Responsive Image Link
Department
Trending

WORKS: ଖୋରଧା ଜିଲ୍ଲା ଓ ଚିଲିକା ନିର୍ବାଚନ ମଣ୍ଡଳୀରେ ପାଇପ ଜଳଯୋଗାଣ ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସମୀକ୍ଷା ବୈଠକ

ଧାର୍ଯ୍ୟ ସମୟସୀମା ମଧ୍ୟରେ ସମସ୍ତ ନିର୍ମାଣ ପ୍ରକଳ୍ପ ଶେଷ କରିବାକୁ ନିର୍ଦ୍ଦେଶ

ନିର୍ମାଣରେ ବିଳମ୍ବ ପାଇଁ ହେବ କାର୍ଯ୍ୟାନୁଷ୍ଠାନ

ଖୋରଧା ଜିଲ୍ଲା ତଥା ଚିଲିକା ନିର୍ବାଚନ ମଣ୍ଡଳୀରେ ପାଇପ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ନେଇ ଏକ ସମୀକ୍ଷା ବୈଠକ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଚିଲିକା-ଟାଙ୍ଗୀ-ବାଣପୁର ପାଇପ୍‌ ଜଳଯୋଗାଣ ପ୍ରକଳ୍ପ, ବାଣପୁର ବ୍ଲକ୍‌ ଅନ୍ତର୍ଗତ ରାଣୀପଡ଼ା କ୍ଲଷ୍ଟର ଏବଂ ବେଗୁନିଆ-ବୋଲଗଡ଼ ପ୍ରକଳ୍ପ ଅନ୍ତର୍ଗତ ପାଇପ ଜଳଯୋଗାଣ ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା ହୋଇଥିଲା । ଏଥି ସହିତ ବାଲିପାଟଣା, ବାଲିଅନ୍ତା ଏବଂ ଭୁବନେଶ୍ୱର ବ୍ଲକ୍‌ ଅନ୍ତର୍ଗତ ପାଇପ ଜଳଯୋଗାଣ ପ୍ରକଳ୍ପ ନେଇ ଆଲୋଚନା ହୋଇଥିଲା ।

ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ପାଇପ ଯୋଗେ ସବୁ ପରିବାରକୁ ବିଶୁଦ୍ଧ ପାଇପ ଜଳ ଯୋଗାଇବା ଲକ୍ଷ୍ୟ ପୂରଣ କରିବାକୁ ହେଲେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ସହିତ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରିତ ଗତିରେ ଆଗକୁ ନେବାକୁ ପଡ଼ିବ । ଏଥି ସହିତ ଜମି ଅଧିଗ୍ରହଣ, ଜଙ୍ଗଲ ଜମି ଅନୁମୋଦନ, ଜବରଦଖଲ ଉଚ୍ଛେଦ ଆଦି ସମସ୍ୟାକୁ ଉପଯୁକ୍ତ କର୍ତ୍ତୃପକ୍ଷ ମାଧ୍ୟମରେ ସମାଧାନ କରିବାକୁ ପଡ଼ିବ | ଏଥି ସହିତ ବୃହତ୍‌ ପ୍ରକଳ୍ପ କାର୍ଯ୍ୟକାରୀ କରିବା ସମୟରେ ଆଗାମୀ ୩୦ରୁ ୫୦ ବର୍ଷକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ । ଏହା ଦ୍ୱାରା ଅଯଥା ଭଙ୍ଗାରୁଜାରୁ ମୁକ୍ତି ମିଳିବ ବୋଲି ସେ କହିଥିଲେ ।

ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଆହୁରି ମଧ୍ୟ କହିଲେ ଯେ ଅନେକ ସମୟରେ ଠିକା ସଂସ୍ଥାମାନେ କାର୍ଯ୍ୟଭାର ହାତକୁ ନେବା ପରେ ବିଭିନ୍ନ ଆଳ ଦେଖାଇ କାର୍ଯ୍ୟକୁ ଅଯଥା ବିଳମ୍ବ କରୁଥିବା ଦେଖାଯାଉଛି । ଏସବୁ କ୍ଷେତ୍ରରେ ବିଭାଗୀୟ ଅଧିକାରୀ, ମୁଖ୍ୟଯନ୍ତ୍ରୀ ଏବଂ ଅଧୀକ୍ଷଣ ଯନ୍ତ୍ରୀମାନେ କାର୍ଯ୍ୟ ତଦାରଖ କରିବା ସହ ଆବଶ୍ୟକ ହେଲେ ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

ଏହି ସମୀକ୍ଷା ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ଶାସନ ସଚିବ ଗିରୀଶ ଏସ୍‌. ଏନ୍‌, ପାନୀୟ ଜଳଯୋଗାଣ ନିର୍ଦ୍ଦେଶକ ବିନୀତ୍‌ ଭରଦ୍ୱାଜ, ଖୋରଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗର ଇଞ୍ଜିନିୟର-ଇନ୍-ଚିଫ୍ ରତ୍ନାକର ସିଆଳ, ଖୋର୍ଦ୍ଧା ଜିଲ୍ଲା ବନଖଣ୍ଡ ଅଧିକାରୀ ଗଜାନନ ଲାଡେ, ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗର ମୁଖ୍ୟଯନ୍ତ୍ରୀ ମନୋରଞ୍ଜନ ଜେନା, ଚିଲିକା ବିଡ଼ିଓ ପୂନମ୍ ମହାପାତ୍ର, ଚିଲିକା ବ୍ଲକ୍ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ବେହେରା, ବାଣପୁର ବ୍ଲକ୍ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ଅଧୀକ୍ଷଣ ଯନ୍ତ୍ରୀ ରଶ୍ମିତା ଦାସଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏବଂ ଠିକା ସଂସ୍ଥାର କାର୍ଯ୍ୟନିର୍ବାହୀ ପ୍ରମୁଖ ଉପସ୍ଥିତ ଥିଲେ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button