ବଡ଼ ସ୍ୱପ୍ନ ଦେଖ, ନୂଆ ରାସ୍ତା ଖୋଲିବାକୁ ସରକାର ତୁମ ସହ ଅଛନ୍ତି: ପ୍ରଭାତୀ ପରିଡ଼ା
ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ର ପ୍ରାକ୍ଟିସ୍ ଗ୍ରାଉଣ୍ଡଠାରେ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ମହକ-୨୦୨୬’ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଉଦ୍ଘାଟିତ ହୋଇଯାଇଛି। ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନସ୍ଥ ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି (OSCPS) ଦ୍ୱାରା ଆୟୋଜିତ ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁମାନେ ସେମାନଙ୍କର ଅନ୍ତର୍ନିହିତ ସୃଜନଶୀଳ ପ୍ରତିଭା ପ୍ରଦର୍ଶନ ପାଇଁ ଏକତ୍ରିତ ହୋଇଛନ୍ତି।
ଏହି ସମାରୋହରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆକାଶକୁ ବେଲୁନ୍ ଉଡ଼ାଇ ପ୍ରତିଯୋଗିତାର ଆନୁଷ୍ଠାନିକ ଶୁଭାରମ୍ଭ କରିଥିଲେ। ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଉପସ୍ଥିତ ପିଲାମାନଙ୍କୁ ଓ ଦର୍ଶକମାନଙ୍କୁ ଉଦ୍ବୋଧିତ କରି ସମସ୍ତ ଅଂଶଗ୍ରହଣକାରୀ ଶିଶୁମାନଙ୍କର ଅନ୍ତର୍ନିହିତ ପ୍ରତିଭା ଓ ଆତ୍ମବିଶ୍ୱାସକୁ ଭୂୟସୀ ପ୍ରଶଂସା କରିବା ସହ ସେମାନଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ଉତ୍ସାହିତ କରିଥିଲେ। ଏଥିସହିତ, ଯତ୍ନାଧୀନ ପ୍ରତ୍ୟେକ ଶିଶୁକୁ ମାନସମ୍ମାନ, ସୁଯୋଗ ଓ ମାର୍ଗଦର୍ଶନ ଯୋଗାଇଦେବା ସହ ଶିଶୁମାନଙ୍କୁ ସୀମାହୀନ ସ୍ୱପ୍ନ ଦେଖିବାକୁ ପ୍ରେରଣା ଦେଇ ସେ କହିଥିଲେ ଯେ, ସେମାନଙ୍କ ପ୍ରତ୍ୟେକ ସ୍ୱପ୍ନକୁ ପୂରଣ କରିବା ପାଇଁ ସରକାର ସବୁ ସ୍ତରରେ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ।
ସମ୍ମାନିତ ଅତିଥି ଭାବେ ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ପିଲାମାନଙ୍କ ମନୋବଳକୁ ଉଚ୍ଚ ପ୍ରଶଂସା କରିଥିଲେ। ଏହି ଅବସରରେ ବିଭାଗ ପକ୍ଷରୁ ପ୍ରସ୍ତୁତ ‘Orphan Survey Report 2025’ ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଥିଲା। ଖୋର୍ଦ୍ଧାର ‘ଆଦୃତ ଶିଶୁ ଗୃହ’ର ପିଲାମାନଙ୍କ ଦ୍ୱାରା ରାଜ୍ୟ ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ” ଗାନ କରାଯାଇଥିଲା।
ଓଡ଼ିଶାର ୩୦ଗୋଟି ଜିଲ୍ଲା ସ୍ତରୀୟ ଉତ୍ସବରୁ ବିଜୟୀ ହୋଇଥିବା ଶିଶୁମାନେ ଏହି ରାଜ୍ୟ ସ୍ତରୀୟ ମହୋତ୍ସବରେ ଅଂଶଗ୍ରହଣ କରୁଛନ୍ତି। ଆଗାମୀ ଦିନଗୁଡ଼ିକରେ ଶିଶୁମାନଙ୍କ ମଧ୍ୟରେ ନୃତ୍ୟ, ସଙ୍ଗୀତ, ଚିତ୍ରକଳା, ବିତର୍କ ଏବଂ କୁଇଜ୍ ଭଳି ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ସମାରୋହ ଓଡ଼ିଶାର ପ୍ରତ୍ୟେକ ଯତ୍ନାଧୀନ ଶିଶୁକୁ ମାର୍ଗଦର୍ଶନ, ସୁଯୋଗ ଓ ଆତ୍ମବିଶ୍ୱାସ ପ୍ରଦାନ କରି ଏକ ମର୍ଯ୍ୟାଦାଜନକ, ସକ୍ଷମ ଓ ସ୍ୱାବଲମ୍ବୀ ଭବିଷ୍ୟତ ଗଢ଼ିତୋଳିବା ପାଇଁ ରାଜ୍ୟ ସରକାରଙ୍କ ଅଟଳ ପ୍ରତିବଦ୍ଧତାକୁ ଦର୍ଶାଉଛି।
ସୂଚନାଯୋଗ୍ୟ ଯେ ନଭେମ୍ବର ୩ ରୁ ୭ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍ରେ ମୋଟ ୫ ଦିନ ଧରି ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହାର ପ୍ରଥମ ୨ ଦିନ ‘ମହକ’ (ସୃଜନଶୀଳତା ଓ କଳାର ପର୍ବ) ଭାବେ ପାଳିତ ହେଉଥିବା ବେଳେ, ପରବର୍ତ୍ତୀ ୩ ଦିନ ‘ଉତ୍ସାହ’ (କ୍ରୀଡ଼ା, ଉତ୍ସାହ ଓ ପ୍ରତିଭାର ବିକାଶ) କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କାଲି ‘ମହକ’ର ଉଦଯାପନୀ ଉତ୍ସବରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ। ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର ଶାସନ ସଚିବ ଡ଼ଃ ମୃଣାଳିନୀ ଦର୍ସ୍ୱାଲ, ନିର୍ଦ୍ଦେଶିକା ମୋନିଷା ବାନାର୍ଜୀଙ୍କ ସହ ବିଭାଗର ଅନ୍ୟାନ୍ୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ।