
୪୦ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର
ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ୧୦ ଜିଲ୍ଲାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ୧୦ଟି ଜିଲ୍ଲାର ୮୦ଟି ବ୍ଲକ, ୩୨୫ ଗ୍ରାମପଞ୍ଚାୟତର ୧ ହଜାର ୭୧ଟି ଗାଁ ପ୍ରଭାବିତ ହୋଇଛି | ସେହିଭଳି ୧୦ ସହରାଞ୍ଚଳରେ ୪୯ଟି ଓ୍ବାର୍ଡ଼ ପ୍ରଭାବିତ ହୋଇଛି । ୪୦,୩୨୯ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ୭୨୧ଟି ଘର ଭାଙ୍ଗିଛି । ୧୦ ଜିଲ୍ଲାରେ୩୯୫ଟି ରିଲିଫ୍ ସେଣ୍ଟର ଖୋଲା ହୋଇଛି । ୭୩୦୮୫ ଲୋକ ପ୍ରଭାବିତ ହୋଇଛନ୍ତି । ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର କେନ୍ଦୁଝରର କିଛି ଅଞ୍ଚଳରେ ବନ୍ୟା ସ୍ଥିତି ସମସ୍ୟା ସୃଷ୍ଟି କରିବ | କାରଣ ଝାଡ଼ଖଣ୍ଡରୁ ଆସୁଥିବା ବନ୍ୟା ଜଳ ଆମ ପାଇଁ ବିପଦ ହୋଇଛି । ସେପଟେ ମହାନଦୀ ଅବବାହିକାରେ ବନ୍ୟା ଆଶଙ୍କା ନାହିଁ । ୪୮ ଘଣ୍ଟା ପରେ ସ୍ଥିତି ସ୍ୱାଭାବିକ ଆଡ଼କୁ ଗତି କରିବ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି |
ଲଗାଣ ବର୍ଷା ଯୋଗୁ ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା ସୋନ ନଦୀରେ ବନ୍ୟା ଆସିବା କାରଣରୁ ୫ଟି ପଞ୍ଚାୟତର ନଦୀକୂଳିଆ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି । ଲଗାଣ ବର୍ଷା ଯୋଗୁଁ ହୀରାକୁଦର ଜଳସ୍ତର ବଢୁଛି । ହୀରାକୁଦ ଜଳଭଣ୍ଡାରରେ ବର୍ତ୍ତମାନ ମୋଟ ୧୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ବାମପାର୍ଶ୍ବରେ ୧୧ଟି ଗେଟ୍ ଏବେ ଡାହାଣ ପାର୍ଶ୍ବର ୫ଟି ଗେଟ୍ ଖୋଲା ରହିଛି ।

ସେପଟେ ବୈତରଣୀ ନଦୀରେ ବନ୍ୟା ଆଶଙ୍କା ରହିଛି । କେନ୍ଦୁଝର ଜିଲ୍ଲା ପାଟଣାରେ ବିପଦ ସଙ୍କେତ ଉପରେ ନଦୀ ପ୍ରବାହିତ ହେଉଛି । ବିପଦ ସଙ୍କେତ ୩୧୧.୧୦ ମିଟର ଥିବା ବେଳେ, ଆଜି ସକାଳ ୫ଟାରୁ ୩୧୧.୨୭ ମିଟର ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ତଳିଆ ଅଞ୍ଚଳ ସମେତ ଆନନ୍ଦପୁର, ଯାଜପୁର ଓ ଭଦ୍ରକ ପାଇଁ ବନ୍ୟା ଆଶଙ୍କା ଦେଖା ଦେଇଛି । କପୁଣ୍ଡି-ପଇଦା ନାଳ ଉପରେ ପ୍ରାୟ ୫ ଫୁଟ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ପାଟଣା ମୁଖ୍ୟାଳୟରୁ ସାହାରପଡ଼ା ବ୍ଲକର ୫ଟି ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ନଦୀର ଜଳସ୍ତର ଅଧିକ ବଢ଼ିଲେ ସ୍ଥିତି ଗମ୍ଭୀର ହେବାର ଆଶଙ୍କା ଥିବାରୁ ଲୋକେ ଚିନ୍ତାରେ ପଡ଼ିଛନ୍ତି ।
ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଯାଜପୁର ଜିଲ୍ଲାରେ ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି | ଆଖୁଆପଦାଠାରେ ନଦୀର ଜଳସ୍ତର ବୃଦ୍ଧି ପାଇବା ଫଳରେ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି । ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ଆଖୁଆପଦାଠାରେ ବିପଦ ସଙ୍କେତ ସ୍ତର ୧୮.୩୩ ମିଟର ରହିଥିବା ବେଳେ ଏବେ ଜଳସ୍ତର ୧ ମିଟର ଉପରେ ପ୍ରବାହିତ ହେଉଛି | ନଦୀର ଜଳସ୍ତର ବୃଦ୍ଧି ପାଇବା ଫଳରେ ଯାଜପୁର ଓ ଭଦ୍ରକ ଜିଲ୍ଲାର ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହେବାର ସମ୍ଭାବନା ରହିଛି ।
ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ଲଘୁଚାପ ବର୍ଷା ଯୋଗୁଁ ଜଳକା ନଦୀରେ ଷଷ୍ଠ ଥର ବନ୍ୟା ଆସିଛି । ବସ୍ତା ମଥାନି ଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବନ୍ୟା ପାଣି। ଜିଲ୍ଲାର ଶୁଳିଆପଦା, ମୁରୁଡ଼ା, ଚିତ୍ରଡା ଓ ରାସଗୋବିନ୍ଦପୁର ବ୍ଲକର ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବାରୁ ଜଳକା ନଦୀରେ ବନ୍ୟା ଦେଖାଦେଇଛି । ଫଳରେ ବସ୍ତା ବ୍ଲକର ୭ଟି ପଂଚାୟତ ପ୍ରଭାବିତ ହୋଇଛି ।



