MISSION SHAKTI DEPT.: ‘ସୁଭଦ୍ରା’ ଶକ୍ତି ମେଳାରେ ବିପୁଳ ଜନସମାଗମ

ଭୁବନେଶ୍ଵର ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ସୁଭଦ୍ରା ଶକ୍ତି ମେଳାରେ ବିପୁଳ ଜନସମାଗମ ହେଉଛି | ଏହାକି ଦେଖି ଭାଗ ନେଇଥିବା ମହିଳାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପ୍ରକାଶ ପାଇଛି | ମେଳାର ପ୍ରମୁଖ ଆକର୍ଷଣ ମଧ୍ୟରେ ରହିଛି ୩୦୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପରିଚାଳିତ ଷ୍ଟଲ, ଯାହା ମଧ୍ୟରୁ ୫୦ଟି ହେଉଛି ଖାଦ୍ୟ ଷ୍ଟଲ | ଏତଦବ୍ୟତୀତ, ଅନ୍ୟ ଏଗାରଟି ରାଜ୍ୟର ସ୍ୱୟଂ ସହାୟକ ଗୋଷ୍ଠୀ ସେମାନଙ୍କର ଉତ୍ପାଦ ବିକ୍ରୟ କରୁଛନ୍ତି । ସୁଭଦ୍ରା ଶକ୍ତି ମେଳା କେବେଳ ଓଡ଼ିଶା ରାଜ୍ୟ ମଧ୍ୟରେ ସୀମିତ ନରହି ଏକ ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ପରିଣତ ହୋଇପାରିଛି।
ଷ୍ଟଲମାନଙ୍କରେ ଗ୍ରାହକଙ୍କ ଭିଡ଼ ସହିତ ବହୁ ପରିମାଣର ସ୍ୱୟଂ ସହାୟକ ଗୋଷ୍ଠୀ ମାଆମାନଙ୍କ ହାତ ତିଆରି ଉତ୍କୃଷ୍ଟ ଗୁଣବତ୍ତାର ସାମଗ୍ରୀ ପ୍ରତି ଆଗ୍ରହ ବଢୁଥିବା ଦେଖାଯାଇଛି । ଶିଶୁଙ୍କ କ୍ରୀଡ଼ାଙ୍ଗନରେ ବହୁତ ଗହଳି ସହିତ ଖାଦ୍ୟ ପ୍ରାଙ୍ଗଣର ମଜା ନେଉଛନ୍ତି ଦର୍ଶକ ।
ଲାଇଭ ଡେମୋ ଷ୍ଟଲ ଅଞ୍ଚଳରେ ବିଶେଷ କରି ବିୟୁଟି ଓ ୱେଲନେସ ଷ୍ଟଲରେ ଦର୍ଶକଙ୍କ ଗହଳି ଦେଖିବାକୁ ମିଳୁଛି |ଶାନ୍ତି ଶୃଙ୍ଖଳା ପାଇଁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା | ଅଗ୍ନିଶମ, ରେଡ଼କ୍ରସ, ମେଡ଼ିକାଲ , ପାନୀୟ ଜଳ, ସ୍ବଚ୍ଛତାର ବ୍ୟବସ୍ଥା କରାଯାଇଥିଲା | ସ୍ଵୟଂ ସହାୟକ ଗୋଷ୍ଠୀ ମା’ ମାନଙ୍କ ଦ୍ଵାରା ପ୍ରଦର୍ଶିତ ଲାଖ ଚୂଡ଼ି ପ୍ରସ୍ତୁତି, ଧାନ ହସ୍ତଶିଳ୍ପ, ସବାଇ ଘାସ କଳା ଏବଂ ପଟ୍ଟଚିତ୍ର ଆଦି ପ୍ରଦର୍ଶନ ଦର୍ଶକମାନଙ୍କୁ ମୁଗ୍ଧ କରିଥିଲା I ଏହି ଷ୍ଟଲ ଗୁଡିକରେ ଦର୍ଶକମାନେ ଉତ୍ପାଦଗୁଡିକର ପ୍ରସ୍ତୁତ ପ୍ରଣାଳୀର ଜୀବନ୍ତ ପ୍ରଦର୍ଶନ ଦେଖିବାକୁ ପାଇଥିଲେ। ଏହା ସହିତ ବିଶ୍ଵ ଦକ୍ଷତା କେନ୍ଦ୍ର ଆନୁକୁଲ୍ୟରେ ଆୟୋଜିତ ବିୟୁଟି ଓ ୱେଲନେସ ଷ୍ଟଲରେ ମହିଳା ମାନଙ୍କ ପାଇଁ ନିପୁଣ ତାଲିମାର୍ଥୀମାନଙ୍କ ଦ୍ଵାରା ମେକଅପ୍, ହେୟାର ଷ୍ଟାଇଲ, ନେଲ କେୟାରର ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା ରହିଥିଲାI ବୁଣାକାର ସେବା କେନ୍ଦ୍ର ଆନୁକୁଲ୍ୟରେ ଆୟୋଜିତ ହସ୍ତତନ୍ତ ଷ୍ଟଲରେ ପାରମ୍ପରିକ ପ୍ରଣାଳୀରେ ବୁଣା କାର୍ଯ୍ୟର ଜୀବନ୍ତ ପ୍ରଦର୍ଶନୀ ଦର୍ଶକଙ୍କୁ ମୋହିଥିଲା | ଦର୍ଶକମାନେ ନିଜ ମନପସନ୍ଦର ଲାଇଭ୍ ଡେମୋ ଷ୍ଟଲରେ ଦକ୍ଷ କାରିଗରଙ୍କ ମାର୍ଗଦର୍ଶନରେ ନିଜ ହାତ ଚାଳନର ସୁବର୍ଣ୍ଣ ସୁଯୋଗକୁ ଉପଭୋଗ କରିଥିଲେ | ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ମେଳା ଚାଲିବ |


