
ସିକଲସେଲ୍ ରୋଗୀଙ୍କୁ ଗୁରୁତର ସଂକ୍ରମଣରୁ ସୁରକ୍ଷା ଦେବା ପାଇଁ ଅନୁଗୋଳରୁ ଆରମ୍ଭ ହୋଇଛି ଟିକାକରଣ। ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରିଛନ୍ତି। ସୂଚନା ମୁତାବକ, ସିକଲସେଲ୍ ରୋଗୀଙ୍କ ସଂକ୍ରମଣ ଓ ରୋଗଜନିତ ଜଟିଳତା ହ୍ରାସ କରିବା ଉଦ୍ଦେଶ୍ୟରେ ଅନୁଗୋଳରେ ନିମାକୋକାଲ୍ କଞ୍ଜୁଗେଟ୍ ଟିକା ଓ ନିମାକୋକାଲ୍ ପାଳିସାକାରାଡ ଟିକାକରଣର ଏକ ସ୍ୱତନ୍ତ୍ର ଅଭିଯାନର ଶୁଭାରମ୍ଭ ହୋଇଛି।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମ୍ମିଳନୀ କକ୍ଷରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସ୍ୱତନ୍ତ୍ର ଅଭିଯାନର ଶୁଭାରମ୍ଭ କରିଛନ୍ତି। ସିକଲସେଲ୍ ରୋଗକୁ ପ୍ରତିହତ ପାଇଁ ସାମାଜିକ ପରିବର୍ତ୍ତନ ଅତ୍ୟନ୍ତ ଜରୁରି ବୋଲି ସେ କହିଥିଲେ। ଏଥିପାଇଁ ଗୋଟିଏ ପରିବାର କିମ୍ବା ବାହକଙ୍କ ମଧ୍ୟରେ ବିବାହ ପ୍ରଥାକୁ ବନ୍ଦ କରିବା ସହ ବ୍ୟାପକ ଜନସଚେତନତା ସୃଷ୍ଟି କରିବାକୁ ସେ ଆହ୍ୱାନ ଦେଇଥିଲେ। ଏହି ମହତ ପଦକ୍ଷେପ ଓ ଆନୁଷଙ୍ଗିକ ପ୍ରସ୍ତୁତି ପାଇଁ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗକୁ ମନ୍ତ୍ରୀ ଧନ୍ୟବାଦ ଦେଇଥିଲେ। ରାଜ୍ୟରେ ୬୬ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ସ୍କ୍ରିନିଂ କରାଯାଇଥିବା ବେଳେ ପ୍ରାୟ ୧.୨୦ ଲକ୍ଷ ରୋଗୀ ଚିହ୍ନଟ ହୋଇଛନ୍ତି।
ସେଥିମଧ୍ୟରୁ ଅନୁଗୋଳ ଜିଲ୍ଲାରେ ଚିହ୍ନଟ ୧୭୮୫ ସିକଲସେଲ୍ ରୋଗୀ ଏହି ଅଭିଯାନ ମାଧ୍ୟମରେ ସମ୍ପୂର୍ଣ୍ଣ ମାଗଣାରେ ଟିକାକରଣ ସୁବିଧା ପାଇବେ। ଏହି ଅଭିଯାନରେ ୬ରୁ ୪୦ ବର୍ଷ ବୟସର ସିକଲସେଲ୍ ରୋଗୀଙ୍କୁ ସାମିଲ କରାଯିବ। ତେବେ ଗର୍ଭବତୀ ଓ ଶିଶୁମାନେ ଏହି ଅଭିଯାନରୁ ବାଦ୍ ପଡ଼ିବେ। ଏହି ଦୁଇଟି ଟିକାର ଡୋଜ୍ ବଜାରରେ ୪ ହଜାର ଟଙ୍କାରୁ ଅଧିକ ଥିବାବେଳେ ଏହା ଦେୟମୁକ୍ତ ଦିଆଯିବ। ଏହି ଅଭିଯାନ ଅନୁଯାୟୀ, ପ୍ରଥମେ ପିଭିସି-୧୩ ଗୋଟିଏ ଡୋଜ୍ ଦିଆଯିବ। ଏହାର ୮ ସପ୍ତାହ ପରେ ପିପିଏସ୍ଭି-୨୩ର ଗୋଟିଏ ଡୋଜ୍ ଦିଆଯିବ। ଏହି ଟିକାକରଣ ବ୍ୟବସ୍ଥା ସିକଲସେଲ୍ ରୋଗୀଙ୍କୁ ନିମୋକୋକାଲ୍ ସଂକ୍ରମଣରୁ ଅଧିକ ସୁରକ୍ଷା ପ୍ରଦାନ କରିବା ସହ ରୋଗଜନିତ ଜଟିଳତା ହ୍ରାସରେ ସହାୟକ ହେବ। ଦେଶରେ ତୃତୀୟ ରାଜ୍ୟ ଭାବରେ ଓଡ଼ିଶା ଦେୟମୁକ୍ତ ଭାବେ ଏହି ଟିକାକରଣ ଆରମ୍ଭ କରିଛି ବୋଲି ମନ୍ତ୍ରୀ କହିଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି, ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଜିଲ୍ଲାପାଳ ଅବ୍ଦାଲ୍ ମହମ୍ମଦ ଅଖ୍ତର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମଦନମୋହନ ପ୍ରଧାନ, ପବିତ୍ର ମୋହନ ମେଡିକାଲ କଲେଜର ଡିନ୍ ଡା. କୀର୍ତ୍ତିରେଖା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।



