ଯେଉଁଠି ଘର, ଯେଉଁଠି ବିଜୁଳି, ଯେଉଁଠି ପାଣି, ସେଇଠି ବୁଥ୍: କମିଶନର ମଧୁସୂଦନ ପାଢ଼ୀ
ଝାରସୁଗୁଡ଼ା ବ୍ଲକ ଓ ପୌରପାଳିକା କାର୍ଯ୍ୟାଳୟ ପରିଦର୍ଶନ କରି ଡିଜିଟାଇଜେସନ କାର୍ଯ୍ୟ ତଦାରଖ
ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ (ଆଇଏଏସ୍) ଝାରସୁଗୁଡ଼ା ଜିଲ୍ଲା ଗସ୍ତରେ ଆସି ଘରକୁ ଘର ସର୍ଭେ ଏବଂ ସର୍ଭେ ଫର୍ମଗୁଡ଼ିକର ଡିଜିଟାଇଜେସନ୍ ଅଗ୍ରଗତି ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜିଲ୍ଲାର ସମସ୍ତ ବ୍ଲକ ଏବଂ ପୌରାଞ୍ଚଳର ନିର୍ବାଚନୀ ପ୍ରସ୍ତୁତି ଓ ତଥ୍ୟ ସଂଗ୍ରହ କାର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା।
ସମୀକ୍ଷା ଅବସରରେ କମିଶନର ଭୋଟରମାନଙ୍କ ସୁବିଧାକୁ ସର୍ବାଧିକ ଗୁରୁତ୍ୱ ଦେଇ “ଯେଉଁଠି ଘର, ଯେଉଁଠି ବିଜୁଳି, ଯେଉଁଠି ପାଣି, ସେଇଠି ବୁଥ୍” ସମ୍ବନ୍ଧୀୟ ବିଭିନ୍ନ ଦିଗ ସମ୍ପର୍କରେ ଅଧିକାରୀମାନଙ୍କୁ କହିଥିଲେ। ଏଥିସହ ନିର୍ବାଚନୀ ପ୍ରକ୍ରିୟାରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ସମସ୍ତ ରାଜନୈତିକ ଦଳଗୁଡ଼ିକୁ ଏହି ପ୍ରକ୍ରିୟାରେ ସାମିଲ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସାଧାରଣ ଲୋକଙ୍କ ବୁଝିବା ସୁବିଧା ଦୃଷ୍ଟିରୁ ଏସ୍.ଆଇ.ଆର୍ ଫର୍ମ-୨ କୁ ଓଡ଼ିଆ ଭାଷାରେ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ସମସ୍ତ ବ୍ଲକ, ମୁନିସିପାଲିଟିରେ ଡାଟା ଏଣ୍ଟ୍ରି ଅପରେଟର, ଜେ ଆର ଏସ ଠିକ ଭାବରେ ଡାଟା ଏଣ୍ଟ୍ରି କରୁଛନ୍ତି କି ନାହିଁ ସିଷ୍ଟମ ଠିକ ଅଛି କି ନାହିଁ, ଭୋଟିଙ୍ଗ ପ୍ରତିଶତ ହାର ବୃଦ୍ଧି କରିବା ଦିଗରେ ଡିଜିଟାଇଜେସନ ବୃଦ୍ଧି ପାଇଁ ବିଡ଼ିଓ ଏବଂ ଇଓ ମାନେ ନିଜେ ମଧ୍ୟ ସାମିଲ ହେବାପାଇଁ ଏବଂ ଯେଉଁଠି କମ ଅଛି ତାର ବିସ୍ଲେଷଣ କରିବାର ଆବଶ୍ୟକତା ରହିଥିବା, ବୁଥ ପରିଦର୍ଶନ ଆଦି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପଂଚାୟତର ସମସ୍ତ ତଥ୍ୟ ଜ଼ିଲ୍ଲା ପଂଚାୟତ ଅଧିକାରୀ ଲକ୍ଷ୍ମଣ ଓରାମ ଉପସ୍ଥାପନ କରିଥିବା ବେଳେ ମୁନିସିପାଲିଟିର ସମସ୍ତ ତଥ୍ୟ ଡେପୁଟି କଲେକ୍ଟର ବିଜୟ ନାୟକ ଉପସ୍ଥାପନ କରିଥିଲେ l

ଜିଲ୍ଲାର ତିନୋଟି ପୌରପାଳିକା (ଝାରସୁଗୁଡ଼ା, ବ୍ରଜରାଜନଗର ଓ ବେଲପାହାଡ଼)ରେ ମୋଟ ୧,୪୨,୦୫୪ ଭୋଟରଙ୍କ ମଧ୍ୟରୁ ୧,୩୨,୭୨୯ ଜଣଙ୍କର (୯୩.୪୩%) ସର୍ଭେ କାର୍ଯ୍ୟ ଶେଷ ହୋଇଥିବା ବେଳେ, ଡିଜିଟାଇଜେସନ୍ ହାରକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଯେଉଁ ସବୁ ସ୍ଥାନରେ ଡିଜିଟାଇଜେସନ୍ ହାର କମ୍ ରହିଛି, ସେ ବିଷୟରେ ତଥ୍ୟକୁ ତର୍ଜମା କରି ତୁରନ୍ତ ପଦକ୍ଷେପ ନେବାକୁ କମିଶନର ପରାମର୍ଶ ଦେଇଛନ୍ତି। ବୈଠକ ପରେ ମାନ୍ୟବର କମିଶନର ଝାରସୁଗୁଡ଼ା ବ୍ଲକ କାର୍ଯ୍ୟାଳୟ ଏବଂ ଝାରସୁଗୁଡ଼ା ପୌରପାଳିକା କାର୍ଯ୍ୟାଳୟ ପରିଦର୍ଶନ କରି ସେଠାରେ ଚାଲିଥିବା ଡାଟା ଏଣ୍ଟ୍ରି କାର୍ଯ୍ୟକୁ ପ୍ରତ୍ୟକ୍ଷ ଭାବେ ତଦାରଖ କରିଥିଲେ।
ଏହି ସମୀକ୍ଷା ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଶ୍ୱରଞ୍ଜନ ନାୟକ, ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ବ୍ରଜରାଜନଗର ପୌରପାଳିକା ନିର୍ବାହୀ ଅଧିକାରୀ ଚନ୍ଦ୍ରମଣି ସ୍ୱାଇଁ, ଝାରସୁଗୁଡ଼ା ପୌରପାଳିକା ନିର୍ବାହୀ ଅଧିକାରୀ ନିଶିକାନ୍ତ ଟେଟେ, ବେଲପାହାଡ଼ ପୌରପାଳିକା ନିର୍ବାହୀ ଅଧିକାରୀ ଗୌରବ ପ୍ରଧାନ, ଜିଲ୍ଲାର ସମସ୍ତ ବିଡିଓ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ତଥା ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।