ଉତ୍କଳ ବିଶ୍ୱବିଦ୍ୟାଳୟର ୮୪ତମ ପ୍ରତିଷ୍ଠା ଦିବସ ପାଳିତ
‘ଉତ୍କଳ ବିଶ୍ୱବିଦ୍ୟାଳୟର ଇତିହାସ ହେଉଛି ଆଧୁନିକ ଓଡ଼ିଶାର ଇତିହାସ’: କୁଳପତି
ବହୁବିଧ ଶିକ୍ଷା ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତର ଆହ୍ୱାନ ପାଇଁ ପ୍ରସ୍ତୁତ କରିବ: ଡ. ଚାନ୍ଦ
ଉତ୍କଳ ବିଶ୍ୱବିଦ୍ୟାଳୟର ୮୪ତମ ପ୍ରତିଷ୍ଠା ଦିବସ ବାଣୀବିହାର ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସକାଳେ କ୍ୟାମ୍ପସ୍ରେ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ଓ ‘କୀର୍ତ୍ତନ ଯାତ୍ରା’ ସହ ଉତ୍ସବର ଶୁଭାରମ୍ଭ ହୋଇଥିଲା, ଯେଉଁଥିରେ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀମାନେ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ। ଏଥିସହିତ ଉତ୍କଳ ବିଶ୍ୱବିଦ୍ୟାଳୟର ଏନ୍ଏସ୍ଏସ୍ ବ୍ୟୁରୋ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ ହୋଇଥିବା ବେଳେ କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ କ୍ୟାମ୍ପସ୍ରେ ଔଷଧୀୟ ବୃକ୍ଷରୋପଣ ପ୍ରକଳ୍ପ ‘ଧନ୍ୱନ୍ତରୀ’ର ଶୁଭ ଉଦ୍ଘାଟନ କରିଥିଲେ।
ଏହାପରେ ଦୀକ୍ଷାନ୍ତ ଭବନରେ ଆୟୋଜିତ ମୁଖ୍ୟ ଉତ୍ସବରେ ରାଜ୍ୟପାଳ ତଥା କୁଳାଧିପତି ବ୍ରଜମୋହନ ରାମ ମୁଖ୍ୟ ଅତିଥି ଏବଂ ବେଦାନ୍ତ ଆଲୁମିନିୟମ ମେଟାଲ ଲିମିଟେଡ୍ର ଅଣ-କାର୍ଯ୍ୟନିର୍ବାହୀ ସ୍ୱାଧୀନ ନିର୍ଦ୍ଦେଶକ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ବିଦ୍ୟାର୍ଥୀ ଡ. ତପନ କୁମାର ଚାନ୍ଦ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିଲେ।
ମୁଖ୍ୟ ଅତିଥି ଭାବେ ଅଭିଭାଷଣ ପ୍ରଦାନ କରି ରାଜ୍ୟପାଳ ଶ୍ରୀ ରାମ କହିଥିଲେ ଯେ, ୧୯୪୩ ମସିହାରେ ଗୋଟିଏ ଛୋଟ କୋଠରୀରୁ ଆରମ୍ଭ ହୋଇ ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ ରାଜ୍ୟର ସର୍ବପୁରାତନ ତଥା ପ୍ରମୁଖ ଉଚ୍ଚଶିକ୍ଷା କେନ୍ଦ୍ରରେ ପରିଣତ ହୋଇଛି। ଏହି ଶିକ୍ଷାନୁଷ୍ଠାନ ଅନେକ ସୁନାମଧନ୍ୟ ପ୍ରତିଭା ସୃଷ୍ଟି କରିଥିବା ଉଲ୍ଲେଖ କରିବା ସହ ସେ ଅଧ୍ୟାପକମାନଙ୍କ ଶୈକ୍ଷିକ ଓ ଗବେଷଣାତ୍ମକ ସଫଳତା ଏବଂ ବିଶ୍ୱବିଦ୍ୟାଳୟ ଦ୍ଵାରା ଚାଲିଥିବା ଗ୍ରାମାଞ୍ଚଳ ବିକାଶ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ। ଏଥିସହ ପରିଜା ପାଠାଗାରର ବିରଳ ପ୍ରାଚୀନ ପାଣ୍ଡୁଲିପି ସଂଗ୍ରହ ଏବଂ ଏହାର ଡିଜିଟାଇଜେସନ୍ ପ୍ରକ୍ରିୟା ଆଗାମୀ ପିଢ଼ିକୁ ନିଜର ସମୃଦ୍ଧ ଐତିହ୍ୟ ଓ ସଂସ୍କୃତି ସହ ଯୋଡ଼ିବାରେ ସହାୟକ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ। ପରିଶେଷରେ ସେ ସମଗ୍ର ବିଶ୍ୱବିଦ୍ୟାଳୟ ପରିବାରକୁ ପ୍ରତିଷ୍ଠା ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।

ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମର ଉଦ୍ଘାଟନୀ ଅଭିଭାଷଣ ପ୍ରଦାନ କରି କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ ଉତ୍କଳ ବିଶ୍ୱବିଦ୍ୟାଳୟର ୮୪ ବର୍ଷର ଗୌରବମୟ ଯାତ୍ରାକୁ ଆଧୁନିକ ଓଡ଼ିଶାର ବିକାଶର ଇତିହାସ ବୋଲି ଅଭିହିତ କରିଥିଲେ। ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ ଗଠନ ପରେ ଏକ ଆଧୁନିକ ଓ ବୌଦ୍ଧିକ ଓଡ଼ିଶା ନିର୍ମାଣର ସ୍ୱପ୍ନ ଦେଖିଥିବା ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବ, ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର ଏବଂ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଭଳି ପ୍ରତିଷ୍ଠାତା ମନିଷୀମାନଙ୍କୁ ସେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଦୀର୍ଘ ୮ ଦଶନ୍ଧିର
ଏହି ଯାତ୍ରା ଏହି ମହାନ ନିର୍ମାତାମାନଙ୍କ ଦୂରଦୃଷ୍ଟିର ପ୍ରତିଫଳନ ବୋଲି ପ୍ରଫେସର ନନ୍ଦ କହିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇ ସେ , “ଉତ୍କଳର ଉତ୍ତରାଧିକାରୀ ଅପେକ୍ଷା ନ କରି ଏହାକୁ ନିଜ ହାତକୁ ନିଅ; ଏହାର ଭବିଷ୍ୟତ ସେମାନଙ୍କର, ଯେଉଁମାନେ ଏହାକୁ ସାହସର ସହ ଆପଣେଇ ପାରିବେ। ୨୦୩୬ରେ ଓଡ଼ିଶାର ଶତବାର୍ଷିକୀ, ୨୦୪୩ରେ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ଏବଂ ୨୦୪୭ରେ ‘ବିକଶିତ ଭାରତ’ ଲକ୍ଷ୍ୟକୁ ନେଇ ପ୍ରସ୍ତୁତ ‘ଉତ୍କଳ ବିଶ୍ୱବିଦ୍ୟାଳୟ ଶ୍ୱେତପତ୍ର-୨୦୨୬’ ସମ୍ପର୍କରେ ସୂଚନା ଦେଇ ସେ କହିଥିଲେ ଯେ, ଦେଶର ପ୍ରତିଷ୍ଠିତ ଶିଳ୍ପସଂସ୍ଥାଗୁଡ଼ିକ ସହ ସହଭାଗିତା ମାଧ୍ୟମରେ ବାଣୀବିହାରରେ ଗବେଷଣା ଓ ନବସୃଜନକୁ ତ୍ୱରାନ୍ୱିତ କରାଯାଉଛି। ଏଥିସହ ସବୁଜ କ୍ୟାମ୍ପସ୍, କାଗଜବିହୀନ ଡିଜିଟାଲ୍ ପ୍ରଶାସନ ଏବଂ ମେରିଟାଇମ୍ ଷ୍ଟଡିଜ୍ ଓ ଏଗ୍ରି-ଲଜିଷ୍ଟିକ୍ସ ଭଳି ନୂତନ ପାଠ୍ୟକ୍ରମ ବିଶ୍ୱବିଦ୍ୟାଳୟକୁ ନୂଆ ଦିଶା ଦେବ ବୋଲି ସେ ମତବ୍ୟକ୍ତ କରିଥିଲେ।
ପ୍ରତିଷ୍ଠା ଦିବସରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଡ. ତପନ କୁମାର ଚାନ୍ଦ କହିଥିଲେ ଯେ, ବିଶ୍ୱ ଅନେକ ଶିଳ୍ପ ବିପ୍ଳବ ଦେଖିସାରିଛି ଏବଂ ବର୍ତ୍ତମାନ ସମୟରେ ବହୁବିଧ ଶିକ୍ଷା ଓ ଦକ୍ଷତା ବିକାଶ ଉପରେ ସର୍ବାଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ଆଗାମୀ ଦିନରେ ଉତ୍କଳ ବିଶ୍ୱବିଦ୍ୟାଳୟ ସଫଳତାର ନୂଆ ଶୀର୍ଷରେ ପହଞ୍ଚିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।
ଏହି ଅବସରରେ ଶିଳ୍ପ ସହଭାଗିତା ନିମନ୍ତେ ନବରତ୍ନ ସଂସ୍ଥା ଏନ୍ଏଲ୍ସି ଇଣ୍ଡିଆ ଲିମିଟେଡ୍ ସହ ଏକ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏଥିସହ ବିଶ୍ୱବିଦ୍ୟାଳୟର ‘ସେଣ୍ଟର ଅଫ୍ ଏକ୍ସେଲେନ୍ସ ଇନ୍ ଷ୍ଟଡିଜ୍ ଅନ୍ ଟ୍ରାଇବାଲ୍ ଆଣ୍ଡ୍ ମାର୍ଜିନାଲାଇଜଡ୍ କମ୍ୟୁନିଟିଜ୍’ ପକ୍ଷରୁ ଡ. ବିନୟ କୁମାର କୁଇତି, ଡ. ଶୁଭେନ୍ଦୁ କୁମାର ଆଚାର୍ଯ୍ୟ ଓ ପ୍ରଫେସର ପ୍ରସନ୍ନ କୁମାର ପାତ୍ରଙ୍କ ଦ୍ୱାରା ରଚିତ ପୁସ୍ତକ ‘ଦି ଟେଷ୍ଟ ଅଫ୍ ଦି ହିଲ୍ସ: ଫୁଡ୍ୱେଜ୍ ଆଣ୍ଡ୍ ଆଇଡେଣ୍ଟିଟି ଏମଙ୍ଗ ଦି ବଣ୍ଡା ଆଣ୍ଡ୍ ଦିଦାୟୀ ଅଫ୍ ମାଲକାନଗିରି’ ଉନ୍ମୋଚିତ ହୋଇଯାଇଛି।
ପିଜି କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ଜଜ୍ଞେଶ୍ୱର ଦଣ୍ଡପାଟ ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ସହ ବିଶ୍ୱବିଦ୍ୟାଳୟର ୮୪ ବର୍ଷର ଗୌରବମୟ ଶୈକ୍ଷିକ ପରମ୍ପରା ଉପରେ ଆଲୋକପାତ କରିଥିଲେ। ଏହାପରେ କୁଳସଚିବ ଡ. ସ୍ୱାତୀ ମିଶ୍ର ବିଶ୍ୱବିଦ୍ୟାଳୟର ବାର୍ଷିକ ବିବରଣୀ ଉପସ୍ଥାପନ କରି ଗତ ଏକ ବର୍ଷ ମଧ୍ୟରେ ବିଶ୍ୱବିଦ୍ୟାଳୟ ହାସଲ କରିଥିବା ବିଭିନ୍ନ ଶୈକ୍ଷିକ, ଗବେଷଣାତ୍ମକ ତଥା ଭିତ୍ତିଭୂମି ବିକାଶମୂଳକ ସଫଳତାର ବିସ୍ତୃତ ଚିତ୍ର ପ୍ରଦାନ କରିଥିଲେ। ବିଭିନ୍ନ ବିଭାଗରେ ଶୈକ୍ଷିକ ଉତ୍କର୍ଷତା ପ୍ରତିପାଦନ କରିଥିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ସ୍ୱର୍ଣ୍ଣ ପଦକ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଉକ୍ତ ସମାରୋହରେ ଛାତ୍ରମଙ୍ଗଳ ନିର୍ଦ୍ଦେଶିକା ପ୍ରଫେସର ଭାସ୍ୱତୀ ପଟ୍ଟନାୟକ, ଡ. ରୁଦ୍ରନାରାୟଣ ମହାପାତ୍ର, ଡ. ସ୍ୱପ୍ନା ପ୍ରଭୁ ଏବଂ ଡ. କୀର୍ତ୍ତିରଞ୍ଜନ ଉପସ୍ଥିତ ରହି ସମଗ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏହି ଐତିହାସିକ ଉତ୍ସବରେ ସିଣ୍ଡିକେଟ୍ ସଦସ୍ୟବୃନ୍ଦ, ବିଭିନ୍ନ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକା, ଗବେଷକ, ଛାତ୍ର ସଂସଦ ପ୍ରତିନିଧି, ଛାତ୍ରଛାତ୍ରୀ, ପୁରାତନ ବିଦ୍ୟାର୍ଥୀ ଯୋଗ ଦେଇଥିଲେ |