Skip to main content

welcome to business breaking

BusinessBreaking - Responsive Header
Loading date... Loading time...

ଜାପାନର ‘ତତୋରି’ ସହ ଓଡ଼ିଶାର ମୈତ୍ରୀ ସମ୍ପର୍କ ଚୁକ୍ତି

ଜାପାନର ‘ତତୋରି’ ସହ ଓଡ଼ିଶାର ମୈତ୍ରୀ ସମ୍ପର୍କ ଚୁକ୍ତି

ଜାପାନର ତତୋରି ପ୍ରଦେଶ ସହ ଓଡ଼ିଶା ସରକାର ମୈତ୍ରୀ ସମ୍ପର୍କ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଲୋକସେବା ଭବନର ରାଜ୍ୟ ସମ୍ମିଳନୀ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତତୋରି ପ୍ରଦେଶର ଗଭର୍ଣ୍ଣର ସିଞ୍ଜି ହିରାଇଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତି ଅନୁଯାୟୀ ଅର୍ଥନୀତି, ଶିଳ୍ପ, କର୍ମଚାରୀ ଓ ଯୁବକଯୁବତୀ ବିନିମୟ, ପର୍ଯ୍ୟଟନ, ସଂସ୍କୃତି ଓ ପରିବେଶ କ୍ଷେତ୍ରରେ ଉଭୟ ପ୍ରଦେଶ ସହଯୋଗିତା ବଢ଼ାଇବେ। ବିଶେଷକରି କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ସ୍ଥାନୀୟ ଉତ୍ପାଦ, ଛାତ୍ରଛାତ୍ରୀଙ୍କ ଆଦାନପ୍ରଦାନ ଓ ପର୍ଯ୍ୟଟନର ବିକାଶ ଉପରେ ଗୁରୁତ୍ୱ ଦିଆଯିବ। ଏଥି ସହିତ ଦୁଇଟି ଗୁରୁତ୍ବପୂର୍ଣ୍ଣ ବୁଝାମଣାପତ୍ର (ଏମ୍‌ଓୟୁ) ମଧ୍ୟ ସ୍ବାକ୍ଷରିତ ହୋଇଥିଲା।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ଏହି ଚୁକ୍ତି ଓଡ଼ିଶା ଓ ତତୋରି ପ୍ରଦେଶକୁ ନିକଟତର କରିବା ଦିଗରେ ଏକ ମାଇଲଖୁଣ୍ଟ। ଏହା ଆଞ୍ଚଳିକ ସହଯୋଗିତା ସୁଦୃଢ଼ କରିବାରେ ସହାୟକ ହେବ। ଓଡ଼ିଶାର ଏମ୍‌ଏସ୍‌ଏମ୍‌ଇ, ଷ୍ଟାର୍ଟଅପ୍‌ ଓ ଶିଳ୍ପ କ୍ଷେତ୍ରରେ ନିବେଶ ଏବଂ ସହଭାଗିତାର ସୁଯୋଗ ସନ୍ଧାନ କରିବାକୁ ସେ ଜାପାନର ବ୍ୟବସାୟୀମାନଙ୍କୁ ଆହ୍ବାନ ଦେଇଥିଲେ। ରାଜ୍ୟରେ ଇଣ୍ଡୋ ନିସିନ୍‌, ନିପନ୍‌ ଷ୍ଟିଲ୍‌, ଜେଏଫ୍‌ଇ ଷ୍ଟିଲ୍‌, କ୍ରୋସାକି, ଟିୱାଇକେ, ୟୋକୋହାମା, ଆଇଏଚ୍‌ଆଇ, ଟୋରେ ଆଦି ଜାପାନୀ କମ୍ପାନି କାର୍ଯ୍ୟ କରୁଥିବା ସେ କହିଥିଲେ।

ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେ, ଏହି ସହଭାଗିତା ଶିଳ୍ପ ବିକାଶ ସହ ଦକ୍ଷତା ତାଲିମକୁ ଯୋଡ଼ିବ। ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓଡ଼ିଶାର କ୍ଷୁଦ୍ର ଉଦ୍ୟୋଗଗୁଡ଼ିକ ପାଇଁ ନୂଆ ବଜାର ଓ ବୈଷୟିକ ସହଯୋଗର ସୁଯୋଗ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଷ୍ଟାର୍ଟଅପ୍‌ ଓଡ଼ିଶା ଓ ତତୋରିର ଶିଳ୍ପ ନିର୍ଦ୍ଦେଶକଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷର ହୋଇଥିଲା। ଏହା ଅଧୀନରେ ଷ୍ଟାର୍ଟଅପ୍‌ ବିନିମୟ, ବ୍ୟାବସାୟିକ ସହଯୋଗ, ତାଲିମ, ପରାମର୍ଶ ଓ ନିବେଶକଙ୍କ ସହ ସମ୍ପର୍କ ବଢ଼ିବ। ସେହିପରି, ୱାର୍ଲଡ୍‌ ସ୍କିଲ୍‌ ସେଣ୍ଟର ଓ ତତୋରିର ନିହୋନ୍‌ ଏଡୁଟେକ୍‌ ମଧ୍ୟରେ ଅନୁରୂପ ଏକ ଏମ୍‌ଓୟୁ ସ୍ବାକ୍ଷରିତ ହୋଇଥିଲା। ଏହି ସହଭାଗିତାରେ ବିନିର୍ମାଣ ଶିଳ୍ପ ଓ ନର୍ସିଂ ଯତ୍ନ କ୍ଷେତ୍ରରେ ତାଲିମ ସହ ଜାପାନୀ ଭାଷା ଶିକ୍ଷା ଦିଆଯିବ। ଏହାଦ୍ୱାରା ଓଡ଼ିଶାର ଯୁବକଯୁବତୀଙ୍କ ପାଇଁ ଜାପାନରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। କାର୍ଯ୍ୟକ୍ରମରେ ମୁଖ୍ୟ ସଚିବ ଅନୁ ଗର୍ଗ, କୋଲକାତାସ୍ଥିତ ଜାପାନର କନ୍‌ସୁଲ୍‌ ଜେନେରାଲ୍‌ ଇସିକାୱା ୟୋସିହିସା, ତତୋରି ପ୍ରଦେଶ ବିଧାନସଭାର ସଦସ୍ୟ, ଶିଳ୍ପ ପ୍ରତିନିଧି ଓ ୮୦ ଜଣିଆ ଜାପାନୀ ପ୍ରତିନିଧି ଦଳ ଯୋଗ ଦେଇଥିଲେ। ଶିଳ୍ପ, ଗୃହ ଓ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା ଓଡ଼ିଶା-ଜାପାନ ସହଯୋଗ ସମ୍ପର୍କରେ ସୂଚନା ଦେଇଥିଲେ।

editor

Related Articles

Leave a Reply

Your email address will not be published. Required fields are marked *