Skip to main content

welcome to business breaking

BusinessBreaking - Responsive Header
Loading date... Loading time...
H & UD: ବର୍ଜ୍ୟ ଉତ୍ପାଦନକାରୀଙ୍କ ବିରୋଧରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର ମହାନଗର ନିଗମର ଅନେକ ସ୍ଥାନରେ ବର୍ଜ୍ୟବସ୍ତୁ ଅବିଚାରିତ ଭାବେ ଜମା କରାଯାଉଛି। ପ୍ରଶାସନ ପକ୍ଷରୁ ଏନେଇ ସଚେତନ କରାଯାଉଥିଲେ ମଧ୍ୟ ଧରପଗଡ଼ ଓ କାର୍ଯ୍ୟାନୁଷ୍ଠାନରେ କୋହଳ ନୀତି ଯୋଗୁଁ ସହର ବିଶେଷତଃ ସହରତଳି ଓ ରାସ୍ତାକଡ଼ ଆବର୍ଜନାମୟ ହୋଇଛି। ଏଣୁ ବର୍ଜ୍ୟ ଉତ୍ପାଦନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ-୨୦୨୬ର ଏକ ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି।

କମିଟିର ରାଜ୍ୟସ୍ତରୀୟ ପ୍ରଥମ ବୈଠକ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଅଧ୍ୟକ୍ଷତା କରିଥିଲେ | ନିୟମରେ ଥିବା ବିଭିନ୍ନ ବ୍ୟବସ୍ଥା, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ, ବିଭାଗୀୟ ଦାୟିତ୍ୱ ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି।

ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସପିସିବି)ର ଏହି ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଊଷା ପାଢୀଙ୍କ ସମେତ କମିଟିର ସଦସ୍ୟ ଥିବା ସଂପୃକ୍ତ ବିଭାଗର ସଚିବ ଏବଂ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ। ଓଏସପିସିବିର ସଦସ୍ୟ ସଚିବ ଡ ମନୋଜ ଭି. ନାୟାର ନିଜ ଉପସ୍ଥାପନରେ, କଠିନ ବର୍ଜ୍ୟବସ୍ତୁ ସଂଗ୍ରହ ଓ ନିଷ୍କାସନ ସହିତ ଉତ୍ସସ୍ଥଳରୁ ବର୍ଜ୍ୟ ପୃଥକୀକରଣ, ବୈଜ୍ଞାନିକ ପ୍ରକ୍ରିୟାକରଣ, ଡିଜିଟାଲ୍ ତଦାରଖ ବ୍ୟବସ୍ଥା ଏବଂ ସମସ୍ତ ଅଂଶୀଦାରଙ୍କ ଉତ୍ତରଦାୟିତ୍ୱକୁ ଗୁରୁତ୍ବ ଦେବା ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ମତ ଦେଇଥିଲେ।

ସହରାଞ୍ଚଳରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା, ସଂଗ୍ରହ, ପୃଥକୀକରଣ ଓ ବୈଜ୍ଞାନିକ ପ୍ରକ୍ରିୟାକରଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଅବଶିଷ୍ଟ ବର୍ଜ୍ୟର ସୁରକ୍ଷିତ ନିଷ୍କାସନ ସୁନିଶ୍ଚିତ କରିବା ଉପରେ ଆଲୋଚନା ହୋଇଥିଲା । ଜିଲ୍ଲାପାଳମାନଙ୍କୁ ନିଜ ଜିଲ୍ଲାରେ ସଲିଡ୍ ୱେଷ୍ଟ ପରିଚାଳନା ବ୍ୟବସ୍ଥା, ସମନ୍ୱିତ ତଦାରଖ ଓ ଅନୁପାଳନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଦ୍ୟାଳୟ ପାଠ୍ୟକ୍ରମରେ କଠିନ ବର୍ଜ୍ୟବସ୍ତୁ ପରିଚାଳନାକୁ ସାମିଲ କରିବା ସହ ଛାତ୍ରଛାତ୍ରୀଙ୍କୁ ପରିବେଶ ସୁରକ୍ଷା ଓ ସ୍ୱଚ୍ଛତା ସମ୍ପର୍କରେ ସଚେତନ କରିବା ଦିଗରେ ସବିଶେଷ ଆଲୋଚନା ହୋଇଛି । ଗୃହ ଓ ନଗର ଉନ୍ନୟନ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଜିଲ୍ଲା ପ୍ରଶାସନ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ସମ୍ପୃକ୍ତ ଅନ୍ୟାନ୍ୟ ସଂସ୍ଥା ମଧ୍ୟରେ ଘନିଷ୍ଠ ସମନ୍ୱୟ ଓ ନିୟମିତ ସମୀକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି ।

editor

Related Articles

Leave a Reply

Your email address will not be published. Required fields are marked *