Skip to main content

welcome to business breaking

BusinessBreaking - Responsive Header
Loading date... Loading time...

‘ଅକବାନ୍’ ବାତ୍ୟା ପ୍ରସ୍ତୁତି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜାରି

‘ଅକବାନ୍’ ବାତ୍ୟା ପ୍ରସ୍ତୁତି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜାରି

‘ଅକବାନ୍’ ବାତ୍ୟା ପ୍ରସ୍ତୁତି ସଂପର୍କରେ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଆଜି ସକାଳେ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ସ୍ଥିତି ଅନୁଧ୍ୟାନ କରି ମୁଖ୍ୟ ଶାସନ ସଚିବ ଗଣମାଧ୍ୟମକୁ ସୂଚନା ଦେଇଥିଲେ | ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଆକଳନ ଅନୁସାରେ ‘ଅକବାନ’ ବାତ୍ୟାର ସମ୍ଭାବ୍ୟ ଗତିପଥ ପୁରୀ ଓ ଗୋପାଳପୁର ମଝିରେ ହେବାର ସମ୍ଭାବନା ରହିଛି | ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି ଓ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି | ଏ ନେଇ ସମ୍ଭାବ୍ୟ ପ୍ରଭାବିତଙ୍କୁ ସୁରକ୍ଷିତ ସ୍ଥାନକୁ ବିସ୍ଥାପନ କରାଯାଉଛି |

ସଦ୍ୟତମ ସୂଚନା ଅନୁସାରେ ସମ୍ବେଦନଶୀଳ ୬୧୦୯ ସ୍ଥାନ ଚିହ୍ନଟ କରାଯାଇ ସେସବୁ ସ୍ଥାନରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ବିସ୍ଥାପନ କରାଯାଉଛି | କାଲି ସଂଧ୍ୟାରେ ବିସ୍ଥାପନ କାର୍ଯ୍ୟ ଜାରି ରହିରହିଥିବା ବେଳେ ଆଜି ସକାଳୁ ମଧ୍ୟ ଏହି କାର୍ଯ୍ୟ ଚାଲିଛି | ଆମେ ଯେତେ ଅଧିକ ଆବଶ୍ୟକ, ସେତେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବୁ | ଏଥିପାଇଁ ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାରେ ୯୨୯୯ ବାତ୍ୟା ଆଶ୍ରୟସ୍ଥଳ ଚିହ୍ନଟ କରାଯାଇଛି | ସେଠାରେ ଲୋକମାନଙ୍କର ଏବଂ ଶିଶୁମାନଙ୍କର ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟର ବ୍ୟବସ୍ଥା, ଜରୁରୀ ଔଷଧ, ପିଇବା ପାଣି, ସାନିଟାରୀ ନାପକିନ୍ ସୁବିଧା ଏବଂ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଉଛି | ଆଶା ଓ ଅଙ୍ଗନବାଡି କର୍ମୀମାନଙ୍କୁ ନିୟୋଜିତ କରାଯାଇଛି | ଆଗୁଆ ପଦକ୍ଷେପ ସ୍ୱରୂପ ୩୦ ନଭେମ୍ବର ସୁଦ୍ଧା ଆସନ୍ନ ପ୍ରସବା ଥିବା ଗର୍ଭବତୀ ମହିଳାମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରଣ କରାଯାଇଛି |

ଅଦ୍ୟାବଧି ପ୍ରାୟ ୧,୦୫,୩୦୪ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି ଓ ଏହି ପ୍ରକ୍ରିୟା ଜାରି ରହିଛି | ସେମାନଙ୍କୁ ୧୨୨୪ଟି ବାତ୍ୟା-ବନ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି | ଗଂଜାମ ଜିଲ୍ଲାର ୪୫ ୩୬୪ ଏବଂ ଗଜପତି ଜିଲ୍ଲାର ୧୮,୦୦୦ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି ଓ ଏହି ପ୍ରକ୍ରିୟା ଜାରି ରହିଛି | ଗଜପତି ଓ କନ୍ଧମାଳ ଜିଲ୍ଲାରେ ଅଂଚଳରୁ ଭୁସ୍ଖଳନ ସମ୍ଭାବନା ଥିବା ଅଂଚଳରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଛି | ପାହାଡତଳି ଅଂଚଳର ଗ୍ରାମବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି |

ନେଟ୍ଓ୍ୱାର୍କ ସମସ୍ୟା ରହୁଥିବା ଅଂଚଳରେ ଟେଲିକମ ବିଭାଗ ତରଫରୁ ଅତିରିକ୍ତ ସାଟେଲାଇଟ୍ ଫୋନ୍ ଏବଂ ସେଲ ଅନ୍ ହୁଇଲ୍ ବ୍ୟବସ୍ଥା ମାଧ୍ୟମରେ ସୂଚନା ପ୍ରଦାନ କରାଯାଉଛି | ୬୦ଟି ଓଡ୍ରାଫ୍ ଟିମ୍, ୧୪ ଏନଡିଆରଏଫ୍ ଟିମ୍ ୨୨୧ଟି ଅଗ୍ନିଶମ ବିଭାଗ ଟିମ୍ ବିଭିନ୍ନ ଜିଲ୍ଲାରେ ମୁତୟନ ହୋଇଛନ୍ତି | ଆବଶ୍ୟକ ସ୍ଥଳେ ଅଧିକ ବ୍ୟବସ୍ଥା କରାଯିବ | ବାତ୍ୟା ପ୍ରଭାବରେ ରାସ୍ତା ଅବରୋଧକୁ ଦୃଷ୍ଟିରେ ରଖି ଓଏଫଡିସି ପକ୍ଷରୁ ୧୦୦ ଟିମ୍ ନିୟୋଜିତ ହୋଇଛନ୍ତି । ଗୋପାଳପୁର, ପୁରୀ, ସାତପଡା, ଚିଲିକା ସମେତ ସବୁ ସମୁଦ୍ରକୂଳକୁ ପର୍ଯ୍ୟଟକମାନଙ୍କୁ ଯିବାକୁ ବାରଣ କରାଯାଇଛି | ଉପକୂଳ ଅଂଚଳର ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି | ଯେଉଁମାନେ ପୂର୍ବରୁ ଯାଇଛନ୍ତି ସେମାନେ ଫେରି ଆସିଛନ୍ତି |

କଳିଙ୍ଗା ଘାଟି ଓ ଗଜଲବାଡି ରାସ୍ତାରେ ଲୋକମାନଙ୍କୁ ନଯିବା ପାଇଁ ଅନୁରୋଧ ସହ ରାସ୍ତା ବନ୍ଦ କରାଯାଇଛି | ଭାରତୀୟ ତଟରକ୍ଷୀ ବାହିନୀ କର୍ତ୍ତୃପକ୍ଷଙ୍କ ସହିତ ନିୟମିତ ଯୋଗାଯୋଗ ରଖାଯାଇଛି | ଆବଶ୍ୟକ ସ୍ଥଳେ ହେଲିକପ୍ଟର ଓ କ୍ରେନ୍ ସହାୟତା ନିଆଯିବା ପାଇଁ ପ୍ରସ୍ତୁତି ରହିଛି | ରେଳ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ ରଖାଯାଇଛି | କେତେକ ଟ୍ରେନ୍ ର ଚଳାଚଳ ପୁନଃ ସମୟ ନିର୍ଦ୍ଧାରଣ କରାଯାଇଛି , କେତେକ ବାତିଲ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ବାତ୍ୟା ଫଳରେ ଲଗାଣ ବର୍ଷା ହେଲେ ବନ୍ୟାସ୍ଥିତି ଉପୁଜିବାକୁ ଦୃଷ୍ଟିରେ ରଖି ଜଳ ନିଷ୍କାସନ ବ୍ୟବସ୍ଥା ପାଇଁ ପ୍ରସ୍ତୁତି କରାଯାଇଛି । ଜଳ ସମ୍ପଦ ବିଭାଗ ପକ୍ଷରୁ ରାତ୍ରୀକାଳୀନ ପେଟ୍ରୋଲିଂ ଏବଂ ୨୪ ଘଣ୍ଚିଆ ନିରୀକ୍ଷଣ ସହ କଣ୍ଟ୍ରୋଲ ରୁମ୍ କାର‌୍ୟ୍ୟ କରୁଛି | ବରିଷ୍ଠ ଯନ୍ତ୍ରୀମାନେ ବିଭିନ୍ନ ନଦୀବନ୍ଧ ଓ ଜଳଭଣ୍ଡାର ଅଂଚଳରେ ମୁତୟନ ହୋଇଛନ୍ତି | ସ୍ଥାନୀୟ ଜନସାଧାରଣ ଓ ବିଭିନ୍ନ ଗୋଷ୍ଠୀମାନଙ୍କ ସହାୟତାରେ ଆମେ ପ୍ରସ୍ତୁତିକୁ ତ୍ୱରାନିତ କରିଛୁ ବୋଲି ମୁଖ୍ୟ ଶାସନ ସଚିବ ପ୍ରକାଶ କରିଛନ୍ତି ।

ଗଞ୍ଜାମ,ଗଜପତି, ପୁରୀ, କନ୍ଧମାଳ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ବାଲେଶ୍ୱର, ମୟୂରଭଞ୍ଜ ଆଦି ଉପକୂଳବର୍ତ୍ତୀ ଜିଲ୍ଲା ସହ ଅନ୍ୟ ଜିଲ୍ଲାଗୁଡ଼ିକ, ବିଶେଷ କରି ଯେଉଁଗୁଡିକ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅରେଂଜ ଓ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି , ସେ ସବୁ ଜିଲ୍ଲା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି | ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କୁ ପୂର୍ବରୁ ଅଭିଜ୍ଞତା ଥିବା ବରିଷ୍ଠ ଆଇଏଏସ୍ ଅଧିକାରୀମାନଙ୍କୁ ମୁତୟନ କରାଯାଇଛି | ସେହି ସବୁ ଜିଲ୍ଲାରେ ସରକାରୀ ଅଧିକାରୀମାନଙ୍କର ଛୁଟି ବାତିଲ କରାଯାଇଛି | ସଂପୃକ୍ତ ଜିଲ୍ଲାପାଳମାନେ ତତ୍ପରତାର ସହିତ ସମସ୍ତ କାର୍ଯ୍ୟ କରୁଛନ୍ତି | ସମସ୍ତ ଜିଲ୍ଲାରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ କାର୍ଯ୍ୟ କରୁଛି | ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ନିୟମିତ ପ୍ରସ୍ତୁତି ସମୀକ୍ଷା ଓ ପଦକ୍ଷେପ ଗ୍ରହଣ କରାଯାଉଛି | ଜିରୋ କାଜୁଆଲିଟି ହେଉଛି ଓଡ଼ିଶା ସରକାରଙ୍କ ପ୍ରାଥମିକତା | ଏହି ଲକ୍ଷ୍ୟରେ ଆମେ କାର୍ଯ୍ୟ କରୁଛୁ ଓ ରାଜ୍ୟ ସରକାରଙ୍କ ତରଫରୁ ବାତ୍ୟା ମୁକାବିଲା ନେଇ ସମସ୍ତ ପ୍ରସ୍ତୁତି କରାଯାଉଛି ବୋଲି ମୁଖ୍ୟ ସଚିବ ପ୍ରକାଶ କରିଥିଲେ |

editor

Related Articles

Leave a Reply

Your email address will not be published. Required fields are marked *