
ଓଡ଼ିଶା ବିଦ୍ୟୁତ୍ ସେବାକୁ ନିର୍ଭରଯୋଗ୍ୟ କରିବା ପାଇଁ ଟାଟା ପାୱାର ବିତରଣ କମ୍ପାନିଗୁଡିକ ୨୦୨୬-୨୭ରୁ ୨୦୩୦-୩୧ ମଧ୍ୟରେ ୯୧୯୩ କୋଟି ଟଙ୍କା ପୁଞ୍ଜିନିବେଶ କରିବାକୁ ଓଇଆରସିରେ ଦରଖାସ୍ତ କରିଛନ୍ତି। ୨୦୨୬-୨୭ ପାଇଁ ୧୫୦୨ କୋଟି ଟଙ୍କା ଗତ ମଇ ୧୫ରେ ଓଇଆରସି ଅନୁମୋଦନ କରିଥିବାବେଳେ ଅବଶିଷ୍ଟ ପୁଞ୍ଜିନିବେଶ ଯୋଜନାକୁ ଅନୁମୋଦନ କରିବା ପାଇଁ ଆୟୋଗ ଏକ ସାର୍ବଜନୀନ ସୂଚନା ଜାରିକରି ସେପ୍ଟେମ୍ବର ୧୭ ତାରିଖ ସୁଦ୍ଧା ଜନସାଧାରଣଙ୍କ ମତାମତ ଆହ୍ଵାନ କରିଥିଲେ।
ପ୍ରକାଶ ଥାଉକି, ଆସନ୍ତା ୨୨ତାରିଖରେ ଓଇଆରସି କାର୍ଯ୍ୟାଳୟରେ ଜନଶୁଣାଣି ଅନୁଷ୍ଟିତ ହେବ। ଟାଟା ଦରଖାସ୍ତରୁ ସ୍ପଷ୍ଟ ହୋଇଛି ଯେ, ଓଡ଼ିଶା ବିଦ୍ୟୁତ୍ ସେବା ଦାୟିତ୍ଵ ଗ୍ରହଣ କରିବା ପରେ ୨୦୨୦-୨୧ ରୁ ୨୦୨୬-୨୭ ମଧ୍ୟରେ ଓଇଆରସି ୮୯୬୭କୋଟି ଟଙ୍କା ଅନୁମୋଦନ କରିଥିବା ବେଳେ ସେଥିରୁ ଟାଟା ପାୱାର ୬୫୪୮ କୋଟି ଟଙ୍କା ପୁଞ୍ଜିନିବେଶ କରିଛି। ସେଥିରେ ୫୬୯୮ କୋଟି ଟଙ୍କାର କାମ ସମ୍ପୂର୍ଣ୍ଣ ହୋଇଥିବା ବେଳେ ବାକି ୮୫୦ କୋଟିଟଙ୍କା କାମ ନିର୍ମାଣଧୀନ ରହିଛି। ଓଡ଼ିଶା ବିଦ୍ୟୁତ୍ ସେବା ଭାର ଟାଟା ଗ୍ରହଣ କଲାପରେ ପୁଞ୍ଜିନିବେଶ ବାବଦକୁ କେତେ ପରିମାଣର ସରକାରୀ ଅନୁଦାନ ପାଇଛନ୍ତି ଓ ସେଥିରୁ କେତେ ନିବେଶ କରିଛନ୍ତି? ତାହାର ତଥ୍ୟ ଦରଖାସ୍ତରେ ନାହିଁ।
ଚଳିତ ବର୍ଷ ପାଇଁ ଗତ ମାର୍ଚ୍ଚ ୨୪ତାରିଖରେ ଓଇଆରସି ଜାରି କରିଥିବା ଟାରିଫ୍ ଆଦେଶରୁ ଜଣାପଡିଛି ଯେ, ସରକାରୀ ପୁଞ୍ଜିନିବେଶ ପରିମାଣକୁ ୧୫,୨୮୯ କୋଟି ଟଙ୍କାରେ ଅନୁମୋଦନ କରିବା ପାଇଁ ଟାଟା ପ୍ରସ୍ତାବ ଦେଇଥିଲା। ସେଥିରୁ ଆୟୋଗ ୧୧,୭୮୩ କୋଟି ଟଙ୍କା ଅନୁମୋଦନ କରି ଚଳିତ ବର୍ଷର ଟାରିଫ୍ ନିର୍ଣ୍ଣୟ କରିଥିଲେ। ଆଶ୍ଚର୍ଯ୍ୟଜନକ କଥାଟି ହେଉଛି ୨୦୨୦-୨୧ ରୁ ୨୦୨୫-୨୬ ମଧ୍ୟରେ ଟାଟାର ପୁଞ୍ଜିନିବେଶ ପରିମାଣକୁ ଓଇଆରସି ୧୨,୭୮୬ କୋଟି ଟଙ୍କା ଅନୁମୋଦନ କରି ଟାରିଫ୍ ନିର୍ଣ୍ଣୟ କରିଥିବାବେଳେ ଟାଟା ଦରଖାସ୍ତରେ ମାତ୍ର ୫୬୯୮ କୋଟି ଟଙ୍କା ଦର୍ଶାଯାଇଛି।
ଓଡ଼ିଶା ବିଦ୍ୟୁତ୍ ବିତରଣ କମ୍ପାନିଗୁଡିକୁ ୨୦୨୦-୨୧ରେ ଟାଟାକୁ ହସ୍ତାନ୍ତର ହେବାପରେ ଉଭୟ ଘରୋଇ ଓ ସରକାରୀ ପୁଞ୍ଜିନିବେଶ ପ୍ରାୟ ୨୦ ହଜାର କୋଟି ଟଙ୍କା ହୋଇଥିବା ବେଳେ ବିଦ୍ୟୁତ୍ ବିତରଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ମିଟରିଂ ନହେବା, ବିଦ୍ୟୁତ୍ ବିଭ୍ରାଟ ଓ ଦୁର୍ଘଟଣାରେ ଆଖିଦୃଷ୍ଟିଆ ଉନ୍ନତି ପରିଲକ୍ଷିତ ନହେବା, ଖୋଲା ତାର ଓ ଟ୍ରାନସ୍ଫର୍ମର୍ ବିପଦଶଙ୍କୁଳ ଅବସ୍ଥା ରହିଥିବା ନେଇ ପୁଞ୍ଜିନିବେଶ ଅନୁମୋଦନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶା ବିତରଣ କମ୍ପାନି ବିଦ୍ୟୁତ୍ ବିତରଣ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ମିଟରିଂ କରିବା ପାଇଁ ଯୋଜନା କରିଥିବାବେଳେ ଦକ୍ଷିଣ ଓ ଉତ୍ତର ଓଡ଼ିଶା ବିଦ୍ୟୁତ୍ ବିତରଣ କମ୍ପାନି ସେଥିପାଇଁ କୌଣସି ପ୍ରସ୍ତାବ ଦେଇନାହାଁନ୍ତି।



