Industries
Trending

ଭୁବନେଶ୍ଵରରେ ଜାତୀୟ ମାନବ ସମ୍ବଳ ସମ୍ମିଳନୀ

ଓଡ଼ିଶାରେ ଖୁସିର ଇଣ୍ଡେକ୍ସ ବଢ଼ିବା ଜରୁରୀ

ଭୁବନେଶ୍ଵର: କେବଳ ବଡ଼ କୋଠାବାଡ଼ି ଓ ପ୍ରଶସ୍ତ ରାସ୍ତାଘାଟ ହୋଇଗଲେ ତାକୁ ବିକାଶ କୁହାଯିବନି | ସବୁ ଘରେ ଲୋକେ ଖୁସି ରହିଲେ ତାହାହିଁ ଗୋଟିଏ ରାଜ୍ୟ ଓ ଦେଶର ପ୍ରକୃତ ବିକାଶ | ମାନବ ସମ୍ବଳ ହିଁ ସବୁଠୁ ଶ୍ରେଷ୍ଠ ସମ୍ବଳ | ଲୋକଙ୍କୁ ନେଇ ବିକାଶ କରିବା | ଓଡ଼ିଶାରେ ଖୁସିର ଇଣ୍ଡେକ୍ସ ବଢ଼ିବା ଆବଶ୍ୟକ | ଲୋକେ ଖୁସି ରହିଲେ ବିକଶିତ ଓଡ଼ିଶା ଗଠନର ପ୍ରକୃତ ଲକ୍ଷ୍ୟ ପୂରଣ ହୋଇପାରିବ ଏବଂ ଏହା ବିକଶିତ ଭାରତ ପ୍ରତି ଅବଦାନ ରଖିବ | ସୋମବାର ଉତ୍କଳ କେଶରୀ ଡ଼. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଓ ଜାତୀୟ ମାନବ ସମ୍ବଳ ସମ୍ମିଳନୀରେ ଅତିଥିମାନେ ଏହି ମତ ଦେଇଛନ୍ତି |


କଳିଙ୍ଗ ଭାରତୀ ଫାଉଣ୍ଡେସନ ପକ୍ଷରୁ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ରିସର୍ଚ୍ଚ ସେଣ୍ଟରଠାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଫାଉଣ୍ଡେସନର ଜାତୀୟ ଅଧ୍ୟକ୍ଷ ତଥା ବିଶିଷ୍ଟ ସମାଜସେବୀ ଇଂ. ଅକ୍ଷୟ କୁମାର ସାମଲ ଅଧ୍ୟକ୍ଷତା କରିଥିଲେ | ମୁଖ୍ୟ ଅତିଥି ଭାବେ ଯାଜପୁର ସାଂସଦ ଡ଼. ରବୀନ୍ଦ୍ର ନାରାୟଣ ବେହେରା ଯୋଗଦେଇଥିଲେ | ସମ୍ମାନିତ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ, ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଅନିଲ କୁମାର ସାମଲ, ଜିନ୍ଦଲ ଷ୍ଟିଲର ପ୍ରେସିଡେଣ୍ଟ ଆଣ୍ଡ ଗ୍ରୁପ ହେଡ (ସିଏସଆର୍) ପ୍ରଶାନ୍ତ କୁମାର ହୋତା, ବେଦାନ୍ତ ଆଲୁମିନିୟମ ଆଣ୍ଡ ପାୱାରର ପୂର୍ବତନ ସିଏଚଆରଓ ସଞ୍ଜୟ ପଟ୍ଟନାୟକ, ଟାଟା ଷ୍ଟିଲର ପୂର୍ବତନ ସିଏଚଆରଓ ଡ଼. ପାର୍ଥସାରଥୀ ମିଶ୍ର ଏବଂ ଅମିତ ସିଂ ପ୍ରମୁଖ ଯୋଗଦେଇଥିଲେ | ଶ୍ରୀ ହୋତା କହିଥିଲେ ଯେ ଓଡ଼ିଶାର ଟେକ୍ନୋକ୍ରାଟ ଏବଂ ବୈଜ୍ଞାନିକମାନେ ଦେଶ ଓ ବିଦେଶରେ କାର୍ଯ୍ୟ କରି ଢେର ଖ୍ୟାତି ଅର୍ଜନ କରୁଛନ୍ତି | ସେମାନଙ୍କୁ ଓଡ଼ିଶାରେ କାମ କରିବାକୁ ସୁଯୋଗ ସୃଷ୍ଟି କରାଯାଉ | ଏହାଦ୍ୱାରା ଆମେ ଜ୍ଞାନକୌଶଳରେ ଆତ୍ମନିର୍ଭର ହୋଇପାରିବା | ବିକାଶ କ୍ଷେତ୍ରରେ ଅଧିକ ଗ୍ରୀନ ଟେକ୍ନୋଲୋଜି ବ୍ୟବହାର ଉପରେ ଶ୍ରୀ ହୋତା ଗୁରୁତ୍ୱ ଦେଇଥିଲେ | ଓଡ଼ିଶାର କଳା, ସଂସ୍କୃତିକୁ ଜାତୀୟ ସ୍ତରରେ ପ୍ରଚାର ପ୍ରସାର କରିବା ଆମ ଫାଉଣ୍ଡେସନର ଲକ୍ଷ୍ୟ ବୋଲି ଅଧ୍ୟକ୍ଷ ଇଂ. ଅକ୍ଷୟ କୁମାର ସାମଲ କହିଥିଲେ |


ସମ୍ମିଳନୀର ବିଭିନ୍ନ ଅଧିବେଶନରେ ୨୫ରୁ ଅଧିକ ବକ୍ତା ଓ ୩୦୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ | ବକ୍ତାମାନେ ଏଆଇ ଯୁଗରେ ମାନବ ସମ୍ବଳ ଓ ଏହାର ବିଭିନ୍ନ ଦିଗ ପ୍ରସଙ୍ଗରେ ଆଲୋକପାତ କରିଥିଲେ | ସମ୍ମିଳନୀରେ ବେଦାନ୍ତ ଆଲୁମିନିୟମ ଆଣ୍ଡ ପାୱାର, ଓଡିଶାକୁ ଶ୍ରେଷ୍ଠ ସିଏସ୍ଆର୍ ପୁରସ୍କାର ପ୍ରଦାନ କରାଯାଇଥିଲା | ଏଥିସହ ଓଡ଼ିଶାର କଳା, ସଂସ୍କୃତି ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଥିଲା | ଏହି ଅବସରରେ ଏକ ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ | ସମ୍ମିଳନୀରେ ହରେକୃଷ୍ଣ ମହତାବଙ୍କ ଉପରେ ଫଟୋ ପ୍ରଦର୍ଶନୀ ଓ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା |
କାର୍ଯ୍ୟକ୍ରମ ପରିଚାଳନାରେ ବିଜୟ କୁମାର ମିଶ୍ର, ମନୋଜ ପାଣିଗ୍ରାହୀ, ବିଜୟ କୁମାର ସାମଲ, ମନୋରଞ୍ଜନ ରଥ, ରବିନାରାୟଣ ସାହୁ, ଶିବପ୍ରସାଦ ଦାସ, ସନ୍ତୋଷ ରାଉତ ଏବଂ ମୁଖ୍ୟ ସଂଯୋଜିକା ଜାଗୃତି ଦାସ ପ୍ରମୁଖ ସହଯୋଗ କରିଥିଲେ |

Show More

Related Articles

Leave a Reply

Your email address will not be published. Required fields are marked *

Back to top button