ଜଳ, ରେଳ, ଆକାଶ, ଯାତ୍ରୀ ଏବଂ ମାଲ୍ ପରିବହନର ସମନ୍ୱିତ ଉନ୍ନତି କରାଯିବ
ଆଗାମୀ ୫ ମାସ ମଧ୍ୟରେ ପ୍ରସ୍ତୁତ ହେବ ‘ଭିଜନ ଡକୁମେଣ୍ଟ’
ରାଜ୍ୟର ପରିବହନ ଭିତ୍ତିଭୂମିକୁ ଆହୁରି ସୁଦୃଢ଼, ସୁଗମ, ଆଧୁନିକ ଏବଂ ଭବିଷ୍ୟତ ଉପଯୋଗୀ କରିବା ଦିଗରେ ଓଡ଼ିଶା ସରକାର ଏକ ବୃହତ ପଦକ୍ଷେପ ନେଇଛନ୍ତି। ‘ବିକଶିତ ଓଡ଼ିଶା ୨୦୩୬’ର ଲକ୍ଷ୍ୟ ପୂରଣ କରିବା ନିମନ୍ତେ ରାଜ୍ୟ ପରିବହନ ପ୍ରାଧିକରଣ (STA) ଏବଂ ଦେଶର ପ୍ରତିଷ୍ଠିତ ସଂସ୍ଥା ‘ସ୍କୁଲ ଅଫ୍ ପ୍ଲାନିଂ ଆଣ୍ଡ ଆର୍କିଟେକ୍ଚର’ (SPA), ଭୋପାଳ ମଧ୍ୟରେ ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତି ଅନୁଯାୟୀ, ଓଡ଼ିଶାର ଆର୍ଥିକ ଓ ସାମାଜିକ ପ୍ରଗତିକୁ ନୂତନ ଦିଗ ଦେବା ପାଇଁ ଏକ ସମନ୍ୱିତ ଓ ଦୀର୍ଘମିଆଦୀ ‘ଭିଜନ ଡକୁମେଣ୍ଟ’ ପ୍ରସ୍ତୁତ କରାଯିବ।
ଏହି ସାମଗ୍ରିକ ଭିଜନ୍ ଡକ୍ୟୁମେଣ୍ଟରେ ସଡ଼କ ପରିବହନ, ସାର୍ବଜନୀନ ଯାତ୍ରୀ ପରିବହନ, ମାଲ ପରିବହନ, ବିମାନ ଚଳାଚଳ ଏବଂ ଜଳପଥ ପରିବହନ ଭଳି ସମସ୍ତ ପ୍ରମୁଖ କ୍ଷେତ୍ରକୁ ସାମିଲ କରାଯିବ। ଏହା ମଧ୍ୟରେ ୱାଟର ଟ୍ରାନ୍ସପୋର୍ଟ ଏବଂ ସିପିଂ ବ୍ୟବସ୍ଥାର ଆଧୁନିକୀକରଣ ପାଇଁ ଜଳ ପଥ, ରାଜ୍ୟରେ ରେଳ ସଂଯୋଗୀକରଣର ବ୍ୟାପକ ସମ୍ପ୍ରସାରଣ ପାଇଁ ରେଳ ପଥ ଏବଂ ବିମାନ ଚଳାଚଳ ସହ ଏୟାର କନେକ୍ଟିଭିଟିର ସୁଦୃଢ଼ିକରଣ ପାଇଁ ଆକାଶ ପଥକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହା ସହିତ ସଡ଼କ ପଥରେ ସାଧାରଣ ଯାତ୍ରୀଙ୍କ ପାଇଁ ସାର୍ବଜନୀନ ପରିବହନ ବ୍ୟବସ୍ଥାର ଉନ୍ନତିକରଣ ଏବଂ ବ୍ୟବସାୟ ଓ ବାଣିଜ୍ୟର ବିକାଶ ପାଇଁ ଗୁଡ୍ସ ବା ମାଲ୍ ପରିବହନ ନେଟୱର୍କକୁ ଅଧିକ ସହଜ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ।
ଏହି ବୃହତ ଯୋଜନାକୁ ସଫଳ କରିବା ପାଇଁ ସରକାର ଏକ ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରିଛନ୍ତି। ଆଗାମୀ ୫ ମାସ ମଧ୍ୟରେ SPA ଭୋପାଳ ତାର ସମ୍ପୂର୍ଣ୍ଣ ରିପୋର୍ଟ ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ‘ଭିଜନ ଡକୁମେଣ୍ଟ’ ରିପୋର୍ଟ ଆସିବା ପରେ ରାଜ୍ୟରେ ଆବଶ୍ୟକୀୟ ଭିତ୍ତିଭୂମିକୁ ଅଧିକ ମଜବୁତ କରିବା ପାଇଁ ସରକାର ପରବର୍ତ୍ତୀ ପଦକ୍ଷେପ ନେବେ।