Odisha
Trending

ଓଡ଼ିଶାର ଆର୍ଥିକ ବିକାଶ ଲକ୍ଷ୍ୟ ଦିଗରେ ଉଲ୍ଲେଖନୀୟ ଭୂମିକା ପ୍ରଦର୍ଶିତ କରୁଛି

ମୁଖ୍ୟ ଶାସନ ସଚିବ,ଓଡ଼ିଶା ଶ୍ରୀମତୀ ଅନୁ ଗର୍ଗ, ଆଜି ପାରାଦ୍ୱୀପ ବନ୍ଦର ପରିଦର୍ଶନ କରି ବନ୍ଦର
କର୍ତ୍ତୃପକ୍ଷ ଓ ଅଧିକାରୀମାନଙ୍କ ସହିତ ବନ୍ଦରର କାର୍ଯ୍ୟ ଏବଂ ଦୀର୍ଘକାଳୀନ ସଂପ୍ରସାରଣ ଯୋଜନା ଅନୁଧ୍ୟାନ
କରିଥିଲେ । ମୁଖ୍ୟ ଶାସନ ସଚିବ ଗତକାଲି ପାରାଦ୍ଵୀପ ଠାରେ ପହଞ୍ଚି ଆଜି ପୂର୍ବାହ୍ନରୁ ବିଭିନ୍ନ ସ୍ଥାନ ପରିଦର୍ଶନ
କରିଥିଲେ । ଶ୍ରୀମତୀ ଗର୍ଗ ପ୍ରଥମେ ପାରାଦ୍ଵୀପର ପ୍ରସ୍ତାବିତ ବ୍ଲୁ ଫ୍ଲାଗ ବିଚ୍ ରେ ପହଞ୍ଚି ଜିଲ୍ଲାପାଳଙ୍କ ସହ ତାହାର
କାର୍ଯ୍ୟକାରିତା ଓ ସ୍ଥିତି ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ ।

ପରିଦର୍ଶନ ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବଙ୍କୁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଅଧ୍ୟକ୍ଷ, ଶ୍ରୀ ପି.ଏଲ୍
ହରାନାଧ, ବନ୍ଦରର ୱେଟ୍ ବେସିନ ଠାରେ ସ୍ୱାଗତ କରିଥିଲେ ଏବଂ ସିଆଇଏସଏଫ୍ ୟୁନିଚ୍ ଦ୍ୱାରା ତାଙ୍କୁ
ଆନୁଷ୍ଠାନିକ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ମୁଖ୍ୟ ଶାସନ ସଚିବ ପ୍ରସ୍ତୁତ ରହିଥିବା ବର୍ଥ , ଜାହାଜ
ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥା ଏବଂ ସାମୁଦ୍ରିକ କାର୍ଯ୍ୟ ନିରୀକ୍ଷଣ ପାଇଁ ଏକ ଲଞ୍ଚ ଯାତ୍ରା ମଧ୍ୟ କରିଥିଲେ ।
ପାରାଦ୍ୱୀପ ବନ୍ଦର ୨୦୨୪-୨୫ ଆର୍ଥିକ ବର୍ଷରେ ରେକର୍ଡ ପରିମାଣର ୧୫୦.୪୧ ମିଲିୟନ ମେଟ୍ରିକ୍ ଟନ
କାର୍ଗୋ(ମାଲ) ପରିହନ କରିଛି, ଯାହା ଭାରତର ଏକ ନମ୍ବର ମୁଖ୍ୟ ବନ୍ଦର ଭାବେ ମାନ୍ୟତା ପ୍ରାପ୍ତ । ୨୮୯
ଏମପିଟିଏ ମୂଲ୍ୟାଙ୍କିତ କ୍ଷମତା, ଶିଳ୍ପରେ ଅଗ୍ରଣୀ ଉତ୍ପାଦକତା, ଏବଂ ପ୍ରାୟ ୧୮୬୦ କୋଟିର ନେଟ୍
ଅତିରିକ୍ତ ଲାଭ ସହିତ, ପାରାଦୀପ ବନ୍ଦର ଜାତୀୟ ମାନଦଣ୍ଡ ସ୍ଥାପିତ କରିବା ଜାରି ରଖିଛି ଓ ଦେଶର ପ୍ରମଖ
ଅନ୍ୟ ବନ୍ଦରମାନଙ୍କ ମଧ୍ୟରୁ ସବୁଠାରୁ କମ୍ ଜହାଜ ଏବଂ କାର୍ଗୋ ଶୁଳ୍କ ରଖୁଛି ।

ଆଲୋଚନା ସମୟରେ, ମୁଖ୍ୟ ସଚିବ ଓଡିଶାର ଉଚ୍ଚାକାଂକ୍ଷୀ ଆର୍ଥିକ ବିକାଶ ଲକ୍ଷ୍ୟ ସଂପର୍କରେ ଉଲ୍ଲେଖ
କରି ୨୦୩୬ ସୁଦ୍ଧା ୫୦୦ ବିଲିୟନ୍ ଡଲାର୍ ଏବଂ ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ୍ ଡଲାର୍ ଲକ୍ଷ୍ୟ ରହିଥିବା
ପ୍ରକାଶ କରିଥିଲେ । ସେ ଦ୍ୱିତୀୟ-ଅଙ୍କ ବିଶିଷ୍ଟ ଅଭିବୃଦ୍ଧିର ହାରର ଆବଶ୍ୟକତା ପ୍ରତି
ଗୁରୁତ୍ୱ ଦେଇ ରପ୍ତାନୀ, ଜାହାଜ ନିର୍ମାଣ ଏବଂ ବନ୍ଦର-ଭିତ୍ତିକ ବିକାଶ ଦ୍ୱାରା ଏହା ସମ୍ଭବ ହୋଇପାରିବ ବୋଲି
ପ୍ରକାଶ କରିବା ସହ ଓଡିଶାର ଦୀର୍ଘ ସମୂଦ୍ର ଉପକୂଳରେଖାକୁ ରଣନୀତିଗତ ସୁଯୋଗ ନେବାକୁ କହିଥିଲେ ।
ପାରାଦ୍ଵୀପ ବନ୍ଦରକୁ ବିଶ୍ଵରେ ଓଡ଼ିଶା ଅର୍ଥନୀତିର ମୁଖଶାଳା କରି ଗଢ଼ିବା ପାଇଁ ସେ ପରାମର୍ଶ ଦେଇଥିଲେ ।
ସେ “ପାରାଦୀପ ବନ୍ଦର ୨.୦” ଦୃଷ୍ଟିକୋଣର ଗୁରୁତ୍ୱ ଉପରେ ସେ ଆଲୋକପାତ କରିଥିଲେ, ଯେଉଁଥିରେ ୫୦୦
ଏମଟିପିଏରୁ ଅଧିକ କ୍ଷମତା ବିସ୍ତାର, ୱେଷ୍ଟର୍ଣ୍ଣ ଡକକୁ ଗଭୀର କରାଯିବା ଏବଂ ଏକ ଉତ୍ସର୍ଗୀକୃତ ସବୁଜ
ହାଇଡ୍ରୋଜେନ ବର୍ଥର ବିକାଶ ଅନ୍ତର୍ଭୁକ୍ତ ରହିଛି । ଗଞ୍ଜାମ ଜିଲ୍ଲାର ପ୍ରସ୍ତାବିତ ୧୫୦ ଏମଟିପିଏ ବାହୁଦା ବନ୍ଦର
ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ମହାନଦୀର ଉତ୍ତରରେ ୧.୨ ନିୟୁତ ଜିଟି କ୍ଷମତା ବିଶିଷ୍ଟ ଜାହାଜ ନିର୍ମାଣ ଏବଂ
ଜାହାଜ ମରାମତି କ୍ଲଷ୍ଟର ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ଓଡ଼ିଶା ସରକାର ଏବଂ ପାରାଦ୍ୱୀପ
ବନ୍ଦର ପ୍ରାଧିକରଣ ମଧ୍ୟରେ ଏକ ସ୍ପେଶାଲ ପର୍ପୋଜ୍ ଭେଇକିଲ୍ ମାଧ୍ୟମରେ ବିକଶିତ ହେବାକୁ ଥିବା ଏହି
ପ୍ରକଳ୍ପଗୁଡ଼ିକ ରାଜ୍ୟର ସାମୁଦ୍ରିକ ଅର୍ଥନୀତିକୁ ଯଥେଷ୍ଟ ମଜବୁତ କରିବ ବୋଲି ଆଶା କରାଯାଉଛି । ପୁରୀଠାରେ
ଏକ କ୍ରୁଜ ଟର୍ମିନାଲର ବିକାଶ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ଏବଂ କାର୍ଯ୍ୟକାରିତାରେ ପ୍ରାଥମିକତା
ଦେବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

ପାରାଦ୍ଵୀପକୁ ଓଡ଼ିଶାର ଶିଳ୍ପ ସମୃଦ୍ଧ ଅର୍ଥନୀତିରେ ପରିଣତ କରିବାପାଇଁ ସେ ବିଭିନ୍ନ ପରାମର୍ଶ
ଦେଇଥିଲେ। କାର୍ଯ୍ୟକାରୀ ହେଉଥିବା ଏବଂ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା ସହ ପାରାଦ୍ଵୀପ ପେଟ୍ରୋ
କେମିକାଲ ପ୍ରକଳ୍ପ ବିଷୟ ରେ ଆଲୋଚନା କରିଥିଲେ । ବିଶେଷ କରି ଭୁବନେଶ୍ୱର-କଟକ-ପୁରୀ-ପାରାଦ୍ଵୀପ
ଇକୋନୋମିକ ରିଜନ ଉପରେ ଆଲୋକପାତ କରି ଶିଳ୍ପ ଅନୁଷ୍ଠାନ ଏବଂ ପ୍ରଶାସନ ମଧ୍ୟରେ ସମନ୍ଵୟ ରହିଲେ
ବିକାଶ ତ୍ୱରାନ୍ୱିତ ହେବ ବୋଲି ସେ କହିଥିଲେ ।

ଓଡ଼ିଶାର ଦୃଢ଼ ଆର୍ଥିକ ସ୍ଥିତି ଓ ଉଚ୍ଚ ପୁଞ୍ଜି ବ୍ୟୟ ବ୍ୟବସ୍ଥାକୁ ଉଲ୍ଲେଖ କରି, ସେ ଖଣିଜ
ଉତ୍ତେଳନରେ ସୀମିତ ନରହି ଜାହାଜ ନିର୍ମାଣ, ପୁନଃ ନବୀକରଣ ଶକ୍ତି, ବିରଳ ଧାତୁ ପ୍ରକ୍ରିୟାକରଣ, ଅନ୍ତରୀକ୍ଷ
ଉଦ୍ୟୋଗ, ପୋଷାକ, ପର୍ଯ୍ୟଟନ ଓ କ୍ରୁଜ୍ ବିକାଶରେ ବିବିଧିକରଣ ପାଇଁ ଆହ୍ୱାନ ଦେଇଥିଲେ, ଯାହା
ଦୀର୍ଘକାଳୀନ ଓ ନିରନ୍ତର ବିକାଶକୁ ସୁନିଶ୍ଚିତ କରିପାରିବ । ମୁଖ୍ୟ ଶାସନ ସଚିବଙ୍କ ଏହି
ପରିଦର୍ଶନ ପାରାଦୀପକୁ ଏକ ବିଶ୍ୱସ୍ତରୀୟ ସମକକ୍ଷ ସାମୁଦ୍ରିକ ପ୍ରବେଶ ଦ୍ୱାର ଏବଂ ଓଡ଼ିଶାର ଆର୍ଥିକ ଏବଂ
ସମୁଦ୍ରିକ ଅଭିବୃଦ୍ଧିର ମୁଖ୍ୟ ଚାଳକ ଭାବରେ ପରିଣତ କରିବାରେ ସହଯୋଗୀ ପ୍ରତିବଦ୍ଧତାକୁ ପୁନଃସ୍ଥାପିତ କରୁଛି


ମୁଖ୍ୟ ସଚିବ, ଶ୍ରୀମତୀ ଗର୍ଗ ଇଫକୋ, ପାରାଦ୍ୱୀପ ଠାରେ ପ୍ରମୁଖ ଶିଳ୍ପ ଓ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର
ପ୍ରଗତି ସମୀକ୍ଷା କରିଥିଲେ ଏବଂ ପିପିଏଲ୍ ପାରାଦୀପ, ଜେଏସଡବ୍ଲ୍ୟୁ, ଉତ୍କଳ ଷ୍ଟିଲ୍ ଲିମିଟେଡ୍, ଏଏମଏନଏସ୍
ସହ ଅନ୍ୟାନ୍ୟ ଶିଳ୍ପ ସଂସ୍ଥାମାନଙ୍କର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ସେ ସଡ଼କ
ସଂଯୋଗ, ଟାଉନସିପ୍ ବିକାଶ, ହସ୍ପିଟାଲ୍ ଭିତ୍ତିଭୂମି, ପ୍ରସ୍ତାବିତ ବହୁ ସ୍ପେସାଲିଟି ହସ୍ପିଟାଲ୍ ଓ ପାରାଦୀପରେ
ପ୍ରସ୍ତାବିତ ବିମାନବନ୍ଦର ସମ୍ପର୍କିତ ପ୍ରଗତିକୁ ସମୀକ୍ଷା କରି ଶିଳ୍ପ ସମ୍ପର୍କିତ ସମସ୍ୟାଗୁଡ଼ିକର ଶୀଘ୍ର ସମାଧାନ ପାଇଁ
ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ । ପରେ ସମ୍ମିଳନୀ କକ୍ଷରେ ପାରାଦ୍ଵୀପ ବନ୍ଦର ୨.୦ ଭିଜନ, ଗ୍ରୀନ
ହାଇଡ୍ରୋଜେନ୍ ହବ, ପ୍ଲାଷ୍ଟିକ ପାର୍କ, ପର୍ଯ୍ୟଟନ ବିକାଶ, କ୍ରୁଜ ଉନ୍ନୟନ ସହ ବିଭିନ୍ନ ଉନ୍ନୟନମୂଳକ
କାର୍ଯ୍ୟଗୁଡ଼ିକର ସମୀକ୍ଷା କରି ଶିଳ୍ପ ଅଭିବୃଦ୍ଧି ସହିତ ପାରାଦୀପର ସମନ୍ୱିତ ବିକାଶ ଉପରେ ଗୁରୁତ୍ୱାରୋପ
କରିଥିଲେ । ଯୋଜନାବଦ୍ଧ ଜମି ବ୍ୟବହାର, ସୁଦୃଢ ଆଇନ ଶୃଙ୍ଖଳା ବ୍ୟବସ୍ଥା ଏବଂ ସମାବେଶୀ ସାର୍ବଜନୀନ
ଭିତ୍ତିଭୂମି ଅଭିବୃଦ୍ଧିର ପ୍ରମୁଖ ମାଧ୍ୟମ ବୋଲି ସେ ଆଲୋକପାତ କରିଥିଲେ ।

ଏହି ପରିଦର୍ଶନ ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଏସଟିଏସସି ବିକାଶ ବିଭାଗ ଅନ୍ତର୍ଗତ
ପାରାଦ୍ଵୀପ ଗଡ଼ ଠାରେ ଥିବା ପାରେଶ୍ୱର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବା ସହ ଛାତ୍ରୀ
ମାନଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ । ଅପରାହ୍ନରେ ଆଇଓସିଏଲ୍ ପ୍ଲାଣ୍ଟ ପରିଦର୍ଶନ ସହ ସମ୍ମିଳନୀ କକ୍ଷରେ
ଇଫକୋ, ପିପିଏଲ, ଜେଏସଡବ୍ଲୁ ଆଦି ଶିଳ୍ପ ଅନୁଷ୍ଠାନମାନଙ୍କ ସହ ଆଲୋଚନା କରିଥିଲେ ।
ଶେଷରେ ପାରାଦ୍ଵୀପ ମେ ଫେୟାର ହୋଟେଲ ଏକଷ୍ଟେନସନ୍ ସାଇଟ୍ ପରିଦର୍ଶନ କରିଥିଲେ । ଏହି
ଗସ୍ତ ସମୟରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପୌର ପ୍ରଶାସନ ନିର୍ଦ୍ଦେଶକ ତଥା
ଅତିରିକ୍ତ ଶାସନ ସଚିବ ଶ୍ରୀ ଅରିନ୍ଦମ ଡାକୁଆ, ଜିଲ୍ଲାପାଳ ଶ୍ରୀ ଜେ ସୋନାଲ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ
ଅଙ୍କିତ କୁମାର ବର୍ମା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ ପାରାଦ୍ଵୀପ ଶ୍ରୀ
ନିରଞ୍ଜନ ବେହେରା, ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଉପାଧ୍ୟକ୍ଷ ଶ୍ରୀ ଟି. ଭେନୁ ଗୋପାଳ ଏବଂ ବନ୍ଦର କର୍ତ୍ତୃପକ୍ଷଙ୍କ
ଅନ୍ୟ ବରିଷ୍ଠ ଅଧିକାରୀ, ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ,
ପୌର ନିର୍ବାହୀ ଅଧିକାରୀ ଶ୍ରୀ ଅଭିଷେକ ପଣ୍ଡା, ଜିଲ୍ଲାସ୍ତରୀୟ ଅନ୍ୟ ଅଧିକାରୀ, ଶିଳ୍ପ ଅନୁଷ୍ଠାନଗୁଡିକର
ଅଧିକାରୀମାନେ ଉପସ୍ଥିତ ଥିଲେ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button