Responsive Image Link
Department
Trending

LAW: ଶ୍ରୀମନ୍ଦିରରେ ୫ଟି ଧାଡିରେ ଦର୍ଶନ କରିବେ ଶ୍ରଦ୍ଧାଳୁ

ଖୁବଶୀଘ୍ର ପ୍ରସ୍ତୁତ ହେବ ପାଇଲଟ ମଡେଲ

ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପୁରୀ ଶ୍ରୀମନ୍ଦିର ପ୍ରତି ସାରା ବିଶ୍ୱବାସୀଙ୍କ ଅହେତୁକ ଭକ୍ତି ଓ ଆଗ୍ରହ ରହିଛି I ତେଣୁ ପ୍ରତିବର୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି I ବିଶେଷ କରି ଛୁଟିଦିନ ମାନଙ୍କରେ ଏହି ସଂଖ୍ୟା ବହୁଗୁଣିତ ହେଉଛି I ଏହାକୁ ଦୃଷ୍ଟିରେ ରଖି ସବୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନକୁ ସୁନିଶ୍ଚିତ କରିବା ଲାଗି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି I

ଲୋକସେବା ଭବନସ୍ଥିତ ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ଶୃଙ୍ଖଳିତ ଧାଡ଼ି ଦର୍ଶନ ନେଇ ବିଭିନ୍ନ ମଡେଲ ପ୍ରଦର୍ଶିତ କରାଯାଇଥିଲା I ଏହାକୁ ଅନୁଧ୍ୟାନ କରି ସର୍ବଶ୍ରେଷ୍ଠ ମଡେଲକୁ କିଭଳି ଭାବେ କାର୍ଯ୍ୟକାରୀ କରାଯାଇ ପାରିବ ସେଥିନେଇ ଆଲୋଚନା ହୋଇଥିଲା I ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ସାତ ପାହାଚରୁ ଭିଡ ନିୟନ୍ତ୍ରିତ କରାଯାଇ ସବୁ ଭକ୍ତଙ୍କୁ ଶୃଙ୍ଖଳିତ ଭାବେ ମନ୍ଦିର ପ୍ରବେଶ କରାଇବା ସମ୍ଭବ ହୋଇ ପାରିବ I ଏଥି ସହିତ ଭକ୍ତମାନେ ୫ଟି ଅଲଗା ଅଲଗା ରାମ୍ପ ଯୋଗେ ଶୃଙ୍ଖଳିତ ଦର୍ଶନ କରିପାରିବେ I ଫଳରେ ପ୍ରତି ଏକ ଘଣ୍ଟାରେ ପ୍ରାୟ ୮ ରୁ ୧୦ ହଜାର ଭକ୍ତ / ଶ୍ରଦ୍ଧାଳୁ ଶୃଙ୍ଖଳିତ ଦର୍ଶନ କରି ପାରିବେ I ଏହାର ସଠିକ କାର୍ଯ୍ୟକାରିତା ନେଇ ଖୁବ ଶୀଘ୍ର ଏକ ପାଇଲଟ ମଡେଲ ପ୍ରସ୍ତୁତ କରାଯିବା ସହିତ ଛତିଶା ନିଯୋଗ ଏବଂ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଅନୁଧ୍ୟାନ କାରାଯିବ I ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ ଯୋଜନାକୁ ବାସ୍ତବ ରୂପ ଦିଆଯିବା ନେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇଥିଲେ I

ବୈଠକରେ ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଡ. ପବିତ୍ର ମୋହନ ସାମଲ, ପୁରୀ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ, ଆଇନ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ପ୍ରଣବ କୁମାର ପାତ୍ର, ଅତିରିକ୍ତ ଶାସନ ସଚିବ ଶିବ ପ୍ରସାଦ ମହାପାତ୍ର, ପୂର୍ତ୍ତ ବିଭାଗ ଉପଦେଷ୍ଟା ଜେ. କେ. ଦାସ, ଓବିସିସି ମୁଖ୍ୟ ପରିଚାଳକ ଶ୍ରୀଧର ରାଉତଙ୍କ ସମେତ ଆଇଆଇଟି ଭୁବନେଶ୍ୱରର ବୈଷୟିକ ପରାମର୍ଶଦାତା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ I

Show More

Related Articles

Leave a Reply

Your email address will not be published. Required fields are marked *

Back to top button