Skip to main content

welcome to business breaking

BusinessBreaking - Responsive Header
Loading date... Loading time...
REVENUE: ବର୍ଷା ଏବଂ ବନ୍ୟା ଜନିତ କ୍ଷୟକ୍ଷତିର ତ୍ୱରିତ ଆକଳନ ଓ ପ୍ରଭାବିତଙ୍କୁ ତୁରନ୍ତ ସହାୟତା ପ୍ରଦାନ ପାଇଁ ରାଜସ୍ୱ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ବନ୍ୟା ପ୍ରଭାବିତ ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ରାଜସ୍ୱ ମନ୍ତ୍ରୀଙ୍କ ସ୍ଥିତି ଅନୁଧ୍ୟାନ

ଫସଲ, ମାଛଧରା ଜାଲ, ଡଙ୍ଗା ଓ ଘରବାଡ଼ି କ୍ଷୟକ୍ଷତିର ରିପୋର୍ଟ ଶୀଘ୍ର ଦାଖଲ ପାଇଁ ନିର୍ଦ୍ଦେଶ

ତ୍ଵରିତ କ୍ଷତିପୂରଣ ପ୍ରଦାନ ସହ ବନ୍ୟାରେ କ୍ଷତିଗ୍ରସ୍ତ ରାସ୍ତାର ତୁରନ୍ତ ମରାମତି ଉପରେ ଗୁରୁତ୍ୱ

ଝାରସୁଗୁଡ଼ା ଏବଂ ବରଗଡ଼ ଜିଲ୍ଲାର ଲଗାଣ ବର୍ଷା ଏବଂ ବନ୍ୟା ପ୍ରଭାବିତ ଅଞ୍ଚଳରେ କ୍ଷୟକ୍ଷତିର ତ୍ୱରିତ ଆକଳନ କରି ପ୍ରଭାବିତ ଲୋକଙ୍କୁ ସରକାରୀ ସହାୟତା ଓ କ୍ଷତିପୂରଣ ଯଥାଶୀଘ୍ର ପ୍ରଦାନ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜସ୍ୱ ମନ୍ତ୍ରୀ ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି କ୍ଷୟକ୍ଷତି ଓ ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ।

ବ୍ରଜରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନ ଲଖନପୁର ତହସିଲର ଶୁଖାସୋଡ଼ା ଓ ସେମିଲିଆ ଗ୍ରାମ ପରିଦର୍ଶନ କରି ମନ୍ତ୍ରୀ ବନ୍ୟା ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ବିଶେଷକରି ମତ୍ସ୍ୟଜୀବୀ ସମ୍ପ୍ରଦାୟର ସମସ୍ୟା ଶୁଣିବା ସହ ବନ୍ୟା ଯୋଗୁଁ ସେମାନଙ୍କର ମାଛଧରା ଜାଲ ଓ ଡଙ୍ଗାର କ୍ଷୟକ୍ଷତି ସମ୍ପର୍କରେ ସେ ଅବଗତ ହୋଇଥିଲେ। ଏହି ଅବସରରେ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କୁ ମତ୍ସ୍ୟଜୀବୀଙ୍କ ଜାଲ ଓ ଡଙ୍ଗାର କ୍ଷୟକ୍ଷତିର ସଠିକ୍ ଆକଳନ କରି ରିପୋର୍ଟ ଶୀଘ୍ର ଦାଖଲ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସେହିପରି, ସମ୍ପୃକ୍ତ କୃଷି ଅଧିକାରୀଙ୍କୁ ବନ୍ୟା ଯୋଗୁଁ ହୋଇଥିବା ଫସଲ କ୍ଷୟକ୍ଷତିର ବିସ୍ତୃତ ରିପୋର୍ଟ ତୁରନ୍ତ ଦାଖଲ କରିବାକୁ କୁହାଯାଇଥିଲା। ତହସିଲଦାରଙ୍କୁ ଗୃହ କ୍ଷୟକ୍ଷତିର ଆକଳନ ଓ ରିପୋର୍ଟ ଶୀଘ୍ର ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା।

ଏଥିସହିତ ମନ୍ତ୍ରୀ ଶ୍ରୀ ପୂଜାରୀ ବରଗଡ଼ ଜିଲ୍ଲାର ଅମ୍ବାଭୋନା ବ୍ଲକ୍ ଅଧୀନସ୍ଥ ଚିକିଲି ଗ୍ରାମ ପରିଦର୍ଶନ କରିଥିଲେ। ସେ ଲଖନପୁର ଅଞ୍ଚଳ ଅନ୍ତର୍ଗତ ମହୁଦି, ରେମଟା ଓ ଚିକିଲି ଗ୍ରାମ ମଧ୍ଯ ପରିଦର୍ଶନ କରି ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ କରିଥିଲେ | ବନ୍ୟା ପରେ ଫସଲ କ୍ଷୟକ୍ଷତିର ରିପୋର୍ଟ ପ୍ରସ୍ତୁତି ଓ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ସମ୍ପୃକ୍ତ ତହସିଲଦାର ଓ ଅଧିକାରୀମାନଙ୍କୁ ଦୃଢ଼ ନିର୍ଦ୍ଦେଶ ଦେଇଥିଲେ। କ୍ଷୟକ୍ଷତିର ସଠିକ୍ ଆକଳନ ପରେ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ତୁରନ୍ତ ପ୍ରଦାନ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ବନ୍ୟାରେ କ୍ଷତିଗ୍ରସ୍ତ ରାସ୍ତାଘାଟର ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ ତୁରନ୍ତ ଆରମ୍ଭ କରି ଯାତାୟାତ ବ୍ୟବସ୍ଥାକୁ ସ୍ୱାଭାବିକ କରିବାକୁ ସମ୍ପୃକ୍ତ ବିଭାଗକୁ ସେ ନିର୍ଦ୍ଦେଶ ଦେଇଥିଲେ।

ପରେ ଝାରସୁଗୁଡ଼ା ସର୍କିଟ୍ ହାଉସ୍‌ଠାରେ ମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ। ବୈଠକରେ ବନ୍ୟାଜନିତ ଫସଲ କ୍ଷୟକ୍ଷତି, ମତ୍ସ୍ୟଜୀବୀଙ୍କ ଜାଲ ଓ ଡଙ୍ଗାର କ୍ଷତି, ଗୃହ କ୍ଷୟକ୍ଷତି ଏବଂ ରାସ୍ତାଘାଟର କ୍ଷତି ସମ୍ପର୍କରେ ସୁବିସ୍ତୃତ ଆଲୋଚନା କରାଯାଇଥିଲା। ପ୍ରଭାବିତ ଲୋକଙ୍କୁ ସରକାରୀ ସହାୟତା ପ୍ରଦାନରେ କୌଣସି ପ୍ରକାର ବିଳମ୍ବ ନକରି କ୍ଷୟକ୍ଷତି ଆକଳନ, ରିପୋର୍ଟ ଦାଖଲ ଓ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ବନ୍ୟାରେ କ୍ଷତିଗ୍ରସ୍ତ ଭିତ୍ତିଭୂମିର ତୁରନ୍ତ ପୁନରୁଦ୍ଧାର ପାଇଁ ମାନ୍ୟବର ମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ l

ଏହି ଗସ୍ତ ସମୟରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ଭଟଲି ବିଧାୟକ ଈରାଷିଷ୍ ଆଚାର୍ଯ୍ୟ, ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ୍ ମୋତିରାମ ଚୌହାଣ, ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ଅମ୍ବାଭୋନା ତହସିଲଦାର ଏବଂ ବିଭିନ୍ନ ସମ୍ପୃକ୍ତ ବିଭାଗର ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।

administrator

Related Articles

Leave a Reply

Your email address will not be published. Required fields are marked *