Odisha
Trending

୧୨ରେ ଦେଶବ୍ୟାପୀ ଧର୍ମଘଟ

ଆନ୍ଦୋଳନକୁ ଓହ୍ଲାଇବେ ୧୦ରୁ ଅଧିକ ଶ୍ରମିକ ଓ ଚାଷୀ ସଂଗଠନ

ଗୁରୁବାର ସାରା ଭାରତରେ ଧର୍ମଘଟ | ଅଚଳ ହୋଇଯିବ ସବୁ ଚକ ଅଖ | ବ୍ୟବସାୟ ପ୍ରତିଷ୍ଠାନ, ପରିବହନ ବ୍ୟବସ୍ଥା ଆଦି ବନ୍ଦ ରହିବ | କେନ୍ଦ୍ର ସରକାର ଲାଗୁ କରିଥିବା ୪ ଶ୍ରମକୋଡ୍‌ ଶ୍ରମିକ ବିରୋଧୀ। ଶ୍ରମିକ ବିରୋଧୀ ଏହି ଶ୍ରମକୋଡ୍‌ ପ୍ରତ୍ୟାହାର ଦାବିରେ ଦେଶବ୍ୟାପୀ ଫେବ୍ରୁଆରି ୧୨ ତାରିଖରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି | ଦେଶର ପ୍ରମୁଖ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଯଥା ଆଇଏନଟିୟୁସି, ଏଆଇଟିୟୁସି, ଏଚ୍‌ଏମ୍‌ଏସ, ସିଆଇଟିୟୁ, ଏଆଇୟୁଟିୟୁସି, ଏଆଇସିସିଟିୟୁ, ଟିୟୁସିସି, ଏଲପିଏଫ୍‌, ୟୁଟିୟୁସି ଏହି ଧର୍ମଘଟ ଡାକରା ଦେଇଛନ୍ତି |


ଏ ପର୍ଯ୍ୟନ୍ତ ଶ୍ରମିକମାନଙ୍କୁ ଆଇନଗତ ସୁରକ୍ଷା ଓ ଅଧିକାର ପ୍ରଦାନ କରି ଆସୁଥିବା ସମସ୍ତ ୨୯ଟି ଶ୍ରମ ଆଇନକୁ କେନ୍ଦ୍ର ସରକାର ଉଚ୍ଛେଦ କରି ୪ ନୂଆ ଶ୍ରମକୋଡ୍‌ ଲାଗୁ କରିଛନ୍ତି। ଏହି କୋଡ୍ ଶ୍ରମିକମାନଙ୍କର ଏକ ବଡ଼ ଅଂଶକୁ ‘ଶ୍ରମିକ’ ପରିସରରୁ ବାହାର କରିଦେବ, ଯଦ୍ୱାରା ସେମାନଙ୍କ ଅସ୍ତିତ୍ୱ ବିପଦରେ ପଡ଼ିବ। ଉଚ୍ଛେଦ ୨୯ଟି ଶ୍ରମ ଆଇନ ବ୍ରିଟିସ୍‌ ଶାସନ ବିରୋଧରେ ଭାରତୀୟ ଜନତାଙ୍କ ସଂଗ୍ରାମ ଓ ବଳିଦାନରୁ ହାସଲ ହୋଇଥିଲା। ନୂଆ ଶ୍ରମ କୋଡ୍ ଦେଶର ସମ୍ବିଧାନ ଉପରେ ଏକ ବଡ଼ ଆକ୍ରମଣ। ୨୦୨୫ ନଭେମ୍ବର ୨୧ରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହାକୁ ଲାଗୁ କରିବା ପାଇଁ କେନ୍ଦ୍ରୀୟ ନିୟମାବଳୀ ପ୍ରସ୍ତୁତ କରାଯାଉଛି। ଚାଷୀଙ୍କୁ ଏମ୍‌ଏସ୍‌ପିର ଗ୍ୟାରେଣ୍ଟି ମିଳିଲା ନାହିଁ, ଓଲଟା ଆମେରିକା ସହ ହୋଇଥିବା ଚୁକ୍ତିରେ ଆମେରିକୀୟ କୃଷିଜାତ ଦ୍ରବ୍ୟ ପାଇଁ ଭାରତୀୟ ବଜାରକୁ ଖୋଲି ଦିଆଗଲା। ଏହାଦ୍ୱାରା ଦେଶର କୃଷିଭିତ୍ତିକ ଅର୍ଥନୀତି ବରବାଦ ହେବ ଓ ଚାଷୀଙ୍କ ସଙ୍କଟ ବୃଦ୍ଧି ପାଇବ ବୋଲି ଅଭିଯୋଗ ହୋଇଛି |


ସେହିପରି ମନରେଗାରେ ନିଶ୍ଚିତ କର୍ମନିଯୁକ୍ତିକୁ ହଟାଇ ଭିବିଜିରାମଜି ଆଇନ-୨୦୨୫ ପ୍ରଣୟନ କରି ଆର୍ଥିକ ବୋଝ ରାଜ୍ୟଗୁଡ଼ିକ ଉପରେ ଲଦି ଦିଆଯାଉଛି। ଏହାର ପ୍ରତିବାଦରେ ଏହି ଧର୍ମଘଟ ଡାକରା ଦିଆଯାଇଛି। ସଂଯୁକ୍ତ କିଷାନ ମୋର୍ଚ୍ଚା, ଗ୍ରାମୀଣ କ୍ଷେତମଜଦୁର ସଂଘମାନେ ବି ଏହି ଧର୍ମଘଟକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି | ଓଡ଼ିଶାର ପ୍ରମୁଖ ବାମପନ୍ଥୀ ଦଳମାନେ ଯଥା ସିପିଆଇ, ସିପିଆଇ(ଏମ୍‌), ସିପିଆଇ (ଏମ୍‌ଏଲ) ଲିବରେସନ ଓ ଅଲ୍‌ ଇଣ୍ଡିଆ ଫରୱାର୍ଡ ବ୍ଲକ ଏହି ଧର୍ମଘଟକୁ ସମ୍ପୂର୍ଣ୍ଣ ସଫଳ କରିବାକୁ ଆହ୍ୱାନ ଦେଇଛନ୍ତି ।
ଏହି ଧର୍ମଘଟରୁ ରୋଗୀ ଚିକିତ୍ସା, ଆମ୍ବୁଲାନ୍ସ ସେବା, ଜଳ ଯୋଗାଣ, ସମ୍ବାଦ ସରବରାହ ଓ ଫାୟାର ବ୍ରିଗେଡ୍‌ ଜରୁରୀ ସେବାକୁ ବାଦ ଦିଆଯିବ | ଗୁରୁବାର ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସାଧାରଣ ଧର୍ମଘଟ ହେବ |

Show More

Related Articles

Leave a Reply

Your email address will not be published. Required fields are marked *

Back to top button