କାହିଁକି ଆସୁଛି ଏହି ମେସେଜ୍?

ଆୟକର ବିଭାଗ ପକ୍ଷରୁ ଏକ ନୂତନ ଡାଟା-ଚାଳିତ NUDGE (Non-intrusive Usage of Data to Guide and Enable) ଅଭିଯାନ ଆରମ୍ଭ କରାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି କରଦାତାମାନଙ୍କୁ ସେମାନଙ୍କ ଦ୍ୱାରା ହୋଇଥିବା ସମ୍ଭାବ୍ୟ ଭୁଲ ବିଷୟରେ ଅବଗତ କରାଇବା ଏବଂ ସେମାନଙ୍କୁ ନିଜେ ସଂଶୋଧନ କରିବାକୁ ସୁଯୋଗ ଦେବା।
କାହାକୁ ସଂଶୋଧିତ ITR (Revised ITR) ଫାଇଲ୍ କରିବାକୁ ପଡ଼ିବ?
ଯଦି ଆପଣଙ୍କ ପାଖକୁ ଏପରି ମେସେଜ୍ ଆସିଛି, ତେବେ ନିମ୍ନଲିଖିତ ପରିସ୍ଥିତିରେ ଆପଣଙ୍କୁ ସଂଶୋଧିତ ITR ଦାଖଲ କରିବାକୁ ପଡ଼ିପାରେ:
- ଭୁଲ ରିହାତି ଦାବି: ଯଦି ଆପଣ ଏପରି କୌଣସି ରିହାତି (Deduction) କିମ୍ବା ଛାଡ଼ (Exemption) ଦାବି କରିଛନ୍ତି ଯେଉଁଥିପାଇଁ ଆପଣ ଯୋଗ୍ୟ ନୁହନ୍ତି।
- ଆୟ ଏବଂ ତଥ୍ୟ ମଧ୍ୟରେ ଅମେଳ: ଯଦି ଆପଣଙ୍କ ଦ୍ୱାରା ଦିଆଯାଇଥିବା ଆୟର ତଥ୍ୟ, ବିଭାଗ ପାଖରେ ଥିବା AIS (Annual Information Statement) କିମ୍ବା ଫର୍ମ 26AS ସହ ମେଳ ଖାଉନାହିଁ।
- ଭୁଲ ରାଜନୈତିକ ଚାନ୍ଦା: ଯଦି ଆପଣ କୌଣସି ପଞ୍ଜିକୃତ ଅଣ-ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ (RUPPs) କୁ ଦେଇଥିବା ଦାନ ଉପରେ ଭୁଲ ଭାବେ ଟ୍ୟାକ୍ସ ରିହାତି ଦାବି କରିଛନ୍ତି।
- ବିଦେଶୀ ସମ୍ପତ୍ତିର ସୂଚନା: ଯଦି ଆପଣଙ୍କର କୌଣସି ବିଦେଶୀ ସମ୍ପତ୍ତି କିମ୍ବା ବିଦେଶରୁ ଆୟ ଅଛି ଏବଂ ଆପଣ ତାହାକୁ ନିଜ ରିଟର୍ଣ୍ଣରେ ଦର୍ଶାଇ ନାହାଁନ୍ତି।
ଆପଣଙ୍କୁ କ’ଣ କରିବାକୁ ପଡ଼ିବ?
୧. ITR ଯାଞ୍ଚ କରନ୍ତୁ: ପ୍ରଥମେ ଆପଣ ଦାଖଲ କରିଥିବା ITR କୁ ଭଲଭାବେ ପଢ଼ନ୍ତୁ ଏବଂ ଦେଖନ୍ତୁ କୌଣସି ଭୁଲ ରହିଛି କି ନାହିଁ।
୨. ଡକ୍ୟୁମେଣ୍ଟ୍ ଯାଞ୍ଚ କରନ୍ତୁ: ଆପଣ ଦାବି କରିଥିବା ରିହାତି ପାଇଁ ଆପଣଙ୍କ ପାଖରେ ଉପଯୁକ୍ତ ପ୍ରମାଣପତ୍ର ଅଛି କି ନାହିଁ ନିଶ୍ଚିତ କରନ୍ତୁ।
୩. ଯଦି ସବୁ ସଠିକ୍ ଅଛି: ଯଦି ଆପଣଙ୍କର ଦାବି ଗୁଡ଼ିକ ସଠିକ୍ ଏବଂ ଆଇନଗତ ଭାବେ ବୈଧ, ତେବେ ଆପଣଙ୍କୁ କୌଣସି ପଦକ୍ଷେପ ନେବାକୁ ପଡ଼ିବ ନାହିଁ। ଆପଣ ସେହି ମେସେଜକୁ ଅଣଦେଖା କରିପାରିବେ।
୪. ଯଦି ଭୁଲ ଅଛି: ଯଦି ଆପଣ ଦେଖନ୍ତି ଯେ ଅଜାଣତରେ କିଛି ଭୁଲ ହୋଇଛି, ତେବେ ୩୧ ଡିସେମ୍ବର ୨୦୨୫ ପୂର୍ବରୁ ସଂଶୋଧିତ ITR ଦାଖଲ କରନ୍ତୁ।



