Responsive Image Link
Department
Trending

HOME: ‘ଦମନ’ ଅଭିଯାନରେ ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ କଡ଼ା ପଦକ୍ଷେପ

୧୦୯ NBW କାର୍ଯ୍ୟକାରୀ, ୧୪୮ ଅବକାରୀ ମାମଲା ଓ ୧୫ NDPS ମାମଲା

ଆଗାମୀ ପାର୍ବଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଶାନ୍ତି, ଶୃଙ୍ଖଳା ଓ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପୋଲିସ, କମିଶନରେଟ୍ ପୋଲିସ, ରେଳବାଇ ପୋଲିସ ଓ ଅନ୍ୟାନ୍ୟ ପୋଲିସ ୟୁନିଟ୍‌ଗୁଡ଼ିକର ମିଳିତ ସମନ୍ୱୟରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନ ‘ଦମନ’ କୁ ଅଧିକ ଜୋରଦାର କରାଯାଇଛି। ୨୧ ସେପ୍ଟେମ୍ବରରୁ ରାଜ୍ୟବ୍ୟାପୀ ଚାଲିଥିବା ଏହି ଅଭିଯାନରେ ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଦ୍ୟବିଧି ୧୦୯ଟି ଜାମିନ ବିହୀନ ଗିରଫ ପରୱାନା (NBW) କାର୍ଯ୍ୟକାରୀ କରାଯାଇଥିବା ବେଳେ ୪୦ ଜଣଙ୍କ ବିରୋଧରେ BNSS ଧାରା ୧୨୯ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯାଇଛି।

ସେହିପରି ଅବକାରୀ ଆଇନ ଉଲ୍ଲଂଘନ ବିରୋଧରେ ୧୪୮ଟି ମାମଲା ରୁଜୁ କରାଯାଇ ୦୬ ଜଣଙ୍କୁ ଗିରଫ କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନରେ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ସହ ଅନ୍ୟାନ୍ୟ ଅବକାରୀ ସାମଗ୍ରୀ ଜବତ ହୋଇଛି। ଏହି ସମୟରେ ୮୯୫ ଲିଟର ଦେଶୀ ମଦ, ୧୯୩ ଲିଟର ବିଦେଶୀ ମଦ, ୯୮ ଲିଟର ଆସ୍କା-40, ୨୦୯ ଲିଟର ଦେଶୀ ମହୁଲି ଜବତ କରାଯାଇଛି। ସେହିପରି ନିଶାଦ୍ରବ୍ୟ ବିରୋଧୀ ଅଭିଯାନରେ ୧୫ଟି NDPS ମାମଲା ରୁଜୁ କରାଯାଇ ୧୮ ଜଣଙ୍କୁ ଗିରଫ କରାଯାଇଛି। ପ୍ରାୟ ୧,୯୧୮ କେଜି ଗଞ୍ଜେଇ, ୬୩.୬୨୮ ଗ୍ରାମ୍ ବ୍ରାଉନ୍ ସୁଗାର ଓ ୬୦ ବୋତଲ କଫ୍ ସିରପ୍ ଜବତ କରାଯାଇଛି। ଏଥିସହିତ ନିଶା କାରବାରରେ ବ୍ୟବହୃତ ଯାନବାହନ, ମୋବାଇଲ ଫୋନ୍ ଓ ନଗଦ ଟଙ୍କା ମଧ୍ୟ ଜବତ ହୋଇଛି।

ଏହାବ୍ୟତୀତ ଜୁଆ ଓ ବେଆଇନ ଚାନ୍ଦା ଆଦାୟ ବିରୋଧରେ ମଧ୍ୟ ଚଢ଼ାଉ କରାଯାଇଛି। ଜୁଆ ସମ୍ପର୍କିତ ୨ଟି ମାମଲାରେ ୧୦ ଜଣ ଗିରଫ ହୋଇଥିବାବେଳେ ୩ଟି ବେଆଇନ ଚାନ୍ଦା ଆଦାୟ ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ନଗଦ ଟଙ୍କା ଓ ମୋବାଇଲ ଫୋନ୍ ଜବତ କରାଯାଇଛି। ଏହାବ୍ୟତୀତ ବେଆଇନ ଅସ୍ତ୍ରଶସ୍ତ୍ର ବିରୋଧରେ ଅଭିଯାନ ସମୟରେ ଗୋଟିଏ ବନ୍ଧୁକ ଓ ମାରଣାସ୍ତ୍ର ଜବତ କରାଯାଇଛି। ଅପରାଧୀଙ୍କ ଗତିବିଧି ଉପରେ ନଜର ରଖିବା ସହ ସୀମାନ୍ତ ଅଞ୍ଚଳରେ ୧୫୧ଟି ବ୍ଲକିଂ ଓ ବର୍ଡର ସିଲିଂ କରାଯାଇଛି। ସଂଗଠିତ ଅପରାଧ ବିରୋଧରେ ମଧ୍ୟ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯାଇଛି।

ପାର୍ବଣ ସମୟରେ ରାଜ୍ୟବାସୀଙ୍କ ସୁରକ୍ଷା, ଶାନ୍ତି ଓ ନିରାପଦ ପରିବେଶ ସୁନିଶ୍ଚିତ କରିବା ପାଇଁ ‘ଦମନ’ ଅଭିଯାନ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଜାରି ରହିବ। ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ ଏହି ଅଭିଯାନକୁ ଆଗାମୀ ଦିନରେ ଆହୁରି ବ୍ୟାପକ କରାଯିବ ବୋଲି ଡିଜିପି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button