ଦେଶର ପ୍ରମୁଖ ସ୍ତମ୍ଭ ମଧ୍ୟରୁ ଅନ୍ୟତମ ସ୍ତମ୍ଭ ହେଉଛନ୍ତି ଚାଷୀ: ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ବନାସକାଣ୍ଠାଠାରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ) ଯୋଜନାର ୨୪ତମ କିସ୍ତି ପ୍ରଦାନ କରିଛନ୍ତି | ଏହି କିସ୍ତି ଅଧୀନରେ ଦେଶର ୯.୩୪ କୋଟିରୁ ଊର୍ଦ୍ଧ୍ୱ କୃଷକଙ୍କ ବ୍ୟାଙ୍କ ଖାତାକୁ ୧୮,୬୯୦ କୋଟି ଟଙ୍କାରୁ ଅଧିକ ଅର୍ଥ ସିଧାସଳଖ ହସ୍ତାନ୍ତର କରାଯାଇଛି | ଓଡ଼ିଶାର ୩୫ ଲକ୍ଷ ୩୯ ହଜାର ୨୯୭ ଜଣ ଚାଷୀଙ୍କ ଖାତାକୁ ମୋଟ ୭୦୭,୮୫,୯୪,୦୦୦ ଟଙ୍କା ପ୍ରଦାନ କରାଯାଇଛି |

ଭୁବନେଶ୍ଵର ଓୟୁଏଟି କୃଷି ସଦନ ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଯୋଗଦେଇଥିଲେ |

ଏଥିସହ ପ୍ରଧାନମନ୍ତ୍ରୀ କୃଷି ଭିତ୍ତିଭୂମି ପାଣ୍ଠି ଅଧୀନରେ ସ୍ଥାପିତ ୫୨୧ଟି ୟୁନିଟକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି |ଏହା କୃଷିଜାତ ସାମଗ୍ରୀର ସଂରକ୍ଷଣ, ପ୍ରକ୍ରିୟାକରଣ ଏବଂ ଏହା ସହ ଜଡ଼ିତ ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ସହାୟକ ହେବ। ପିଏମ୍-କିସାନ୍ ଯୋଜନାର ପ୍ରଥମ ୨୩ଟି କିସ୍ତି ମାଧ୍ୟମରେ ଯୋଗ୍ୟ ଚାଷୀମାନଙ୍କୁ ୪.୪୭ ଲକ୍ଷ କୋଟି ଟଙ୍କାରୁ ଅଧିକ ରାଶି ପ୍ରଦାନ କରାଯାଇସାରିଛି। ଏହି ଯୋଜନା ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର (DBT) ବା ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ମାଧ୍ୟମରେ ଯୋଗ୍ୟ କୃଷକ ପରିବାରଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇଥାଏ। ଏହା ସେମାନଙ୍କୁ କୃଷି ଓ ପାରିବାରିକ ଖର୍ଚ୍ଚ ବହନ କରିବାରେ ଏବଂ ଜୀବିକା ସୁରକ୍ଷା ବଜାୟ ରଖିବାରେ ସାହାଯ୍ୟ କରେ।