
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ
ଭାରତର ଉପରାଷ୍ଟ୍ରପତି ସି ପି ରାଧାକ୍ରିଷ୍ଣନ ଜାନୁଆରୀ ୨୩ ତାରିଖରେ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି l ସେଦିନ ଉପରାଷ୍ଟ୍ରପତି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ବା ପରାକ୍ରମ ଦିବସ ଉପଲକ୍ଷେ କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିବେ | ଏହି ଅବସରରେ ଉପ ରାଷ୍ଟ୍ରପତି ନିକଟସ୍ଥ ଜିଲ୍ଲା ସଂସ୍କୃତି ଭବନ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି | ତାଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଓ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ଆଜି ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି |
ଉପ ରାଷ୍ଟ୍ରପତି ସେଦିନ ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ନୂଆଦିଲ୍ଲୀରୁ ବାହାରି ଭୁବନେଶ୍ୱର ବିମାନ ବନ୍ଦରରେ ସକାଳ ୮. ୫୦ ରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି l ଏହା ପରେ ସେ ସଡ଼କ ପଥରେ କଟକ ଯାତ୍ରା କରି ୯. ୩୫ ସୁଦ୍ଧା ନେତାଜୀ ଜନ୍ମ ସ୍ଥାନ ସଂଗ୍ରହାଳୟରେ ପହଞ୍ଚିବେ | ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରି ଲୋକ ଭବନରେ ମଧ୍ୟାହ୍ନଭୋଜନ କରିବେ l ଅପରାହ୍ଣ ୨ଟା ସୁଦ୍ଧା ଉପରାଷ୍ଟପତି ଭୁବନେଶ୍ୱର ବିମାନ ବନ୍ଦରରୁ କୋଲକାତା ଅଭିମୁଖେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି |
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୃହ, ଖଣି ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ଙ୍କ ସମେତ ଅନ୍ୟ ସମ୍ପୃକ୍ତ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ପଦାଧିକାରୀମାନେ ଯୋଗ ଦେଇଥିଲେ l ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ, ପୁଲିସ କମିଶନର ଏସ୍. ଦେବଦତ୍ତ ସିଂ, ଜିଲ୍ଲାପାଳ, କଟକ ପ୍ରମୁଖ ଆଭାସୀ ମାଧ୍ୟମରେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l



