Odisha
Trending

ସାଂସଦ ଓ ବିଧାୟକଙ୍କୁ ଅସମ୍ମାନ କଲେ ଅଧିକାରୀଙ୍କ ପଦୋନ୍ନତି ବନ୍ଦ

ଜନପ୍ରତିନିଧିଙ୍କୁ ସମ୍ମାନ ଦେବା ପ୍ରସଙ୍ଗରେ କେନ୍ଦ୍ର ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି | ଏଣିକି ସାଂସଦ ଓ ବିଧାୟକଙ୍କୁ ଅସମ୍ମାନ କଲେ ହେବ କାର୍ଯ୍ୟାନୁଷ୍ଠାନ । ଅସମ୍ମାନ ଘଟଣାର ଅଭିଯୋଗ ପ୍ରମାଣିତ ହେଲେ ସମ୍ପୃକ୍ତ ଅଧିକାରୀଙ୍କ ପଦୋନ୍ନତି ରୋକିବା, ବାଧ୍ୟତାମୂଳକ ଅବସର କିମ୍ବା ଚାକିରିରୁ ବହିଷ୍କାର ଭଳି କଠୋର ଦଣ୍ଡ ଦିଆଯିବ ବୋଲି ସତର୍କ କରାଇଦେଇଛି କେନ୍ଦ୍ର ।

ଏ ନେଇ ସବୁ ରାଜ୍ୟକୁ ସତର୍କ କଲା କାର୍ମିକ ମନ୍ତ୍ରଣାଳୟ | ନିର୍ବାଚିତ ବିଧାୟକ ଓ ସାଂସଦଙ୍କୁ ଅସମ୍ମାନ କଲେ କିମ୍ବା ସେମାନଙ୍କ ନିର୍ଦ୍ଦେଶକୁ ହେୟଜ୍ଞାନ କଲେ ହେବ କାର୍ଯ୍ୟାନୁଷ୍ଠାନ | କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ବିଧାୟକ ଓ ସାଂସଦଙ୍କୁ ସମ୍ମାନ ଦେବା ପାଇଁ ଉଦ୍ଦିଷ୍ଟ ପ୍ରୋଟୋକଲକୁ ନ ମାନିଲେ ଏପରିକି ନିଜର ବଦଳି କିମ୍ବା ପଦୋନ୍ନତି ତଥା ବ୍ୟକ୍ତିଗତ ସ୍ବାର୍ଥ ପାଇଁ କୌଣସି ରାଜନୈତିକ ଚାପ ପକାଇଲେ, ସରକାରୀ ନିୟମ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ।

ଅଧିକାରୀଙ୍କ ବିଶୃଙ୍ଖଳିତ ଆଚରଣକୁ ନେଇ ରାଜ୍ୟସଭାର ଏଥିକ୍ସ କମିଟି ଓ ଲୋକସଭାର ପ୍ରୋଟୋକଲ ଉଲ୍ଲଙ୍ଘନ କମିଟି ବୈଠକରେ ଉଦ୍ବେଗ ପ୍ରକାଶ ପାଇଥିଲା। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ସବୁ ରାଜ୍ୟକୁ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ନିର୍ଦ୍ଦେଶନାମା ଅନୁସାରେ, ଅଫିସରମାନେ ଶିଷ୍ଟାଚାର ପାଳନ କରିବାକୁ ବାଧ୍ୟ । ଜଣେ ସାଂସଦ କିମ୍ବା ବିଧାୟକ କୌଣସି ଅଧିକାରୀଙ୍କୁ ଭେଟିବାକୁ ଆସିଲେ, ସମ୍ପୃକ୍ତ ଅଫିସର ନିଜ ଆସନରୁ ଛିଡ଼ା ହୋଇ ତାଙ୍କୁ ସ୍ବାଗତ କରିବା ସହ ବିଦାୟ ସମୟରେ ଅଫିସ ବାହାର ପର୍ଯ୍ୟନ୍ତ ତାଙ୍କୁ ଛାଡ଼ିବାକୁ ଯିବେ | ଏପରିକି ଜନପ୍ରତିନିଧିଙ୍କ ଗାଡ଼ିକୁ ଅଫିସ୍ ପରିସର ମଧ୍ୟକୁ ପ୍ରବେଶ କରିବା ପାଇଁ ସୁରକ୍ଷା କଟକଣାକୁ ବି କୋହଳ କରିବେ |

Show More

Related Articles

Leave a Reply

Your email address will not be published. Required fields are marked *

Back to top button