Skip to main content

welcome to business breaking

BusinessBreaking - Responsive Header
Loading date... Loading time...

REVENUE: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ବନ୍ୟା ସ୍ଥିତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

REVENUE: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ବନ୍ୟା ସ୍ଥିତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା

ଏସଆରସି କଣ୍ଟ୍ରୋଲ ରୁମରେ ସ୍ଥିତି ଗଞ୍ଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା

ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଲଗାଣ ବର୍ଷାଜନିତ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ | ଆଜି ସକାଳେ ଏସ୍‌ଆର୍‌ସି କାର୍ଯ୍ୟାଳୟରେ ଶ୍ରୀମତୀ ଗର୍ଗ ସ୍ଥିତି ସମୀକ୍ଷା କରି ବନ୍ୟା ମୁକାବିଲା ସଂପର୍କରେ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି | ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅତ୍ୟଧିକ ବର୍ଷା ହୋଇଛି | ବିଶେଷ କରି ଗଞ୍ଜାମ ଜିଲ୍ଲାରେ ପ୍ରଭାବିତଙ୍କ ସ୍ଥିତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ, ଏସଆରସି ରାଜେଶ ପ୍ରଭାକର ପାଟିଲ ଏବଂ ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତିଭାସନଙ୍କ ସହିତ କଥା ହୋଇଥିଲେ | ବାତ୍ୟା ପୂର୍ବରୁ ପ୍ରସ୍ତୁତି ଓ ଲଗାଣ ବର୍ଷା ଯୋଗୁଁ ବନ୍ୟା ମୁକାବିଲା ପଦକ୍ଷେପ ସମ୍ପର୍କରେ ସେ ଆଲୋଚନା କରିଥିଲେ | ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହିତ ନିଆଯାଉଥିବା ପଦକ୍ଷେପ ସଂପର୍କରେ ମଧ୍ୟ ଆଲୋଚନା ଓ ପରାମର୍ଶ କରିଛନ୍ତି |

ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକ ଅଧିନସ୍ଥ ୨୦୮ଟି ଗ୍ରାମ ପଂଚାୟତର ୨୯୯ଟି ଗ୍ରାମ ଏବଂ ଗଜପତି ଜିଲ୍ଲାର ୭ଟି ବ୍ଲକ ଅନ୍ତର୍ଗତ ୧୧୦ଟି ଗ୍ରାମ ପଂଚାୟତର ୭୧୧ଟି ଗ୍ରାମ ବେଶୀ ପ୍ରଭାବିତ ହୋଇଛନ୍ତି | ଗଞ୍ଜାମ ଜିଲ୍ଲାର ୪୨,୫୦୦ ଏବଂ ଗଜପତି ଜିଲ୍ଲାର ୨୦,୦୦୦ ଲୋକ ପ୍ରଭାବିତ ହୋଇଛନ୍ତି | ଗଞ୍ଜାମ ଜିଲ୍ଲାର ୧୧,୮୮୨ ଜଣ ଓ ଗଜପତି ଜିଲ୍ଲାର ୧୭,୪୪୧ ଜଣଙ୍କୁ ସ୍ଥାନାନ୍ତରଣ କରାଯାଇ ବନ୍ୟା ବାତ୍ୟା ଆଶ୍ରୟ ସ୍ଥଳରେ ରଖାଯାଇଛି | ଗଞ୍ଜାମ ଜିଲ୍ଲାରେ ୭୦ଟି ଗ୍ରାମର ୨୩୨୮ ଟି ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ପ୍ରଭାବିତ ଅଂଚଳରେ ପ୍ରଖର ଜଳସ୍ରୋତ ଯୋଗୁଁ ଯେଉଁଠି ଏନଡିଆରଏଫ୍ ଏବଂ ଓଡ୍ରାଫ୍ ଟିମ୍ ପହଞ୍ଚିବା ସମ୍ଭବପର ହେଉ ନାହିଁ, ସେ ସବୁ ଅଂଚଳରେ ପ୍ରଭାବିତଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ଏୟାର ଲିଫ୍ଟିଂ କରାଯିବା ନେଇ ପରାମର୍ଶ କରାଯାଇଛି | ଜିଲ୍ଲାପାଳଙ୍କୁ ସେ ସବୁ ଅଂଚଳର ତାଲିକା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି | ସେସବୁ ଅଂଚଳରେ ରନ୍ଧାଖାଦ୍ୟା, ପିଇବା ପାଣି ଓ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି |

ଭାରତୀୟ ତଟରକ୍ଷୀ ବାହିନୀର ସ୍ୱତନ୍ତ୍ର ହେଲିକପ୍ଟର ବ୍ୟବହାର କରାଯିବା ନେଇ ମୁଖ୍ୟ ଶାସନ ସଚିବ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ କଥା ହୋଇଛନ୍ତି | ଜରୁରୀ ଆବଶ୍ୟକତା ସ୍ଥଳେ ଏୟାର ଲିଫ୍ଟିଂ ପାଇଁ ନିଷ୍ପତ୍ତି ନିଆଯିବ | ସ୍ଥିତିକୁ ନଜରରେ ରଖି ଜିଲ୍ଲାପାଳ ଆବଶ୍ୟକ ପଦକ୍ଷେପ ନେଉଛନ୍ତି | ଗଜାମ ଜିଲ୍ଲାରେ ୨୭ଟି ଓଡ୍ରାଫ୍, ୩ଟି ଏନଡିଆରଏଫ୍ ଏବଂ ୨୪ଟି ଅଗ୍ନିଶମ ସେବା ବିଭାଗ ଟିମ୍ ମୁତୟନ ହୋଇଛନ୍ତି | ଗଜପତି ଜିଲ୍ଲାରେ ୧୨ଟି ଓଡ୍ରାଫ୍, ୧ଟି ଏନଡିଆରଏଫ୍ ଏବଂ ୧୨ଟି ଅଗ୍ନିଶମ ସେବା ବିଭାଗ ଟିମ୍ ମୁତୟନ ହୋଇଛନ୍ତି | ଗଞ୍ଜାମ ଜିଲ୍ଲାରେ ୫୫୦ ଜଣ ଓ ଗଜପତି ଜିଲ୍ଲାରେ ୪୨୦ ଗର୍ଭବତୀ ମହିଳା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହୋଇଛନ୍ତି ।

ଗଞ୍ଜାମ ଜିଲ୍ଲାର ଚିକିଟି ଓ ପାତ୍ରପୁର ବ୍ଲକ୍ ଅନ୍ତର୍ଗତ ବାଘଲଟି ଜଳଭଣ୍ଡାର ଏବଂ ବାହୁଦା ନଦୀ ଅବବାହିକାରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇଛି | ଏଥିଯୋଗୁଁ ଆନ୍ଧ୍ରପ୍ରଦେଶର ଇଚ୍ଛାପୁରମଠାରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି | ବାତ୍ୟା ‘ଅର୍ଣ୍ଣବ’ ଆଶଙ୍କା ଓ ଭାରତୀୟ ପାଣିପାଗ ବିଭାଗର ପ୍ରବଳ ବର୍ଷା ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଜଳଭଣ୍ଡାରର ଜଳଧାରଣ କ୍ଷମତା ନିୟନ୍ତ୍ରଣ ପାଇଁ ପୂର୍ବରୁ ଜଳ ନିଷ୍କାସନ କରାଯାଇଥିଲା ଅକ୍ଟୋବର ୨୭ ସନ୍ଧ୍ୟାରୁ ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ଅକ୍ଟୋବର ୨୮ ସକାଳ ୧୧ଟା ସୁଦ୍ଧା ଜଳପ୍ରବାହ ପ୍ରତି ସେକେଣ୍ଡରେ ୫୫୦ ଘନମିଟରକୁ ବୃଦ୍ଧି ପାଇଥିଲା । ଫଳରେ ଜଳଭଣ୍ଡାରର ୪ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଇଥିଲା । ଅନ୍ୟପକ୍ଷରେ ଅକ୍ଟୋବର ୨୮ ସକାଳ ୧୧ ଟାରୁ ସଂଧ୍ୟା ୭ଟା ମଧ୍ୟରେ ପାତ୍ରପୁର ବ୍ଲକରେ ୫୪୬ ମିମି ଏବଂ ଚିକିଟି ବ୍ଲକରେ ୨୮୯ ମିମି ବର୍ଷା ରେକର୍ଡ ହୋଇଥିଲା | ଏହାଦ୍ୱାରା ବାହୁଦା ନଦୀରେ ଜଳପ୍ରବାହ ବୃଦ୍ଧି ସହ ନିମ୍ନ ଅବବାହିକାରେ ଜଳମଗ୍ନ ସ୍ଥିତି ସୃଷ୍ଟି ହୋଇଥିଲା |

ଏହି ପରିସ୍ଥିତିରେ ରେଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଇଚ୍ଛାପୁରମ୍ ଓ ଜଟପୁଡ଼ି ଷ୍ଟେସନ ମଧ୍ୟରେ ଡାଙ୍ଗୁଏଡ଼ା ନିକଟସ୍ଥ ରେଳ ବ୍ରିଜ୍ ନଂ. ୧୦୫୨ରେ ଜଳସ୍ତର ଅସ୍ୱାଭାବିକ ଭାବେ ବୃଦ୍ଧି ପାଇଥିବା ସୂଚନା ମିଳିଥିଲା । ଏଥିଯୋଗୁଁ ଉଭୟ ଆନ୍ଧ୍ରପ୍ରଦେଶ ଏବଂ ଓଡିଶାର ଗଞ୍ଜାମ ପଟରେ କେତେକ ଟ୍ରେନ୍ ଅଟକି ରହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଓ ଶ୍ରୀକାକୁଲମ୍ ଜିଲ୍ଲା ପ୍ରଶାସନ ସହିତ ପୂର୍ବତଟ ରେଳପଥର ବିଶାଖାପାଟଣା ଓ ଭୁବନେଶ୍ୱରସ୍ଥିତ ଅଧିକାରୀମାନଙ୍କ ସହ ନିରନ୍ତର ସମନ୍ୱୟ ରଖାଯାଇଛି | ଏ ସଂପର୍କରେ ମୁଖ୍ୟ ଶାସନ ସଚିବ ସଂପୃକ୍ତ ରେଳ ବିଭାଗ କର୍ତ୍ତୃପକ୍ଷଙ୍କ ସହିତ କଥାହେବା ସହିତ ଗଞ୍ଜାମ ଜିଲ୍ଲାପାଳଙ୍କୁ ଅତ୍ୟାବଶ୍ୟକ ପଦକ୍ଷେପ ଏବଂ ଅଟକି ରହିଥିବା ଜଣସାଧାରଣଙ୍କ ନିମନ୍ତେ ଜରୁରୀ ସୂଚନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀଯୁକ୍ତ ପୂଜାରୀ ବାତ୍ୟା ପରବର୍ତ୍ତୀ ବନ୍ୟା ସ୍ଥିତି, ପୁନରୁଦ୍ଧାର ଓ ଥଇଥାନ ସଂପର୍କରେ ନିରନ୍ତର ସ୍ଥିତି ଅନୁଧ୍ୟାନ କରୁଛନ୍ତି | ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ | ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ସମନ୍ୱିତ ପଦକ୍ଷେପ ମାଧ୍ୟମରେ ଜନସାଧାରଣଙ୍କ ସୁରକ୍ଷା ଏବଂ ବିପର୍ଯ୍ୟୟର ପ୍ରଭାବ ହ୍ରାସ ଉପରେ ଗୁରୁତ୍ୱ ଦିଆଯାଇଛି ।

editor

Related Articles

Leave a Reply

Your email address will not be published. Required fields are marked *