Responsive Image Link
Department
Trending

WORKS: ଭିତ୍ତିଭୂମି ନିର୍ମାଣ ବେଳେ ଆଗାମୀ ୧୦୦ ବର୍ଷକୁ ଦୃଷ୍ଟିରେ ରଖିବାକୁ ଗୁରୁତ୍ୱ ଦେଲେ ପୂର୍ତ୍ତ ମନ୍ତ୍ରୀ

NBCS-୨୦୨୬ ଆଧାରରେ ଭବିଷ୍ୟତ ଭାରତ ନିର୍ମାଣ ଉପରେ ଜାତୀୟ କର୍ମଶାଳା

ଇଣ୍ଡିଆନ୍ ବିଲ୍ଡିଂସ୍ କଂଗ୍ରେସ୍ (IBC),ର ଓଡ଼ିଶା ଶାଖା ଏବଂ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡସ୍ (BIS)ର ମିଳିତ ଆନୁକୂଲ୍ୟରେ “Building Future Bharat with NBCS-2026” ଶୀର୍ଷକ ଜାତୀୟ କର୍ମଶାଳା ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି |

ଉଦ୍‌ଯାପନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ, ଆଧୁନିକ ଭିତ୍ତିଭୂମି ନିର୍ମାଣ ୧୦୦ ବର୍ଷର ଦୃଷ୍ଟିକୋଣ, ନିର୍ମାଣ ସ୍ଥାୟିତ୍ୱ, ସୁରକ୍ଷା ଓ ବିପର୍ଯ୍ୟୟ-ପ୍ରତିରୋଧକ୍ଷମତାକୁ ନିଶ୍ଚିତ କରି ନିର୍ମାଣ ହେବା ଆବଶ୍ୟକ। ପ୍ରକଳ୍ପ ନିର୍ମାଣ ସମୟ ଅବଧି କମାଇବା ସହିତ ଗ୍ରୀନ୍ ଇନ୍‌ଫ୍ରାଷ୍ଟ୍ରକ୍ଚର୍, ଅଣପାରମ୍ପରିକ ନିର୍ମାଣ ସାମଗ୍ରୀ, IoT ଆଧାରିତ ଭବନ ରକ୍ଷଣାବେକ୍ଷଣ ଏବଂ ନୂତନ ପ୍ରଯୁକ୍ତି ଆପଣାଇବାକୁ ସେ ପରାମର୍ଶ ଦେଇଥିଲେ।

ଏହି ଅବସରରେ IBCର ଗଭର୍ଣ୍ଣିଂ କାଉନ୍‌ସିଲ୍ ସଦସ୍ୟ ଇଞ୍ଜିନିୟର୍ ମନୋରଞ୍ଜନ ମିଶ୍ର ସେମିନାରର ସମନ୍ୱିତ ନୀତିଗତ ସୁପାରିସଗୁଡ଼ିକୁ ରାଜ୍ୟ ପ୍ରଶାସନ ନିକଟରେ ଉପସ୍ଥାପନ କରିଥିଲେ। ଏଥିସହିତ ୧୦ ବର୍ଷରୁ ଅଧିକ ପୁରୁଣା କୋଠାର ଷ୍ଟ୍ରକ୍ଚରାଲ୍ ଅଡିଟ୍ ସହ ବିଭିନ୍ନ କ୍ଷେତ୍ରରେ ପ୍ରଶିକ୍ଷିତ ଓ ଲାଇସେନ୍ସପ୍ରାପ୍ତ ଅଡିଟର୍‌ଙ୍କ ଅଭାବ ଦୂର କରିବା ଏବଂ NBCS-୨୦୨୬ର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ପାଇଁ ନିରନ୍ତର ସଚେତନତା ଓ କ୍ଷମତା ବିକାଶ କାର୍ଯ୍ୟକ୍ରମ ଉପରେ ସୁପାରିସ କରାଯାଇଛି। ସେମିନାର ମାଧ୍ୟମରେ ଓଡ଼ିଶା ଓ ଭାରତ ପାଇଁ ନିରାପଦ, ସ୍ଥାୟୀ, ବିପର୍ଯ୍ୟୟ-ସହନଶୀଳ ଓ ଭବିଷ୍ୟତମୁଖୀ ଭିତ୍ତିଭୂମି ଗଠନ ପାଇଁ ସମସ୍ତ ଅଂଶୀଦାରଙ୍କ ପ୍ରତିବଦ୍ଧତା ପ୍ରକାଶ ପାଇଥିଲା। ଏହି ଆଲୋଚନା ଚକ୍ରରେ NBCS- 2026 ର ବିଭିନ୍ନ ଦିଗ, ନିର୍ମାଣ ସୁରକ୍ଷା, ଅଗ୍ନି ସୁରକ୍ଷା, ବିପର୍ଯ୍ୟୟ ପ୍ରତିରୋଧକ୍ଷମତା, ସ୍ଥାୟୀ ନିର୍ମାଣ ଏବଂ ଗୁଣାତ୍ମକ କ୍ରୟ ବ୍ୟବସ୍ଥା ଉପରେ ବିଶେଷଜ୍ଞମାନେ ବିସ୍ତୃତ ଆଲୋଚନା କରିଥିଲେ।

କର୍ମଶାଳାରେ NBCS କମିଟି ଅଧ୍ୟକ୍ଷ ଇଂ ବାସୁଦେବନ୍ ସୁରେଶ, ପୂର୍ବତନ ଉପ ମହାନିର୍ଦ୍ଦେଶକ (ମାନକୀକରଣ), ଇଂ ସଞ୍ଜୟ ପଣ୍ଟ, ନିର୍ଦ୍ଦେଶକ, ସିଭିଲ୍ ଇଞ୍ଜିନିୟରିଂ ତଥା NBC ୟୁନିଟ୍ ମୁଖ୍ୟ ଇଂ ଅରୁଣ କୁମାର ଏସ୍. ଏବଂ IBC ଓଡ଼ିଶା ରାଜ୍ୟ ଶାଖା ଅଧ୍ୟକ୍ଷ ଇଂ ବିଜୟ ଚନ୍ଦ୍ର ତ୍ରିପାଠୀ ଙ୍କ ସମେତ ବିଭିନ୍ନ ବିଭାଗ ତଥା ଅନୁଷ୍ଠାନର ଇଞ୍ଜିନିୟରମାନେ ଉପସ୍ଥିତ ଥିଲେ I

Show More

Related Articles

Leave a Reply

Your email address will not be published. Required fields are marked *

Back to top button