TRANSPORT DEPTT ଇ-ଚାଲାଣ ନାଁରେ ମାତିଛନ୍ତି ସାଇବର ଠକ, ପୈଠ ପୂର୍ବରୁ ୱେବ୍ସାଇଟ୍ ପରଖି ନିଅ

ସଡ଼କ ସୁରକ୍ଷା ନିୟମ ଫାଙ୍କିବା ନେଇ ବକେୟା ଜରିମାନା ଆଦାୟରେ କଟକଣାକୁ କୋହଳ କଲା ପରିବହନ ବିଭାଗ। କିନ୍ତୁ ବକେୟା ଇ-ଚାଲାଣ ଏକକାଳୀନ ପୈଠ କରିବା ବେଳେ ଲୋକେ ସାଇବର ଠକେଇର ଶିକାର ହେଉଛନ୍ତି । ଠକମାନେ ଲୋକଙ୍କ ମୋବାଇଲ୍କୁ ଏକ ଅଜଣା ମେସେଜ ପଠାଉଛନ୍ତି । ଏହି ମେସେଜରେ ଥିବା ଲିଙ୍କକୁ କ୍ଲିକ୍ କରିବା ମାତ୍ରେ ପରିବହନ ବିଭାଗ ଭଳି ଅବିକଳ ନକଲ ୱେବ୍ସାଇଟ୍ ଖୋଲିଯାଉଛି । ସେଥିରେ ଇ-ଚାଲାଣ ଭରିବା ବେଳେ ଠକେଇର ଶିକାର ହେଉଛନ୍ତି ଲୋକେ । ସାଇବର ଠକମାନେ ଚାଲାକି କରି ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟର ଗୋପନୀୟ ତଥ୍ୟ ହାତେଇ ଲକ୍ଷ ଲକ୍ଷ ଟଙ୍କା ପୋଛି ନେଉଛନ୍ତି ।
ପରିବହନ ବିଭାଗ ତଥ୍ୟ ମୁତାବକ, ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୨-୧୫ଟି ଅଭିଯୋଗ ସାମ୍ନାକୁ ଆସିଲାଣି। ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍ଟିଏ) ଏନେଇ ସଚେତନ କରାଉଛି । ଏହାର ‘ଏକ୍ସ’ ଆକାଉଣ୍ଟରେ ଏକାଧିକ ଭିଡିଓ ପୋଷ୍ଟ କରାଯାଇଛି । ଯେଉଁଥିରେ ଇ-ଚାଲାଣ ପୈଠ କରିବାର ଆମୂଳଚୂଳ ତରିକା ଦର୍ଶାଯାଇଛି । ସେହିପରି ବିଭିନ୍ନ ପୋଷ୍ଟରେ ସଚେତନ କରାଯାଉଛି ଯେ, ଇ-ଚାଲାଣ ଅର୍ଥ ପୈଠ ପୂର୍ବରୁ ୱେବ୍ସାଇଟ୍ ଅସଲି କି ନୁହେଁ, ତାହା ପରଖିନିଅ ।
ପରିବହନ ବିଭାଗ ଦ୍ୱାରା ଜାରି ହୋଇଥିବା ୱେବ୍ସାଇଟ୍ https:// echallan.parivahan.gov.inରେ ଇ-ଚାଲାଣ ଭରିବାକୁ କୁହାଯାଇଛି । ଆଞ୍ଚଳିକ ପରିବହନ ଅଧିକାରୀ (ଆର୍ଟିଓ)ମାନଙ୍କୁ ମଧ୍ୟ ସଚେତନ ବାର୍ତ୍ତା ବାଣ୍ଟିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବାବଦରେ ହେଲ୍ପ ଲାଇନ୍ ନଂ ୧୮୦୦୩୪୫୧୦୭୩ ଜାରି କରାଯାଇଛି ।



