
ସର୍ଭେ କରିବେ ଅଙ୍ଗନବାଡ଼ି କର୍ମୀ
ରାଜ୍ୟରେ ଜନ୍ମରୁ ୬ ବର୍ଷ ମଧ୍ୟରେ ରହିଥିବା ଭିନ୍ନକ୍ଷମ ଶିଶୁଙ୍କର ସର୍ଭେ କରାଯିବ | ଚିହ୍ନଟ ଶିଶୁଙ୍କୁ ଜାତୀୟ ଶିକ୍ଷା ନୀତି ୨୦୨୦, (RPwD) ଆଇନ ୨୦୧୬ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରାଯିବ | ସେମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନରେ ରାଜ୍ୟ ସରକାର ସହଯୋଗ କରିବେ | ଏଥିପାଇଁ ରାଜ୍ୟର ସମସ୍ତ ଜିଲ୍ଲାରେ ସର୍ଭେ କରାଯିବ । ଏ ନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ସମାଜିକ କଲ୍ୟାଣ ଅଧିକାରୀ, ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀଙ୍କୁ ଚିଠି କରାଯାଇଛି । ଏଥିସହ ସମସ୍ତ ଆଇସିଡିସି ସୁପରଭାଇଜର ଓ ଅଙ୍ଗନବାଡ଼ି କର୍ମୀଙ୍କୁ ମଧ୍ୟ ଚିଠି ହୋଇଛି ।
କୁହାଯାଇଛି, ଭିନ୍ନକ୍ଷମ ଅଧିକାର ଆକ୍ଟ (RPwD) ଆଇନ,୨୦୧୬ରେ ଥିବା ସମସ୍ତ ୨୧ କାଟାଗୋରୀରେ ସମସ୍ତ ଭିନ୍ନକ୍ଷମ ଶିଶୁଙ୍କୁ ସାମିଲ କରାଯିବ । ଅଙ୍ଗନବାଡ଼ି କର୍ମୀମାନେ ନିଜ ଅଞ୍ଚଳରେ ଘର ଘର ବୁଲି ସର୍ଭେ କରିବେ । ଏଥିପାଇଁ ସେମାନଙ୍କୁ ୫୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ | ଏହାର ସଂପୂର୍ଣ୍ଣତଥ୍ୟ ଆଇସିଡିସି ସୁପରଭାଇଜରଙ୍କ ଦ୍ୱାରା ସିଡିପିଓଙ୍କୁ ପ୍ରଦାନ କରାଯିବ । ଏହି ସର୍ଭେ ଠିକ୍ ଭାବେ ହେଉଛି କି ନାହିଁ ତାକୁ ଅଧିକାରୀମାନେ ଯାଞ୍ଚ କରିବେ । ଏହି ସର୍ଭେ ପ୍ରକ୍ରିୟା ଆସନ୍ତା ୧ ମାସ ମଧ୍ୟରେ ଶେଷ ହେବ ।


