାଯାଇଛି।
ଏଥିସହ SATARK, Early Warning Dissemination System (EWDS), ସାଇରନ୍, SMS ଓ ଗଣମାଧ୍ୟମ ମାଧ୍ୟମରେ ଲୋକଙ୍କ ନିକଟରେ ତ୍ୱରିତ ଓ ସଠିକ୍ ସତର୍କ ସୂଚନା ପହଞ୍ଚାଇବାକୁ ଗୁରୁତ୍ୱ ଦିଆଯାଇଛି। ଜରୁରୀ ପରିସ୍ଥିତିରେ ଆଇନଶୃଙ୍ଖଳା ରକ୍ଷା, ଯାତାୟାତ ନିୟନ୍ତ୍ରଣ, ଉଦ୍ଧାର କାର୍ଯ୍ୟରେ ସହଯୋଗ ଓ ସ୍ଥାନାନ୍ତରିତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ପାଇଁ ପୋଲିସ୍ ବିଭାଗକୁ ମଧ୍ୟ ପ୍ରସ୍ତୁତ ରହିବାକୁ କୁହାଯାଇଛି। ବୈଠକରେ ସମସ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରସ୍ତୁତି ସମ୍ପୂର୍ଣ୍ଣ କରିବା, ନିଜ ନିଜ ବିଭାଗର ନୋଡାଲ ଅଧିକାରୀ ନିଯୁକ୍ତ କରିବା ଏବଂ ଯେକୌଣସି ଜରୁରୀ ଆବଶ୍ୟକତା ବା ଅଭାବ ସମ୍ପର୍କରେ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ରକୁ ତୁରନ୍ତ ଅବଗତ କରାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା।