Responsive Image Link
Department
Trending

COMMERCE & TRANSPORT: ପବିତ୍ର ରକ୍ଷା ବନ୍ଧନରେ ମହିଳାଙ୍କ ନିମନ୍ତେ ଆମବସ୍ ଯାତ୍ରା ଦେୟମୁକ୍ତ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ତତ୍ତ୍ଵାବଧାନରେ ପବିତ୍ର ରକ୍ଷା ବନ୍ଧନ ଅବସରରେ ମହିଳା ଯାତ୍ରୀଙ୍କ ପାଇଁ ୨୭ ଅଗଷ୍ଟ ୨୦୨୬ରେ ଆମ ବସ୍‌ରେ ଦେୟମୁକ୍ତ ଯାତ୍ରା ସୁବିଧା ଘୋଷଣା କରିଛି କମ୍ପ୍ରେହେନ୍ସିଭ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (CRUT) । ମହିଳା ମାନଙ୍କୁ ସମ୍ମାନ ଓ ପ୍ରାଧାନ୍ୟ ସରକାରଙ୍କ ପ୍ରତିବଦ୍ଧତା | ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଓ କେନ୍ଦୁଝର ସହରରେ ଚଳାଚଳ କରୁଥିବା ସମସ୍ତ ଆମ ବସ୍‌ରେ ଏହି ସୁବିଧା ଉପଲବ୍ଧ ହେବ । ଏହାଦ୍ୱାରା ଦିନକରେ ପ୍ରାୟ ଏକ ଲକ୍ଷରୁ ଊର୍ଦ୍ଧ୍ବ ମହିଳା ଯାତ୍ରୀ ଉପକୃତ ହେବେ ବୋଲି ଆଶା କରାଯାଉଛି ।

ମହିଳାଙ୍କ ପାଇଁ ନିରାପଦ, ସୁବିଧାଜନକ ଓ ସୁଲଭ ଜନପରିବହନ ସୁନିଶ୍ଚିତ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ । ସୁରକ୍ଷିତ ଓ ସମାବେଶୀ ଜନପରିବହନ ମାଧ୍ୟମରେ ମହିଳାମାନଙ୍କ ସାମାଜିକ ଓ ଆର୍ଥିକ ଗତିଶୀଳତାକୁ ଏହା ଆହୁରି ସୁଦୃଢ଼ କରିବ । GPS ଆଧାରିତ ବସ୍ ଟ୍ରାକିଂ, CCTV ନିରୀକ୍ଷଣ, ପ୍ରଶିକ୍ଷିତ ବସ୍ କର୍ମଚାରୀ ଓ ଯାତ୍ରୀ ସହାୟତା ବ୍ୟବସ୍ଥା ଭଳି ସୁବିଧା ସହ ଆମ ବସ୍ ସେବାକୁ ଅଧିକ ନିରାପଦ ଓ ନିର୍ଭରଯୋଗ୍ୟ କରାଯାଉଛି ।

CRUTର ପରିଚାଳନା ନିର୍ଦ୍ଦେଶକ ସିଦ୍ଦିକ୍ ଆଲମ୍ କହିଛନ୍ତି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଏବଂ ମାନ୍ୟବର ମନ୍ତ୍ରୀଙ୍କ ମାର୍ଗଦର୍ଶନରେ ନିଆଯାଇଥିବା ଏହି ପଦକ୍ଷେପ ମହିଳାମାନଙ୍କୁ ନିରାପଦ, ସୁଲଭ ଓ ସମ୍ମାନଜନକ ଯାତାୟାତ ସୁବିଧା ପ୍ରଦାନ ଦିଗରେ CRUTର ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରିବ | ଦେୟମୁକ୍ତ ଯାତ୍ରା ସତ୍ତ୍ୱେ ‘ଜିରୋ ଟିକେଟ୍’ (Zero Ticket) ନେବା ମହିଳା ଯାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ । ଏଥିସହ ସମସ୍ତ ଯାତ୍ରୀଙ୍କୁ ବସ୍ କର୍ମଚାରୀଙ୍କ ସହଯୋଗ କରିବା ଏବଂ ଯାତ୍ରୀ ଶିଷ୍ଟାଚାର ପାଳନ କରିବାକୁ CRUT ପକ୍ଷରୁ ଅନୁରୋଧ କରାଯାଇଛି। ପବିତ୍ର ରକ୍ଷା ବନ୍ଧନ ଦିନଟିକୁ ସ୍ମରଣୀୟ କରିବା ନିମନ୍ତେ ମହିଳାମାନଙ୍କୁ ଆମ ବସ୍‌ ଯାତ୍ରାର ସାଥୀ କରି ନିରାପଦ, ସୁବିଧାଜନକ ଓ ଚିନ୍ତାମୁକ୍ତ ଯାତ୍ରାର ଅନୁଭୂତି ନେବାକୁ CRUT ଆହ୍ୱାନ କରିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button