Skip to main content

welcome to business breaking

BusinessBreaking - Responsive Header
Loading date... Loading time...

ରାଜ୍ୟ କ୍ୟାବିନେଟ୍‌ ନିଷ୍ପତ୍ତି:ଇନ୍ଦ୍ରାବତୀ ଜଳଭଣ୍ଡାରରେ ହେବ ୬୦୦ ମେଗାୱାଟ୍‌ ପମ୍ପ୍‌ଡ ଷ୍ଟୋରେଜ୍ ପ୍ରକଳ୍ପ

ରାଜ୍ୟ କ୍ୟାବିନେଟ୍‌ ନିଷ୍ପତ୍ତି:ଇନ୍ଦ୍ରାବତୀ ଜଳଭଣ୍ଡାରରେ ହେବ ୬୦୦ ମେଗାୱାଟ୍‌ ପମ୍ପ୍‌ଡ ଷ୍ଟୋରେଜ୍ ପ୍ରକଳ୍ପ

କଳହାଣ୍ଡି ଜିଲ୍ଲା ରାଣୀବାହାଲ ଠାରେ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରେସନ୍ ଲିମିଟେଡ୍ (ଓଏଚ୍‌ପିସି) ପକ୍ଷରୁ ନିର୍ମାଣ ହେବ ୬୦୦ ମେଗାୱାଟ୍ କ୍ଷମତା ବିଶିଷ୍ଟ ‘ଇନ୍ଦ୍ରାବତୀ ପମ୍ପ୍‌ଡ ଷ୍ଟୋରେଜ୍ ପ୍ରକଳ୍ପ’। ଏହି ପ୍ରକଳ୍ପକୁ ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକଚର୍ସ ଲିମିଟେଡ୍‌ ଇପିସି କଣ୍ଟ୍ରାକ୍ଟ ମାଧ୍ୟମରେ କାର୍ଯ୍ୟକାରୀ କରିବ। ଏଥିପାଇଁ ସଂସ୍ଥାର ୩୩୭୨.୮୮କୋଟି (ଜିଏସ୍‌ଟି ବ୍ୟତୀତ) ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ଏହାସହ ଏହି ପ୍ରକଳ୍ପ ପାଇଁ ପରାମର୍ଶ ଶୁଳ୍କ, ଜମି ଅଧଗ୍ରହଣ, ଜଙ୍ଗଲ ଜମି ମଞ୍ଜୁରୀ, ନିର୍ମାଣକାଳୀନ ସୁଧ ଆଦି ବାବଦକୁ ମୋଟ୍ ୪୭୦୮.୬୪କୋଟି ଖର୍ଚ୍ଚ ହେବ। ଆଜି ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି।
ଏହି ପ୍ରକଳ୍ପଟି ୮୦:୨୦ର ଋଣ ଇକ୍ବିଟି ଅନୁପାତରେ କାର୍ଯ୍ୟକାରୀ ହେବ। ଓଏଚ୍‌ପିସି ଏହାର ୨୦% ଇକ୍ବିଟି ଅଂଶଧନ ନିଜସ୍ବ ଆଭ୍ୟନ୍ତରୀଣ ପାଣ୍ଠିରୁ ପର୍ଯ୍ୟାୟକ୍ରମେ ବିନିଯୋଗ କରିବ। ଅବଶିଷ୍ଟ ୮୦% ଅର୍ଥ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରକଳ୍ପ ଆବଶ୍ୟକତା ଅନୁଯାୟୀ ଏକ ସ୍ବଳ୍ପ ସୁଧ ସରକାରୀ ଋଣ ଆକାରରେ ଯୋଗାଇ ଦିଆଯିବ। ଯାହାର ବାର୍ଷିକ ସୁଧ ହାର ଆର୍‌ବିଆଇର ରେପୋ ରେଟ୍‌ ସହ ସମାନ ରହିବ।

ଏହି ୬୦୦ ମେଗାୱାଟ୍ କ୍ଷମତା ସମ୍ପନ୍ନ ପ୍ରକଳ୍ପଟି ବାର୍ଷିକ ପ୍ରାୟ ୧୦୪୦ମିଲିଅନ୍ ୟୁନିଟର ବୈଦ୍ୟୁତିକ ପିକ୍ ଶକ୍ତି ଉତ୍ପାଦନ କରିବ। ଯେଉଁଥିପାଇଁ ବାର୍ଷିକ ୧୨୮୩ମିଲିଅନ ୟୁନିଟର ଅଫ୍ ପିକ୍ ପମ୍ପିଂ ଶକ୍ତିର ଆବଶ୍ୟକତା ପଡ଼ିବ। ଏହି ପ୍ରକଳ୍ପ ୨୦୩୦-୩୧ ସୁଦ୍ଧା କାର୍ଯ୍ୟକ୍ଷମ ହେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଉପର ଇନ୍ଦ୍ରାବତୀ ପିଏସ୍‌ପି ଏକ ବିଶାଳ ଗ୍ରୀଡ୍‌ସ୍ତରୀୟ ଶକ୍ତି ସଂରକ୍ଷଣ ପ୍ରଣାଳୀ ଭାବେ କାର୍ଯ୍ୟ କରିବ। ଯାହା ଅଫ୍ ପିକ୍ (କମ୍‌ ଚାହିଦା ଥିବା ସମୟରେ) ବଳକା ବିଦ୍ୟୁତ ଗ୍ରହଣ କରି ସଂରକ୍ଷିତ କରିବ ଏବଂ ପିକ୍ (ଅଧିକ ଚାହିଦା ଥିବା ସମୟରେ) ବିଦ୍ୟୁତ ଉତ୍ପାଦନ କରିବ।

ସେହିପରି ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ବ୍ଲକର ପଥର୍ଲା ଗ୍ରାମ ନିକଟରେ ତେଲ୍‌ ନଦୀର ଉପର ନଦୀ ଇନ୍ଦ୍ର/ସୁନ୍ଦର ନଦୀ ଅବବାହିକାରେ ଏକ ଅନ୍ତଃନଦୀ ଜଳାଶୟ (ଆଇଏସ୍‌ଏସ୍‌) ନିର୍ମାଣ ହେବ। ଏଥିପାଇଁ ୯୯କୋଟି ୯୯ଲକ୍ଷ ୯୯ହଜାର ୯୯୯ଟଙ୍କା ଖର୍ଚ୍ଚ ହେବ। ପ୍ରକଳ୍ପଟି ୩୦ମାସରେ ସରିବ। ଆଜି ଏହି ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଟିଟିଲାଗଡ଼ ଓ ବଙ୍ଗମୁଣ୍ଡା ବ୍ଲକର ୧୨ଟି ଗ୍ରାମକୁ ଜଳଯୋଗାଣ ସହ ଚାଷୀଙ୍କର ସାମାଜିକ ଓ ଆର୍ଥିକ ଉନ୍ନତିରେ ସହାୟକ ହେବ। ଏହାବାଦ୍ ରାଜ୍ୟ କ୍ୟାବିନେଟ୍ ଆଜି ପାର୍ବତୀ ଗିରି ମେଗା ଲିଫ୍ଟ ଜଳସେଚନ ଯୋଜନାର କ୍ଲଷ୍ଟର-୨୮ ଅଧୀନରେ ନୂଆପଡ଼ା ଜିଲ୍ଲାରେ ୭ଟି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ୨୮୯.୬୮କୋଟିର ଟେଣ୍ଡରକୁ ଅନୁମୋଦନ କରିଛି।

ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପାଇଁ ୨୬୮,୨୨,୪୦,୮୪୨ ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ୧୫ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ପାଇଁ ୨୧,୪୫,୭୯,୨୬୮ଟଙ୍କା ଖର୍ଚ୍ଚ ହେବ। ପ୍ରକଳ୍ପଟି ୩ବର୍ଷରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ୭ଟି ପ୍ରକଳ୍ପରେ ନୂଆପଡ଼ା ଜିଲ୍ଲାର ଚାଷ ଉପଯୋଗୀ ଢିପ ଜମିଗୁଡ଼ିକୁ ଉଦନ୍ତୀ ନଦୀ ଏବଂ ଲୋୟର ଇନ୍ଦ୍ର ଜଳାଶୟରୁ ଜଳ ଉତ୍ତୋଳନ କରି ଜଳସେଚନ ସୁବିଧା ଯୋଗାଇ ଦିଆଯିବ। ଏହା କାର୍ଯ୍ୟକ୍ଷମ ହେଲେ ବୋଡେନ୍, ସିନାପାଲି, କୋମନା ବ୍ଲକର ୫୯ଟି ଗ୍ରାମର ୮,୮୦୦ହେକ୍ଟର ଜମିକୁ ଅତିରିକ୍ତ ଜଳସେଚନ କ୍ଷମତା ସୃଷ୍ଟି ହେବ।

ସେହିପରି ରାଜ୍ୟରେ ବୃତ୍ତିଗତ ସହର ଯୋଜନା କ୍ୟାଡରକୁ ସୁଦୃଢ଼ କରିବା ଏବଂ ଓଡ଼ିଶା ଲୋକସେବା ଆୟୋଗ ମାଧ୍ୟମରେ ୧୯ଜଣ ସହକାରୀ ସହର ଯୋଜନା ଅଧିକାରୀଙ୍କ ପ୍ରତ୍ୟକ୍ଷ ନିଯୁକ୍ତିକୁ ସୁଗମ କରିବା ପାଇଁ ରାଜ୍ୟ ସରକାର ‘ଓଡ଼ିଶା ସହର ଯୋଜନା ସେବା-ଗ୍ରୁପ୍‌ ଏ’ (ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତାବଳୀ) ନିୟମାବଳୀ,୨୦୧୮ରେ ସଂଶୋଧନ କରିଛନ୍ତି। ଏଥିରେ ବୟସ ସୀମାକୁ ୨୧ରୁ ୪୨ବର୍ଷକୁ ବଢ଼ାଯାଇଛି। ଯାହା ନିଯୁକ୍ତି ବର୍ଷର ଜାନୁଆରି ୧ସୁଦ୍ଧା ଗଣନା କରାଯିବ। ଶିକ୍ଷାଗତ ଯୋଗ୍ୟତା ଭାବେ ମାନ୍ୟତାପ୍ରାପ୍ତ ଅନୁଷ୍ଠାନରୁ ପ୍ଲାନିଂରେ ସ୍ନାତକ କିମ୍ବା ସ୍ନାତକୋତ୍ତର ଡିଗ୍ରି କିମ୍ବା ଇନଷ୍ଟିଚ୍ୟୁଟ୍ ଅଫ୍ ଟାଉନ୍ ପ୍ଲାନର୍ସ, ଇଣ୍ଡିଆର ଆସୋସିଏଟ୍ ସଭ୍ୟପଦ ଅନ୍ତର୍ଭୁକ୍ତ। ଏହାସହ ପ୍ରଶିକ୍ଷଣରତ ବିଚାରବିଭାଗୀୟ ଅଧିକାରୀମାନଙ୍କ ପାଇଁ ଏକ ବର୍ଷର ପ୍ରତିଷ୍ଠାନଗତ ପ୍ରଶିକ୍ଷଣ ପରେ ଏକ ବର୍ଷର ସୁବ୍ୟବସ୍ଥିତ ଆଇନ ସହାୟକ କାର୍ଯ୍ୟ ବ୍ୟବସ୍ଥା କରାଯିବ, ନୂତନ ପ୍ରାର୍ଥୀଙ୍କୁ ଓଡ଼ିଶା ନ୍ୟାୟିକ ସେବାରେ ପ୍ରବେଶ ପାଇଁ ଅଧିକ ସୁଯୋଗ ପ୍ରଦାନ କରାଯିବ। ଏଥିପାଇଁ ଓଡ଼ିଶା ଉଚ୍ଚତର ନ୍ୟାୟିକ ସେବା ଓ ଓଡ଼ିଶା ନ୍ୟାୟିକ ସେବା ନିୟମାବଳୀ, ୨୦୦୭ରେ ସଂଶୋଧନ କରାଯାଇଛି।

editor

Related Articles

Leave a Reply

Your email address will not be published. Required fields are marked *